ରତ୍ନଭଣ୍ଡାର ଚାବିକୁ ନେଇ ନୂଆ ଟୁଇଷ୍ଟ ! ଜିଲ୍ଲା ଟ୍ରେଜେରୀର ଦସ୍ତାବିଜରେ ଯାହା ଲେଖା ଅଛି ଜାଣିଲେ ଆଶ୍ଚର୍ଯ୍ୟ ହେବେ

46

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯିବା ଯେତିକି ରହସ୍ୟ ସୃଷ୍ଟି କରିନଥିଲା ହଠାତ ଏକ ଡୁପ୍ଲିକେଟ ଚାବି ମିଳିବା ନେଇ ପୁରୀ ଜିଲ୍ଲାପାଳଙ୍କ ମନ୍ତବ୍ୟ ଥିଲା ଆହୁରି ଅଧିକ ରହସ୍ୟମୟ । ହେଲେ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକ ରତ୍ନଭଣ୍ଡାରର କୌଣସି ଡୁପ୍ଲିକେଟ ଚାବି ନଥିବା କନକ ନ୍ୟୁଜକୁ ସୂଚନା ଦେଇଥିଲେ । ଆଉ ଏହି କ୍ରମରେ ସାମ୍ନାକୁ ଆସିଛି ଏକ ନୂଆ ତଥ୍ୟ । ପୁରୀ ଜିଲ୍ଲା ଟ୍ରେଜେରୀର କିଛି ଦସ୍ତାବିଜ ସ୍ପଷ୍ଟ କରୁଛି ଯେ, ଟ୍ରେଜେରୀରେ ଅରିଜିନାଲ ସହ ଡୁପ୍ଲିକେଟ ଚାବି ରହିବାର ବ୍ୟବସ୍ଥା ଅଛି । ଯାହା ଭିନ୍ନଭିନ୍ନ ଅଧିକାରୀଙ୍କ ପାଖରେ ରହିବ, ତାହାପୁଣି ଅଲଗା ସିଲ ପ୍ୟାକେଟରେ ।

ratna bhnadarଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିଯିବାକୁ ନେଇ ତମ୍ବିତୋଫାନ ଭିତରେ ରହସ୍ୟ ବଢାଇଥିଲା ଏକ ଡୁପ୍ଲିକେଟ ଚାବି ମିଳିବା ଘଟଣା । ଆଉ ପ୍ରଶ୍ନ ଉଠିଥିଲା ଯେ, ରତ୍ନଭଣ୍ଡାରର କଣ ଡୁପ୍ଲିକେଟ ଚାବି ଥାଏ କି ? ନା ଅରିଜିନାଲ ଚାବି ହଜିଯିବା ପରେ ଏହି ଡୁପ୍ଲିକେଟ ଚାବି ତିଆରି କରାଯାଇଛି? ଯଦି ଅରିଜିନାଲ ଚାବି ହଜିଛି ତାହେଲେ ସେଥିପାଇଁ ଦାୟୀ କିଏ? ଏହିସବୁ ଅସମାହିତ ପ୍ରଶ୍ନ ଭିତରେ ରହସ୍ୟ ବଢାଇଥିଲା ପୁରୀ ଶ୍ରୀମନ୍ଦିରର ପୂର୍ବତନ ପ୍ରଶାସକଙ୍କ ବୟାନ । ରବିନ୍ଦ୍ର ନାରାୟଣ ମିଶ୍ର କନକ ନ୍ୟୁଜକୁ ସୂଚନା ଦେଇଥିଲେ ଯେ, ଡୁପ୍ଲିକେଟ ଚାବି କିଛି ନଥାଏ ।

କିନ୍ତୁ ଏହି ଆଲୋଚନାକୁ ଆଉ ଏକ ନୂଆମୋଡ଼ ଦେଇଛି ପୁରୀ ଜିଲ୍ଲା ଟ୍ରେଜେରୀର ଦସ୍ତାବିଜ । ଏଥିରେ ଲେଖାଯାଇଛି ଯେ, ପ୍ରତ୍ୟେକ ତାଲାର ଦୁଇଟି ଚାବି ଜିଲ୍ଲା ଟ୍ରେଜେରୀରେ ରଖାଯାଏ, ତାହା ପୁଣି ଅଲଗା ସିଲ ପ୍ୟାକେଟରେ । ଗୋଟିଏ ଟ୍ରେଜେରର ଓ ଅନ୍ୟଟି ସବ ଟ୍ରେଜେରି ଅଫିସରଙ୍କ ହେପାଜତରେ ଥାଏ । ଏହାବାଦ କାହାରି ପାଖରେ ଚାବି ରହିବାର ଥିଲେ ଏଥିପାଇଁ ସରକାରଙ୍କ ସ୍ୱତନ୍ତ୍ର ଅନୁମତି ଲୋଡା । ତେଣୁ ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି ଜିଲ୍ଲା ରେକର୍ଡରୁମରୁ ମିଳିବା ବଡ ସନ୍ଦେହ ତିଆରି କରୁଛି । ଗୋଟିଏ ପଟେ ବଢିଚାଲିଛି ଦ୍ୱନ୍ଦ୍ୱ, ଅନ୍ୟପଟେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ ଆରମ୍ଭ ହୋଇଛି । କମିଶନ ଏସବୁ ରହସ୍ୟ ଉପରୁ ପରଦା ହଟାଇବେ ବୋଲି ଆଶା କରାଯାଉଛି ।