ଜଗତସିଂହପୁର ଭତ୍ତା ଦୁର୍ନୀତି ଘଟଣାରେ ନୂଆ ମୋଡ । ଦୁର୍ନୀତିର ପର୍ଦ୍ଦାଫାଶ କରିଥିବା ସୂଚନା ଅଧିକାର କର୍ମୀଙ୍କ ନାଁରେ ଏତଲା, ପଞ୍ଚାୟତ ଅଫିସରେ ଆକ୍ରମଣ କରିଥିବା ଅଭିଯୋଗ କଲେ ସରପଞ୍ଚଙ୍କ ସଂପର୍କୀୟ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଦୁର୍ନୀତିକୁ ଚପାଇବା ପାଇଁ ଚାଲିଛି ଚକ୍ରାନ୍ତ

941

କନକ ବ୍ୟୁରୋ: ଜଗତସିଂହପୁର ତିାର୍ତୋଲ ବ୍ଲକ୍ ଗୋପାଳପୁର ପଂଚାୟତରେ ଭତ୍ତା ଦୁର୍ନୀତି ନେଇ ଖବର ଗଣମାଧ୍ୟମରେ ପ୍ରସାରଣ ପରେ ଘଟଣା ନେଇଛି ନୂଆ ମୋଡ । ଯେଉଁ ସୂଚନା ଅଧିକାର କର୍ମୀ ଏହି ଘଟଣାକୁ ପ୍ରଥମେ ସାମ୍ନାକୁ ଆଣିଥିଲେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ଥାନାରେ ଏତଲା ଦିଆଯାଇଛି । ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା ଓ ଭିନ୍ନକ୍ଷମ ଭତ୍ତା ନେଇ ବଡ ଖୁଲାସା କରିଥିବା ସୂଚନା ଅଧିକାରକର୍ମୀ ରଶ୍ମୀରଂଜନ ଦାସଙ୍କ ସମେତ ୪ଜଣଙ୍କ ନାଁରେ ତିର୍ତୋଲ ଥାନାରେ ଏତଲା ହୋଇଛି ।

ଅଭିଯୋଗ ହୋଇଛି ସେମାନେ ପଂଚାୟତ ଅଫିସ ଭିତରେ ପଶି ସରପଂଚଙ୍କ ଦେଢଶୁର ପ୍ରକାଶ ସ୍ୱାଇଁଙ୍କୁ ମାଡ ମାରି ସୁନା ଚେନ୍ ଲୁଟି ନେଇଛନ୍ତି । ପଂଚାୟତରେ ମୋଟ ୩୧୯ ଜଣ ହିତାଧିକାରୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୨୬୯ ଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉଛି ଭତା । ଏହି ଘଟଣାର ତଦନ୍ତ କରି ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ ।

ସେହିପରି ପିଇଓ ନିଲମ୍ବିତ ହୋଇଥିବା ବେଳେ ଏଥିରେ ସଂପୃକ୍ତ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସୂଚନା ଅଧିକର କର୍ମୀ ରଶ୍ମିରଂଜନ ଦାସ । ଘଟଣା ଗଣମାଧ୍ୟମକୁ ଆସିବା ପରେ, ଏହାକୁ ରଫାଦଫା କରିବାକୁ ଆରଟିଆଇ କର୍ମୀଙ୍କ ଉପରେ ଚାପ ପକାଇବା ପାଇଁ ତାଙ୍କ ନାଁରେ ଥାନାରେ ମାମଲା ହୋଇଥିବା କୁହାଯାଉଛି ।  କେବଳ ଏତିକି ନୁହେଁ, ଖବରର ସତ୍ୟାସତ୍ୟ ଜାଣିବା ପାଇଁ ଘଟଣାସ୍ଥଳରେ ପହଁଚିଥିଲେ ଆମ ପ୍ରତିନିଧି । ତାଙ୍କୁ ଦେଖି ସରପଞ୍ଚଙ୍କ ଦେଢ଼ସୁର ଚିହିଁକି ଉଠିଥିଲେ । ଅସଭ୍ୟଭାଷାରେ ଗାଳିଗୁଲଜ କରି ଛକରେ ତୋ ବାପା ଆଉ ତୋତେ ଦେଖିନେବି ବୋଲି ଧମକ ଦେଇଥିବା କ୍ୟାମେରାରେ କଏଦ ହୋଇଛି । ତେବେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।