ଏଆଇଏଡିଏମକେରେ ବିଦ୍ରୋହ ! ସରକାରରୁ ସମର୍ଥନ ପ୍ରତ୍ୟାହାର ନେଇ ରାଜ୍ୟପାଳଙ୍କୁ ଭେଟିଲେ ୧୯ ବିଧାୟକ

32

କନକ ବ୍ୟୁରୋ: ଇପିଏସ୍ ଓ ଓପିଏସ୍ ଗୋଷ୍ଠୀର ମିଶ୍ରଣ ପରେ ତାମିଲନାଡୁ ରାଜନୀତିରେ ନୂଆ ମୋଡ଼ ନେଇଛି । ଦଳର ସାଧାରଣ ସଂପାଦକ ଶଶିକଳା ଓ ଉପ ସାଧାରଣ ସଂପାଦକ ଟିଟିଭି ଦିନାକରଣଙ୍କୁ ହଟାଇବାକୁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ଏଆଇଏଡିଏମକେରେ ବିଦ୍ରୋହ ପରିସ୍ଥିତି ସୃଷ୍ଟି ହୋଇଛି । ଦିନାକରଣ ଗୋଷ୍ଠୀର ୧୯ ବିଧାୟକ ଗତକାଲି ସକାଳେ ରାଜ୍ୟପାଳ ସି ବିଦ୍ୟାସାଗର ରାଓଙ୍କୁ ଭେଟି ଇପିଏସ୍ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ଜଣାଇଛନ୍ତି । ବିଧାୟକମାନେ ଅଲଗା ଅଲଗା ପତ୍ର ଲେଖି ରାଜ୍ୟପାଳଙ୍କୁ ଭେଟିଥିଲେ ।

ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ସେମାନଙ୍କ ସହ ଓ ତାମିଲନାଡୁର ଜନତାଙ୍କ ସହ ବିଶ୍ୱାସ ଭଙ୍ଗ କରିଥିବାରୁ ସେମାନେ ସମର୍ଥନ ପ୍ରତ୍ୟାହାର କରୁଥିବା ଜଣାଇଛନ୍ତି । ଏହା ସହ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ସାମ୍ବିଧାନିକ ପ୍ରକ୍ରିୟାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ସେମାନଙ୍କ ସମର୍ଥନ ପ୍ରତ୍ୟାହାର ପରେ ସରକାର ପାଖରେ ଆବଶ୍ୟକ ସଂଖ୍ୟାଗରିଷ୍ଠତା ନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ହଟାଇବାକୁ ଦାବି କରିଛନ୍ତି । ୨୦୧୭ ମାର୍ଚ୍ଚରେ ପାଲାନୀସ୍ୱାମୀ ରାଜ୍ୟର ସ୍ୱାର୍ଥ ପାଇଁ କାମ କରିବାକୁ ଚିନ୍ତା କରି ୧୨୨ଜଣ ବିଧାୟକ ତାଙ୍କୁ ସମର୍ଥନ ପ୍ରଦାନ କରିଥିଲେ ।

କିନ୍ତୁ ଧୀରେ ଧୀରେ ସରକାରଙ୍କ କାର୍ଯ୍ୟଶୈଳୀ ପରିବର୍ତ୍ତନ ହେବା ସହ କ୍ଷମତାର ଦୁରୂପଯୋଗ କରାଯାଇଥିଲା ।ତେବେ ପକ୍ଷପାତ, ସରକାରୀ ବ୍ୟବସ୍ଥାର ଅପବ୍ୟବହାର, ଦୁର୍ନୀତି ଆଦି ଅଭିଯୋଗ ସାମନାକୁ ଆସିବାକୁ ଲାଗିଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଜଣେ ଦକ୍ଷ ମୁଖ୍ୟମନ୍ତ୍ରୀ ଭାବେ ଇପିଏସ୍ ନିଜ କର୍ତ୍ତବ୍ୟ ସଂପାଦନ କରିବେ ବୋଲି ବିଧାୟକମାନେ ଆଶା ରଖିଥିବା ରାଜ୍ୟପାଳଙ୍କୁ ଜଣାଇଥିଲେ । ମାତ୍ର ସେ ସେମାନଙ୍କ ଭରସା ରଖିବାରେ ସଫଳ ହୋଇପାରିନାହାନ୍ତି ବୋଲି ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ନିରପେକ୍ଷ ହେବା ଜରୁରୀ ବୋଲି ସେମାନେ ରାଜ୍ୟପାଳଙ୍କୁ ଜଣାଇଛନ୍ତି ।

ରାଜ୍ୟପାଳଙ୍କୁ ଭେଟିବା ପରେ ଦିନାକରଣ ଗୋଷ୍ଠୀର ୧୭ଜଣ ବିଧାୟକଙ୍କୁ ପୁଡୁଚେରୀର ଏକ ରିସୋର୍ଟକୁ ସ୍ଥାନାନ୍ତର କରାଯାଇଛି । ଦିନାକରଣଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଭେଟ୍ରିଭେଲ ଓ ଏସ୍ ବାଲାଜୀ ଚେନ୍ନାଇରେ ରହିଥିବା ଜଣାପଡ଼ିଛି । ଏହା ପରେ ଶଶିକଳା ଅଧ୍ୟାୟର ପୁନରାବୃତ୍ତି ଘଟିଥିବା କୁହାଯାଇଛି । ସେହିପରି ୧୦ରୁ ଅଧିକ ବିଧାୟକ ତାଙ୍କ ଗୋଷ୍ଠୀରେ ଯୋଗ ଦେବାକୁ ଯାଉଥିବା ଦିନାକରଣ କହିଛନ୍ତି । ସେପଟେ ଏଆଇଏଡିଏମକେରେ ବିବାଦ ପରେ ଡିଏମକେ କାର୍ଯ୍ୟକାରୀ ଅଧ୍ୟକ୍ଷ ଏମକେ ଷ୍ଟାଲିନ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ କରାଇବାକୁ ରାଜ୍ୟପାଳଙ୍କୁ ଦାବି ଜଣାଇଛନ୍ତି ।

ତେବେ ଦୁଇଗୋଷ୍ଠୀର ମିଶ୍ରଣ ପରେ ୨୩୪ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏଆଇଏଡିଏମକେ ବିଧାୟକଙ୍କ ସଂଖ୍ୟା ୧୩୪ ହୋଇଛି । ସଂଖ୍ୟା ଗରିଷ୍ଠତା ପାଇଁ ଆବଶ୍ୟକ ସଂଖ୍ୟା ୧୧୭ ରହିଥିବା ବେଳେ ୧୯ଜଣ ବିଧାୟକଙ୍କ ବିଦ୍ରୋହ ଫଳରେ ସରକାର ପ୍ରତି ବିପଦ ସୃଷ୍ଟି ହେବ ବୋଲି କୁହାଯାଇଛି । ସେପଟେ ଅବିଶ୍ୱାସ ପ୍ରସ୍ତାବ ଉଠାଇ ଦିନାକରଣ ଗୋଷ୍ଠୀର ୧୯ ଜଣ ବିଧାୟକ ଦଳ ବଦଳ ଆଇନରେ ନିଜର ସଦସ୍ୟତା ହରାଇ ସରକାରଙ୍କ ବିରୋଧରେ ମତଦାନ କଲେ ମଧ୍ୟ ସରକାର ପ୍ରତି ବିପଦ ସୃଷ୍ଟି ହେବ । ତେବେ ଏପ୍ରିଲ ମାସରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ହୋଇଥିବାରୁ ପରବର୍ତ୍ତୀ ସଂଖ୍ୟାଗରିଷ୍ଠତା ପ୍ରମାଣ ଅକ୍ଟୋବର ପରେ ହେବ।