କିଏ ପାଇବ କଂଗ୍ରେସ ଟିକେଟ? ପିସିସି କାର୍ଯ୍ୟାଳୟରେ ଲାଗିଲା ନେତାଙ୍କ ଭିଡ, ଅନ୍ୟପଟେ କଂଗ୍ରେସ ସମର୍ଥନରେ ବୈଜୟନ୍ତ ଆଗାମୀ ନିର୍ବାଚନ ଲଢିବା ଚର୍ଚ୍ଚା !

228

କନକ ବ୍ୟୁରୋ : ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ କଂଗ୍ରେସ ଟିକେଟ ଆଶାୟୀଙ୍କ ମଧ୍ୟରେ ଛନକା ପଶିଛି । କାହାକୁ ମିଳିବ ଟିକେଟ ଆଉ କାହାର କଟିବ ଟିକେଟ ସେନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । ଗୋଟିଏ ଗୋଟିଏ ଜିଲ୍ଲାରୁ ୧୦ ଜଣ ଟିକେଟ ଆଶାୟୀ ଆସିବାର ନଜିର ମଧ୍ୟ ଦେଖିବାକୁ ମିଳିଛି । ରାଜ୍ୟ କଂଗ୍ରେସ ଭବନରେ ଆଜି ଟିକେଟ ଆଶାୟୀଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ସ୍କ୍ରିନିଂ କମିଟିକୁ ମନେଇବା ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ ।

ଟିକେଟ ପାଇଁ ଗହଳି । କଂଗ୍ରେସ ମୁଖିଆଙ୍କୁ ମନେଇବା ପାଇଁ ଭିଡ । ୨୦୧୯ ବିଧାନସଭା ନିର୍ବାଚନରେ ଟିକେଟ ହାତେଇବା ପାଇଁ ଟିକେଟ ଆଶାୟୀମାନଙ୍କର ଏହିପରି ଭିଡ ଦେଖିବାକୁ ମିଳିଥିଲା ରାଜ୍ୟ କଂଗ୍ରେସ ଭବନରେ । ଜଣଙ୍କ ପରେ ଜଣେ ଟିକେଟ ଆଶାୟୀ ସ୍କ୍୍ରିନିଂ କମିଟି ଅଧ୍ୟକ୍ଷଙ୍କୁ ଭେଟିଥିଲେ । ନିଜର ସାଂଗଠନିକ ସ୍ଥିତି ସମ୍ପର୍କରେ ଟିକିନିଖି ତଥ୍ୟ ଦେଉଥିଲେ । ଆଉ କମିଟିର ଭରସା ଜିତିବା ପାଇଁ ଚାଲିଥିଲା ଭରପୁର ପ୍ରୟାସ । ଆଶାୟୀଙ୍କ ମଧ୍ୟରେ ପୁରୀ ଜିଲ୍ଲାରୁ ଥିଲେ ସର୍ବାଧିକ ୧୦ଜଣ ଆଶାୟୀ ପ୍ରାର୍ଥୀ । ସେହିପରି ପିପିଲି ନିର୍ବାଚନ ମଣ୍ଡଳୀରୁ ଥିଲେ ୩ଜଣ ଟିକେଟ ଆଶାୟୀ । ଏହାସହ ଜଗତସିଂହପୁରରୁ ଥିଲା ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ଲାଇନ । ପାରାଦୀପ ଆସନରୁ ବାପି ସର୍ଖେଲ, ନିମାପଡାରୁ ବିଶ୍ୱରଂଜନ ଦାସ ଟିକେଟ ପାଇବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏତେ ସବୁ ଆଶାୟୀ ପ୍ରାର୍ଥୀ ଥିବା ବେଳେ କେଉଁ ଆଧାରରେ ପ୍ରାର୍ଥୀ ଚୟନ ହେବ ତାହା ହିଁ ଏବେ ମୂଳ ପ୍ରଶ୍ନ ହୋଇଛି । ଅନ୍ୟପକ୍ଷରେ ନିରଞ୍ଜନ କହିଛନ୍ତି ଆଶାଠାରୁ ଅଧିକ ଦରଖାସ୍ତ ଦେଇଛନ୍ତି । ହଠାତ ଦରଖାସ୍ତ ସଂଖ୍ୟା ବଢିଛି । ଦଳ ଉପରେ ଲୋକଙ୍କ ଭରସା ବଢିଛି । ତେବେ ଟିକେଟ ଦେବା ସମୟରେ ମହିଳାଙ୍କୁ ଗୁରୁତ୍ୱ ଦିଆଯିବା ସହିତ ମୁଖ୍ୟ ଫ୍ୟାକ୍ଟର ରହିବ ୱିନେବିଲିଟି ଅର୍ଥାତ ଯାହାର ଜିତିବାର ସମ୍ଭାବନା ଅଧିକ ଥିବ । ତେବେ ଅପେକ୍ଷାକୃତ ଭାବେ ନୂଆ ମୁହଁଙ୍କୁ ସୁଯୋଗ ମିଳିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଟିକେଟ ଆଶାୟୀମାନେ ଟିକେଟ ଖଣ୍ଡେ ପାଇବା ପାଇଁ ନିଜସ୍ୱ ରଣକୌଶଳ ଆପଣେଉଥିବା ବେଳେ ଦେଖିବାର କଥା କଂଗ୍ରେସ ହାଇକମାଂଡ କାହା ଉପରେ ଭରସା କରୁଛନ୍ତି ।

ଆଉ ଏସବୁ ଭିତରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କଂଗ୍ରେସ ସମର୍ଥନରେ କେନ୍ଦ୍ରାପଡା ଆସନରୁ ଲଢିବା ନେଇ ଚର୍ଚ୍ଚା ହେଉଛି ।ଶୁଣିବାକୁ ମିଳିୁଥିଲା ବୈଜୟନ୍ତ ବିଜେପିରେ ଯୋଗ ଦେଇପାରନ୍ତି । ତେବେ ବୈଜୟନ୍ତଙ୍କ ପାଇଁ ବିଜେପି ଦ୍ୱାର ବନ୍ଦ ହୋଇଯାଇଥିବା ବେଳେ ଏବେ କଂଗ୍ରେସ କ୍ୟାମ୍ପରେ ରହିବା ନେଇ ଆଲୋଚନା ହେଉଛି । ବୈଜୟନ୍ତ କେନ୍ଦ୍ରାପଡା ଆସନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଠିଆ ହୋଇ କଂଗ୍ରେସ ସମର୍ଥନରେ ନିର୍ବାଚନ ବୈଚରଣୀ ପାର ହେବାପାଇଁ ଚେଷ୍ଟା କରୁଛନ୍ତି । ଅନ୍ୟପଟେ କେନ୍ଦ୍ରାପଡା ବିଧାନସଭା ଆସନରେ କଂଗ୍ରେସର ସ୍ଥିତି ସେତେଟା ଭଲ ନାହିଁ । ତେଣୁ କଂଗ୍ରେସ ପାଇଁ ମଧ୍ୟ ବୈଜୟନ୍ତ ଭରସା ଭାବେ ଉଭା ହୋଇଛନ୍ତି । ତେଣୁ କଂଗ୍ରେସ ମଧ୍ୟ ବୈଜୟନ୍ତଙ୍କୁ ସମର୍ଥନ କରିବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଉଛି ।

ସେପଟେ ସିପିଆଇ ଏବଂ ସିପିଆଇଏମ ସହ ସିଟ ବୁଝାମଣା ନେଇ କଂଗ୍ରେସ ବିଚାର କରୁଛି । ସିପିଆଇ ନେତା ଆସନ୍ତା ୧୬ ତାରିଖରେ ଓଡିଶା ଆସି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବେ । ତେବେ ୨ଟି ଲୋକସଭା ଆସକା, ଜଗତସିଂହପୁର ଓ ୧୨ଟି ବିଧାନସଭା ଆସନରେ ସିପିଆଇ କଂଗ୍ରେସ ସହ ମେଂଟ କରିବାକୁ ଚାହୁଁଥିବା ବେଳେ ସିପିଆଇଏମ ଭୁବନେଶ୍ୱର ଲୋକସଭା ଏବଂ ୭ଟି ବିଧାନସଭା ଆସନରେ ମେଂଟ ପାଇଁ ଆଶା ରଖିଛି । ଏହିମାସ ଶେଷ ସୁଦ୍ଧା ଏନେଇ ଚୁଡାନ୍ତ ନିଷ୍ପତି ନିଆଯିବ ।