ନୂଆ ଦେୟରେ କମିବ କେବୁଲ ଟିଭର ବିଲ୍ ! ଟ୍ରାଇ କହିଲେ, ପ୍ରଥମ ଫେଜରେ ଗ୍ରାହକ ନିୟମ ନମାନିଲେ ହେବନି ସମସ୍ୟା

360

କନକ ବ୍ୟୁରୋ : ଟେଲିକମ ଅଥରିଟି ଅଫ ଇଣ୍ଡିଆ ଲାଗୁ କରିବାକୁ ଯାଉଥିବା ନୂଆ ନିୟମ ଅନୁଯାୟୀ କେବୁଲ ଟିଭର ମାସିକ ଦେୟ କମିବ । ଏମଆରପି ବେସ୍ ମଡେଲ ହୋଇଥିବାରୁ ଏହି ଦେୟ କମିବ ବୋଲି ଟ୍ରାଇ ମୁଖ୍ୟ କହିଛନ୍ତି । ଏହା ସହିତ ସେ କହିଛନ୍ତି ପ୍ରଥମ ଫେଜରେ ଗ୍ରାହକମାନେ ଏହି ନିୟମ ଅର୍ନ୍ତଭୁକ୍ତ ହୋଇ ନପାରିଲେ ସେମାନଙ୍କ ଟିଭିକୁ ବ୍ଲାକ୍ ଆଉଟ୍ କରାଯିବ ନାହିଁ । କିଛି ଦିନ ପାଇଁ ବିନା ଶୁଳ୍କର ଚ୍ୟାନେଲ ଗୁଡିକ ଦେଖିପାରିବେ ଗ୍ରାହକ ।

ତେବେ ଦେୟ ଦେଉଥିବା ଟିଭି ଗ୍ରାହକମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନୂଆ ସେଟଅପ୍ ବକ୍ସକୁ ପରିବର୍ତନ କରିବେ ଏବଂ ସର୍ବନିମ୍ନ ତାରିଫର ସୁବିଧା ଉପଭୋଗ କରିବେ ବୋଲି ଆଶା ରଖିଛନ୍ତି ଟ୍ରାଇ କର୍ତ୍ତୃପକ୍ଷ । ଫବୃଆରୀ ପହିଲାରୁ ଟ୍ରାଇର ଏହି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନିୟମ ଅନୁଯାୟୀ ଜଣେ ଟିଭି ଗ୍ରାହକ ମାତ୍ର ୧୩୦ଟଙ୍କା ସର୍ବନିମ୍ନ ଟଙ୍କା ଦେଇ ୧୦୦ଟି ନିଶୁଳ୍କ ଚ୍ୟାନେଲକୁ ଦେଖିପାରିବେ ।

ଅଧିକ ଚ୍ୟାନେଲ ଦେଖିବା ପାଇଁ ନିଜ ଇଛା ଅନୁସାରେ ପସନ୍ଦର ଚ୍ୟାନେଲକୁ ଚୟନ କରିବେ । ଏବଂ ଯେତିକି ଚ୍ୟାନେଲ ଚୟନ କରିବେ ସେଥିପାଇଁ ନିଦ୍ଧାରିତ ଦେୟ ଦେବେ । ତେବେ କୌଣସି ଚ୍ୟାନେଲ ୧୯ଟଙ୍କାରୁ ଅଧିକ ଦେୟ ଲାଗୁ କରିପାରିବେନି ବୋଲି ନିର୍ଦ୍ଦେଶ ଦେଇଛନ୍ତି ଟ୍ରାଇ । ଏବେ ଅନିଛାକୃତ ଭାବେ ପ୍ୟାକେଜରେ ଥିବା ସମସ୍ତ ଚ୍ୟାନେଲ ପାଇଁ ଗ୍ରାହକଙ୍କୁ ମାସିକ ୨୦୦ରୁ ୩୦୦ଟଙ୍କା ବା ଅଧିକ ଦେୟ ଦେବାକୁ ପଡୁଛି ।