ରାତି ପାହିଲେ ରାଜ୍ୟରେ ନୂଆ ନିୟମ । ଟ୍ରାଫିକ ଆଇନ ଭାଙ୍ଗିବା ପଡ଼ିବ ମହଙ୍ଗା, ଜେଲ ଯିବା ସହ ପକେଟରୁ ଯିବ ମୋଟା ଅଙ୍କର ଜରିମାନା ।

2,285

କନକ ବ୍ୟୁରୋ: ରାସ୍ତାରେ ଗାଡି ଚଲାଇବା ବେଳେ ସାବଧାନ ହୋଇଯାଆନ୍ତୁ । କାରଣ ରାତି ପାହିଲେ ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ । ଯାହାକୁ ଭାଙ୍ଗିଲେ ଆପଣ ମୋଟା ଅଙ୍କର ଜରିମାନା ଗଣିବା ନିଶ୍ଚିତ । କେନ୍ଦ୍ର ସରକାର ମୋଟର ଯାନ ଆଇନ ୧୯୮୮ର ସଂଶୋଧନ କରିଛନ୍ତି, ଯାହା ଆସନ୍ତାକାଲିଠାରୁ ଆମ ରାଜ୍ୟରେ ଲାଗୁ ହେବ । ନୂଆ ଆଇନ୍ରେ ଟ୍ରାଫିକ ନିୟମ ଭାଙ୍ଗିଲେ ୧୦ ଗୁଣ ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଏପରିକି ୧୦ଟି କ୍ଷେତ୍ରରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଆପଣଙ୍କୁ ଜେଲ ଦଣ୍ଡ  ମଧ୍ୟ ହୋଇପାରେ ।

ରାତି ପାହିଲେ ରାଜ୍ୟରେ ଲାଗୁ ହେବ ନୂଆ ଟ୍ରାଫିକ୍ ନିୟମ । ତେବେ ଲାଇସେନ୍ସ ନଥିଲେ କିମ୍ବା ହେଲମେଟ ପିନ୍ଧିନଥିଲେ, ମଦ୍ୟପାନ କରି ଗାଡି ଚଲାଇଲେ ଫାଇନ ଦେବାକୁ ପଡିବ । ଜଣେ ବ୍ୟକ୍ତି ପ୍ରଥମ ଥର ପାଇଁ ସାଧାରଣ ଟ୍ରାଫିକ ନିୟମ ଭାଙ୍ଗିଲେ ଶହେ ଟଙ୍କା ଜରିମାନା ଦେବ । ଦ୍ୱିତୀୟ ଥର ନିୟମ ଭାଙ୍ଗି ଧରାପଡିଲେ ୩ଶହ, ତୃତୀୟ ଥର ଧରାପଡିଲେ ୫ ଶହ ଏବଂ ଚତୁର୍ଥ ଥର ନିୟମ ଭାଙ୍ଗିଲେ ୧୫ ଶହ ଟଙ୍କା ଗଣିବାକୁ ପଡିବ । ସେହିପରି ଟ୍ରାଫିକ ଅଧିକାରୀଙ୍କ ନିର୍ଦେଶକୁ ଅବଜ୍ଞା କଲେ ୫ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଦେବେ ଉଲ୍ଲଂଘନକାରୀ ।

ଦ୍ରୁତଗତିରେ ଗାଡି ଚାଳନା ପାଇଁ ୪ ଶହରୁ ୨ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରିବେ ଟ୍ରାଫିକ ବିଭାଗର କର୍ମଚାରୀ । ମୋବାଇଲରେ କଥା ହୋଇ ଗାଡି ଚଲାଉଥିଲେ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜରିମାନା ଆଦାୟ କରାଯିବ । କାରର ସିଟ୍ ବେଲଟ ବାନ୍ଧିନଥିଲେ ହଜାରେ ଟଙ୍କା, ବିନା ସେଫଟି ବେଲଟ୍ରେ ୧୪ ବର୍ଷରୁ କମ ବୟସର ଶିଶୁଙ୍କୁ କାରରେ ନେଉଥିଲେ ୧ ହଜାର ଟଙ୍କା ଗଣିବାକୁ ପଡିବ । ଗୋଟିଏ ବାଇକରେ ୨ରୁ ଅଧିକ ବ୍ୟକ୍ତି ଯାଉଥିଲେ ୧ ହଜାର ଟଙ୍କା , ଗାଡି ଚାଳକଙ୍କ ସହ ପଛରେ ବସିଥିବା ବ୍ୟକ୍ତି ହେଲମେଟ ନ ପିନ୍ଧିଲେ ମଧ୍ୟ ୧ହଜାର ଟଙ୍କା ଜରିମାନା ଆଦାୟ କରାଯିବ ।

ଏହାଛଡା ରାସ୍ତାରେ ଗଲା ବେଳେ ଆମ୍ବୁଲାନ୍ସ କିମ୍ବା ଦମକଳ ଗାଡିକୁ ବାଟ ନଛାଡିଲେ ୧୦ ହଜାର ଟଙ୍କାର ଜରିମାନା ବ୍ୟବସ୍ଥା ନୂଆ ଆଇନରେ ରହିଛି । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁୁ ସହାୟତା କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ନୂଆ ଆଇନରେ କେତେକ ସଂଶୋଧନ କରାଯାଇଛି । ତେବେ ସଡ଼କ ଦୁର୍ଘଟଣା ରୋକିବା ସହ ବହୁ ମୁଲ୍ୟବାନ ଜୀବନ ରକ୍ଷା କରିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ରରେ ଏଭଳି ନୂଆ ନିୟମ ଲାଗୁ କରିବେ ।