ରାଜଧାନୀରେ ଭାଇରାଲ୍ ଭିଡିଓ ଘଟଣାରେ ନୂଆ ମୋଡ ! ସାମ୍ନାକୁ ଆସିଲା ଚତୁର୍କୋଣୀୟ ପ୍ରେମ କାହାଣୀ

15

କନକ ବ୍ୟୁରୋ : ଜଣେ ଯୁବକଙ୍କୁ ଦୁଇ ପ୍ରେମିକା ମାଡ଼ ମାରୁଥିବା ଘଟଣାରେ ଭିନ୍ନ ମୋଡ ନେଇଛି । ଆଜି ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ହେଲେ ଏଥିରେ ଆଉ ଏକ ଚରିତ୍ର ଧସେଇ ପସିଛନ୍ତି । କୌତୁହଳର ବିଷୟ ହେଉଛି ଏହି ଭିଡିଓରେ ମାଡ ମାରୁଥିବା ଯୁବକ ଜଣକ ମାଡ଼ ଖାଉଥିବା ଯୁବକଙ୍କ ପ୍ରେମିକାଙ୍କ ପ୍ରେମିକ । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଚତୁର୍କୋଣୀୟ ପ୍ରେମ କାହାଣୀ ଆହୁରି ଜଟିଳ ହୋଇପଡିଛି ।

ସୋମବାରଦିନ ରାଜଧାନୀର ଏକ ପାର୍କରେ ଜଣେ ଯୁବକଙ୍କୁ ଦୁଇଜଣ ଯୁବତୀ ମାଡ ମାରିଥିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ସଂପୃକ୍ତ ଯୁବକ କମଳ ଅଗ୍ରୱାଲ ନ୍ୟାୟ ପାଇଁ ସ୍ଥାନୀୟ ଏସଡିଜେଏମ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏବେ ଏହି ନୂଆ ଭିଡିଓ ଆସିବା ପରେ ଘଟିଣାଟି ଆହୁରି ରହସ୍ୟ ଘେରକୁ ଚାଲି ଯାଇଛି । ମାଡ଼ ମାରୁଥିବା ଯୁବକଙ୍କ ଏହି କାହାଣୀ ଭିତରେ କି ଭୂମିକା ରହିଛି, ତାହା ମଧ୍ୟ ସଂଦେହ ଘେରକୁ ଆସିଛି ।

ଯୁବକଙ୍କୁ ମାଡ ମାରିବା ସମୟର ସମସ୍ତ ଦୃଶ୍ୟ ଭିଡିଓ ରେକଡିଂ କରାଯାଇଛି ଏବଂ ସେଗୁଡିକୁ ଭାଗ ଭାଗ କରି ସୋସିଆଲ ମିଡିଆରେ ଛଡା ଯାଇଛି । ଏପରି କରିବା ପଛରେ କଣ ରହିଛି ଉଦ୍ଦେଶ୍ୟ, ଏହା ଏବେ ଘଟଣା ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି ।

ସେପଟେ ଯୁବକ ଜଣଙ୍କ ଅଭିଯୋଗ କରିଛନ୍ତି ମାଡ ମାରିବା ପରେ ତାଙ୍କ ସୁନା ଚେନ, ମନି ପର୍ସ ଓ କିଛି ଟଙ୍କା ମଧ୍ୟ ନେଇଯାଇଛନ୍ତି ଏବଂ ତାଙ୍କୁ ବ୍ଲାକମେଲିଂ କରାଯାଉଛି । ଭିଡିଓ ଭାଇରାଲ ହେବା ପରେ ଆତ୍ମହତ୍ୟା ପାଇଁ ମଧ୍ୟ ଉଦ୍ୟମ କରିଥିଲେ ସଂପୃକ୍ତ ଯୁବକ । ଏବେ ଯୁବକଙ୍କ ପ୍ରଥମ ପ୍ରେମିକା ଆପୋଷ ବୁଝାମଣା କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ବୁଝାମଣା ନହୋଇ ପାରିଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।