ଡାକ ବିଭାଗର ନୂଆ ସ୍କିମ , ଗ୍ରାହକଙ୍କୁ ପ୍ରତି ମାସରେ ମିଳିବ ଟଙ୍କା ! ବାସ ଗ୍ରାହକଙ୍କୁ କରିବାକୁ ପଡିବ ଛୋଟିଆ କାମ

125

ସାଧାରଣତଃ ଲୋକମାନେ ଭବିଷ୍ୟତ ପାଇଁ ପୋଷ୍ଟ ଅଫିସ, ବ୍ୟାଙ୍କ ଓ ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀରେ ଟଙ୍କା ଜମା ରଖିଥାନ୍ତି । ଯାହାର ଫାଇଦା ଜମାକାରୀଙ୍କୁ ଭବିଷ୍ୟତରେ ମିଳିଥାଏ । କିନ୍ତୁ ଏବେ ଭାରତୀୟ ଡାକ ବିଭାଗ ଏକ ନୂଆ ଯୋଜନା ଆରମ୍ଭ କରିଛି । ଯେଉଁ ସ୍କିମରେ ଜମାକାରୀ ପ୍ରତିମାସରେ ଜମା କରିଥିବା ଟଙ୍କାରୁ ଆୟ କରିପାରିବେ । ଜାଣନ୍ତୁ ଏହି ସ୍କିମ ବିଷୟରେ ପୂରା ତଥ୍ୟ ।ଭାରତୀୟ ଡାକ ବିଭାଗ ମାସିକ ନିବେଶ ସ୍କିମ ବା ଏମଆଇଏସ ନାଁରେ ଏକ ନୂଆ ସ୍କିମ ଆରମ୍ଭ କରିଛି । ଏହି ନୂଆ ସ୍କିମ ଅନୁଯାୟୀ ଯଦି ଜମାକରୀ ଗୋଟିଏ ଥର ଟଙ୍କା ଜମା କରନ୍ତି ତେବେ ପ୍ରତି ମାସରେ ଏହାର ଫାଇଦା ଉଠାଇ ପାରିବେ ।

କିପରି ଖୋଲିବେ ଆକାଉଣ୍ଟ : ପୋଷ୍ଟ ଅଫିସର ଏହି ନୂଆ ସ୍କିମ ଅନୁଯାୟୀ, ଯେକୌଣସି ବ୍ୟକ୍ତି ଖାତା ଖୋଲିପାରିବେ । ସର୍ବନିମ୍ନ ୧୫୦୦ ଟଙ୍କା ଏହି ଖାତାରେ ଜମା କରିବେ । ସେହିଭଳି ସର୍ବାଧିକ ୪.୫ ଲକ୍ଷ ଟଙ୍କା ଏହି ଖାତାରେ ଜମା କରିପାରିବେ । ଏହାବାଦ ଯଦି ଜଏଣ୍ଟ ଆକାଉଣ୍ଟ ଥିବା ବ୍ୟକ୍ତି ସର୍ବାଧିକ ୯ ଲକ୍ଷ ଟଙ୍କା ଜମା କରି ପାରିବେ । ଜଣେ ବ୍ୟକ୍ତି ଏକାଧିକ ଖାତା ମଧ୍ୟ ଖୋଲି ପାରିବେ । ଏହି ଖାତାରେ ନଗଦ ଓ ଚେକ୍ ମାଧ୍ୟମରେ ଟଙ୍କା ଜମା କରିପାରିବେ ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଖାତାର ଅବଧି ୫ ବର୍ଷ ପର୍ଯ୍ୟନ୍ତ ରହିଥାଏ । ଏହି ଖାତାରେ ଜମାରାଶି ଉପରେ ବାର୍ଷିକ ୭.୩ ପ୍ରତିଶତ ହାରରେ ସୁଧ ମିଳିବ । ପ୍ରତିମାସରେ ଏହି ସୁଧ ଟଙ୍କା ଉଠାଇପାରିବେ ଜମାକାରୀ । ଏହି ଆକାଉଣ୍ଟରେ ଜମା ହୋଇଥିବା ଟଙ୍କାର ସୁଧହାର ବ୍ୟାଙ୍କର ସ୍ଥାୟୀ ଜମାରାଶି ଉପରେ ମିଳୁଥିବା ସୁଧଠାରୁ ଅଧିକ ରହିବ । ଜମାକାରୀ ଚାହିଁଲେ ପ୍ରତିମାସରେ ମିଳୁଥିବା ସୁଧକୁ ଉଠାଇ ପାରିବେ । ଏହି ସୁଧ ରାଶି ଇସିଏସ ଦ୍ୱାରା ସିଧାସଳଖ ଜମାକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ ।

ମନେ କରନ୍ତୁ ଜମାକାରୀ ଏହି ସ୍କିମରେ ଜଏଣ୍ଟ ଆକାଉଣ୍ଟ ଖୋଲିବା ସହ ସର୍ବାଧିକ ଜମାରାଶି ୯ ଲକ୍ଷ ଟଙ୍କା ନିବେଶ କରିଛନ୍ତି । ୯ ଲକ୍ଷ ଟଙ୍କା ଉପରେ ସୁଧ ହିସାବ କଲେ ବାର୍ଷିକ ୬୫୭୦୦ ଜମାକାରୀଙ୍କୁ ମିଳିବ । ଏହିଭଳି ଭାବେ ମାସକୁ ପାଖାପାଖି ୫୫୦୦ ଟଙ୍କା ଆୟ କରିପାରିବେ ଜମାକାରୀ । ଯେକୌଣସି ପୋଷ୍ଟ ଅଫିସରେ ଏହି ସ୍କିମରେ ଆକାଉଣ୍ଟ ଖୋଲି ପାରିବେ ଜମାକାରୀ । ଏଥିପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହ ୨ଟି ପାସପୋଟ ଫଟୋ ଦେବାକୁ ପଡିବ ।

ଅବଧି ପୂର୍ବରୁ ଉଠାଇପାରିବେ ଟଙ୍କା : ଏହି ସ୍କିମ ଅନୁଯାୟୀ ଖୋଲିଥିବା ଆକାଉଣ୍ଟକୁ ୧ବର୍ଷ ପୂରିବା ପରେ ମ୍ୟାଚୁରିଟି ଅବଧି ପୂର୍ବରୁ ଟଙ୍କା ଉଠାଇପାରିବେ ଜମାକାରୀ । କିନ୍ତୁ ଏଥିପାଇଁ ଜମାକାରୀଙ୍କୁ କିଛି କ୍ଷତି ସହିବାକୁ ପଡିବ । ୧ ବର୍ଷରେ ଟଙ୍କା ଉଠାଉଥିଲେ ଜମାରାଶିର ୨ ପ୍ରତିଶତ ଛାଡି ବଳକା ଅର୍ଥ ଉଠାଇପାରିବେ ଜମାକାରୀ । ଏହି ସର୍ତ୍ତ ୧ରୁ ୩ ବର୍ଷ ମଧ୍ୟରେ ଟଙ୍କା ଉଠାଉଥିଲେ ଲାଗୁ କରାଯିବ ।  ୩ ବର୍ଷ ପରେ ଟଙ୍କା ଉଠାଇଲେ ଜମାରାଶିର ୧ ପ୍ରତିଶତ ଟଙ୍କା କାଟିବା ସହ ବଳକା ଟଙ୍କା ଜମାକାରୀଙ୍କୁ ଫେରାଇବ ପୋଷ୍ଟଅଫିସ । ଏହି ସ୍କିମ ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଭାରତୀୟ ଡାକ ବିଭାଗର ଅଫିସିଆଲ ୱେବସାଇଟରେ ପାଇପାରିବେ ଜମାକାରୀ ।