ଜମ୍ମୁରେ ଓଡ଼ିଆ ଅଫିସରଙ୍କ ଦବଙ୍ଗଗିରି! ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ଆତଙ୍କ ସାଜିଛନ୍ତି ବସନ୍ତ, ନାଁ ଶୁଣିଲେ ଛାତିରେ ପଶୁଛି ଛନକା । ପବ୍ଲିକଙ୍କ ପାଇଁ ସିଙ୍ଘମ ସାଜିଛନ୍ତି ବସନ୍ତ

85

କନକ ବ୍ୟୁରୋ : ଜମ୍ମୁରେ ଦବଙ୍ଗଗିରି ଦେଖାଇଲେ ଓଡ଼ିଆ ପୁଅ । ଯେଉଁଠି ପୋଲିସ ଉପରେ ଇଟାପଥର ବର୍ଷା ହୁଏ ସେଠାରେ ଦମ ଦେଖାଇଛନ୍ତି ଓଡ଼ିଆ ଆଇପିଏସ ଅଫିସର ବସନ୍ତ ରଥ । ଏମେ ଜମ୍ମୁ ରାସ୍ତାରେ ଯାଉଥିବା ଲୋକ ବସନ୍ତଙ୍କ ନାଁ ଶୁଣିବା କ୍ଷଣି ନିଜକୁ ଥରେ ପରଖି ନିଅନ୍ତି । ଖାସକରି ଗାଡି ଚାଳକ ମାନେ ବସନ୍ତଙ୍କ ନାଁ ଶୁଣିବା ପରେ ସର୍ତକ ହୋଇଯାଆନ୍ତି । କାରଣ ନିୟମ ଟ୍ରାଫିକ ନିୟମ ଭାଙ୍ଗୁଥିବା ଲୋକଙ୍କ ପାଇଁ ବସନ୍ତ ପାଲଟି ଯାଇଛନ୍ତି ଦବଙ୍ଗ ଅଫିସର । ପବ୍ଲିକଠାରୁ ଆରମ୍ଭ କରି ପୋଲିସ ଓ ପ୍ରଶାସନକୁ ପାଣି ପିଆଉଥିବା ଏହି ଅଧିକାରୀ ହେଉଛନ୍ତି ଜମ୍ମୁର ଟ୍ରାଫିକ ଆଇଜି ବସନ୍ତ ରଥ । ଟ୍ରାଫିକ ନିୟମ ମାନୁନଥିବା ଲୋକଙ୍କ ପାଇଁ ଅନ ଦ ସ୍ପଟ ଫଇସଲା କରୁଛନ୍ତି ବସନ୍ତ । ଆଉ ବସନ୍ତଙ୍କ ଏହି ସିଙ୍ଘମ ଷ୍ଟାଇଲ ପାଇଁ ଜମ୍ମୁବାସୀ ତାଙ୍କୁ ଖୁବ ପ୍ରଂଶସା କରୁଛନ୍ତି ।

୨୦୦୦ ମସିହାର ଆଇପିଏସ ଅଫିସର ବସନ୍ତ ରଥ । ଓଡ଼ିଶାରେ ଜନ୍ମ ଗ୍ରହଣ କରିଥିବା ବସନ୍ତ ଏବେ ଜମ୍ମୁ-କାଶ୍ମୀରର ଟ୍ରାଫିକ ଆଇଜି । ଦୁଇ ସପ୍ତାହ ତଳେ ଓଡ଼ିଶା କ୍ୟାଡରର ଏହି ବରିଷ୍ଠ ଆଇପିଏସ ଅଧିକାରୀ ଜମ୍ମୁ-କାଶ୍ମୀରର ଟ୍ରାଫିକ ଆଇଜି ଭାବେ ନିଯୁକ୍ତି ପାଇଛନ୍ତି । କିନ୍ତୁ ଦୁଇ ସପ୍ତାହ ମଧ୍ୟରେ ଜମ୍ମୁ –କାଶ୍ମୀରର ଟ୍ରାଫିକ ବ୍ୟବସ୍ଥାରେ ଯେଉଁଭଳି ଭାବେ ପରିବର୍ତ୍ତନ ଆସିଛି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଟ୍ରାଫିକ ନିୟମ ଭାଙ୍ଗୁଥିବା କୌଣସି ବ୍ୟକ୍ତିଙ୍କୁ ଛାଡୁନାହାନ୍ତି ବସନ୍ତ । ସେ ପୋଲିସ ହୁଅନ୍ତୁ ଅବା ପବ୍ଲିକ । ଟ୍ରାଫିକ ନିୟମ ଭାଙ୍ଗିଲା ମାତ୍ରେ ଅନ ଦ ସ୍ପଟ ଫଇସଲା କରୁଛନ୍ତି ବସନ୍ତ । ଏପରିକି କିଛିଦିନ ପୂର୍ବେ ଜମ୍ମୁ ଅଞ୍ଚଳରେ ଏକ ପୁଲିସ ଗାଡିକୁ ସିଜ କରିଥିଲେ ଦବଙ୍ଗ ଅଫିସର ବସନ୍ତ । ବିନା ରେଜିଷ୍ଟ୍ରେସନ ନମ୍ବରରେ ଏହି ଗାଡି ଯାଉଥିବାରୁ ଏହାକୁ ସିଜ କରିଥିଲେ ବସନ୍ତ । ତେଣୁ ବସନ୍ତଙ୍କ ନାଁ ଶୁଣିବା ମାତ୍ରେ ଏବେ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଛାତିରେ ଛନକା ପଶୁଛି ।

ଏସବୁ ଭିତରେ ତାଙ୍କର ସରଳପଣିଆ ମଧ୍ୟ ଜମ୍ମୁ-କାଶ୍ମୀରବାସୀଙ୍କୁ ବେଶ ପସନ୍ଦ ଆସିଛି । ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ପାଇଁ ବସନ୍ତ ଯେମିତି ଏକ ଆତଙ୍କ । କିନ୍ତୁ ମଝିରେ ମଝିରେ ରବିନହୁଡ ଭୂମିକାରେ ନଜର ଆସନ୍ତି । ଛୋଟ ଛୋଟ ପିଲାଙ୍କୁ ଚକଲେଟ ଦେଇ ଟ୍ରାଫିକ ନିୟମ ଶିଖାଇଥାନ୍ତି ବସନ୍ତ । ଆଉ ଏଥିପାଇଁ ବେଶ ପ୍ରଂଶସା ସାଉଁଟିଛନ୍ତି ଏହି ଦବଙ୍ଗ ଅଫିସର । ଉପରକୁ ବସନ୍ତ ଯେତିକି ରାଗୀ ଦେଖାଯାଇଥାନ୍ତି ସେତିକି ମଜାଳିଆ ମଧ୍ୟ । ନିଜ ସାଥୀ ଟ୍ରାଫିକ ପୋଲିସଙ୍କୁ ମଜା ଛଳରେ କୁହନ୍ତି କି ମୋର ତ ମୁଣ୍ଡରେ ବାଳ ନାହିଁ କିନ୍ତୁ ତୁମେମାନେ ମୋ ନାକ କାଟିବନି । ନାକ ଥରେ କଟିଗଲେ ମା’ ରାଗିବେ ବୋଲି ମଜାଳିଆ ଢଙ୍ଗରେ କୁହନ୍ତି । ଆଉ ଏହି ଅନ୍ଦାଜ ପାଇଁ ବସନ୍ତ ଯେଉଁଠି ବି ପହଞ୍ଚିଯାଆନ୍ତି ସେଠାରେ ଲୋକଙ୍କ ଭିଡ ଜମିଥାଏ ଓ ସେଲଫି ନେବା ପାଇଁ ପ୍ରତିଯୋଗିତା ହୋଇଥାଏ ।

ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ ବସନ୍ତ । ଫେସବୁକ ହେଉ ଅବା ଟ୍ୱିଟର ସବୁଥିରେ ଟ୍ରାଫିକ ସଚେତନତା ନେଇ ବାର୍ତ୍ତା ଦେଇଥାନ୍ତି ବସନ୍ତ । ଏପରିକି ଟ୍ୱିଟର ପେଜରେ ଟ୍ରାଫିକ ନିୟମ ମାନିବାକୁ ପୋଲିସ ଅଧିକାରୀଙ୍କୁ ତାଗିଦ କରିଛନ୍ତି । ନହେଲେ ସେମାନଙ୍କୁ ବରବାଦ କରିଦେବା ଲାଗି ଚେତାବନୀ ମଧ୍ୟ ଦେଇଛନ୍ତି ।ତେବେ ଏହି ଦବଙ୍ଗ ପୋଲିସ ଅଫିସରକଙ୍କ କାର୍ଯ୍ୟକଳାପ ଏବେ ଜମ୍ମୁରେ ପୋଲିସ ଓ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଯେଉଁଥିପାଇଁ ତାଙ୍କୁ ତାଗିଦ କରି ଚିଠି ଲେଖିଛନ୍ତି ପୋଲିସ ଡିଜି । ବିନା ୟୁନିଫର୍ମରେ ପବ୍ଲିକ ପ୍ଲେସରେ ଟ୍ରଫିକ ନିୟମ ମାନୁନଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଆପତି କରାଯାଇଛି । ସୋସିଆଲ ମିଡିଆରେ ତାଙ୍କ ଲେଖା ଓ ଭିଡିଓକୁ ନେଇ ମଧ୍ୟ ଆପତି କରାଯାଇଛି । ଲୋକଙ୍କୁ ଅପଶବ୍ଦ ପ୍ରୟୋଗ କରିବା କିମ୍ବା ବାଡାବାଡି କରିବାରୁ କ୍ଷାନ୍ତ ରହିବା ପାଇଁ ତାଗିଦ କରାଯାଇଛି ।