ଟି-୨୦ କ୍ରିକେଟରେ ନୂଆ ରେକର୍ଡ ! ସର୍ବାଧିକ ସ୍କୋର ସହ ବିଶ୍ୱରେକର୍ଡ କଲା ଆଫଗାନିସ୍ତାନ, ଭାଙ୍ଗିଲା ଅଷ୍ଟ୍ରେଲିଆର ରେକର୍ଡ

927

ଟି-୨୦ କ୍ରିକେଟରେ ବିଶ୍ୱରେକର୍ଡ କରିଛି ଆଫଗାନିସ୍ତାନ । ଟି-୨୦ରେ ସର୍ବାଧିକ ସ୍କୋର କରିବାର ରେକର୍ଡ ନିଜ ନାଁରେ କରିଛି ଆଫଗାନିସ୍ତାନ ଟିମ୍ । ହଜରାତୁଲ୍ଲାଙ୍କ ବିଧ୍ୱଂସୀ ୧୬୨ ରନର ଇନିଂସ ବଳରେ ନୂଆ କୀର୍ତ୍ତିମାନ ନିଜ ନାଁରେ ଆଫଗାନ ବାହିନୀ । ଉତ୍ତରାଖଣ୍ଡର ଡେରାଡୁନରେ ଆୟରଲାଣ୍ଡ ବିପକ୍ଷରେ ନିର୍ଦ୍ଧାରିତ ଓଭରରେ ୩ ୱିକେଟ ହରାଇ ୨୭୮ ରନ କରିବା ସହ ଏହି ବିଶ୍ୱରେକର୍ଡରେ ନିଜ ନାଁ ସାମିଲ କରିଛି ଆଫଗାନିସ୍ତାନ ଟିମ୍ ।

ଟି-୨୦ରେ ସର୍ବାଧିକ ସ୍କୋର ରେକର୍ଡ ପୂର୍ବରୁ ଅଷ୍ଟ୍ରେଲିଆ ନାଁରେ ଥିବା ବେଳେ ଏହାକୁ ଭାଙ୍ଗିଛି ଆଫଗାନିସ୍ତାନ । ୨୦୧୬ରେ ଶ୍ରୀଲଙ୍କା ବିପକ୍ଷରେ ୨୬୩ ରନ କରିବା ସହ ବିଶ୍ୱରେକର୍ଡର ଅଧିକାରୀ ହୋଇଥିଲା ଅଷ୍ଟ୍ରେଲିଆ । ଏହି ମ୍ୟାଚରେ ହଜରାତୁଲ୍ଲାଙ୍କ ଧୂଆଁଧାର ଇନିଂସ ଖେଳର ରୋମାଞ୍ଚ ବଢାଇ ଦେଇଥିଲା । ପଡିଆର ଚାରି ଆଡକୁ ଛକା ଓ ଚୌକାର ବର୍ଷା କରିଥିଲେ ହଜରାତୁଲ୍ଲା । ନିଜର ବିଧ୍ୱଂସୀ ଇନିଂସରେ ୧୧ଟି ଚୌକା ଓ ୧୬ଟି ବିଶାଳ ଛକା ମାରିଥିଲେ ହଜରାତୁଲ୍ଲା । ଏହାସହ ପ୍ରଥମ ଆଫଗାନ କ୍ରିକେଟର ଭାବେ ୧୫୦ ରନର ଇନିଂସ ଖେଳିବା ରେକର୍ଡ ନିଜର ନାଁରେ କରିଛନ୍ତି ହଜରାତୁଲ୍ଲା ।

ଏହି ମ୍ୟାଚରେ ଅନେକ ନୂଆ ରେକର୍ଡ ହୋଇଛି । ପ୍ରଥମ ୱିକେଟ ପାର୍ଟନରସିପରେ ମଧ୍ୟ ରେକର୍ଡ କରିଛି ଆଫଗାନିସ୍ତାନ । ହଜରାତୁଲ୍ଲା ଜଜାଇ  ଓ ଉସମାନ ଘାନିଙ୍କ ମଧ୍ୟରେ ପ୍ରଥମ ୱିକେଟରେ ୨୩୬ ରନର ପାର୍ଟନରସିପ ହୋଇଥିଲା । ଆଉ ଏହି ପାର୍ଟନରସିପ  ଅଷ୍ଟ୍ରେଲୀୟ ଯୋଡି ଆରୋନ ଫିଞ୍ଚ ଓ ଡାର୍ସି ସର୍ଟଙ୍କ ୨୨୩ ରନର ପ୍ରଥମ ୱିକେଟ ପାଟନରସିପ ରେକର୍ଡକୁ ମଧ୍ୟ ଭାଙ୍ଗିଛି ।