ପଲଟିଲେ ସରକାର : ଗିରଫଦାରୀ ଓ ଜେଲଦଣ୍ଡ ପରେ ରାସନକାର୍ଡ ପାଇଁ ବଦଳିଗଲା ନିୟମ

64

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ପଲଟିଲେ ସରକାର । ଗିରଫଦାରୀ ଓ ଜେଲଦଣ୍ଡ ପରେ ରାସନକାର୍ଡ ପାଇଁ ବଦଳିଗଲା ନିୟମ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ବଂଟନରେ ପୁଣି ପରିବର୍ତନ ଆଣିଛନ୍ତି ରାଜ୍ୟ ସରକାର । ମାସକ ମଧ୍ୟରେ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ମିଳିବ ବୋଲି ମନ୍ତ୍ରୀ ଘୋଷଣା କରିଛନ୍ତି। ସେହିପରି ଆବେଦନ କରି ପାରିନଥିବା ବା ପୂର୍ବରୁ କାଟ ଖାଇଥିବା ଆବେଦନକାରୀ ପୁଣି ଆବେଦନ କରିପାରିବେ। ଏଥିପାଇଁ କୌଣସି ସମୟ ଧାର୍ଯ୍ୟ କରାଯାଇନାହିଁ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଭୁଲ ତଥ୍ୟ ଦେଇଥିବା ଆବେଦନକାରୀ ସେପ୍ଟେମ୍ବର ୩୦ ସୁଦ୍ଧା ପାଇଥିବା କାର୍ଡ ଫେରାଇ ଦେଲେ ତାଙ୍କୁ ଖାଉଟି ସାମଗ୍ରୀର ଅର୍ଥ ଫେରସ୍ତ ଦେବାକୁ ପଡିବ ନାହିଁ । ସେମାନଙ୍କ ବିରୋଧରେ ଫୌଜଦାରୀ ମକଦ୍ଦମା ବି ହେବ ନାହିଁ । ଏପରିକି ପୂର୍ବରୁ ଏଭଳି କାର୍ଡଧାରୀଙ୍କ ବିରୋଧରେ ହୋଇଥିବା ଫୌଜଦାରୀ ମାମଲା ହଟାଇ ନିଆଯିବ ଏବଂ ପଇଠ କରିଥିବା ଅର୍ଥ ତାଙ୍କୁ ଫେରାଇ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ଘୋଷଣା କରିଛନ୍ତି। ତେବେ ସରକାରଙ୍କ ଏହି ନିଷ୍ପତିକୁ ଏହାକୁ କଡା ସମାଲୋଚନା କରିଛନ୍ତି ବିରୋଧୀ।