ଘରୋଇ ପ୍ଲେ-ସ୍କୁଲ ଉପରେ ଲାଗିଲା ଅଙ୍କୁଶ । ନାମ ଲେଖା ପାଇଁ ସର୍ବନିମ୍ନ ୩ବର୍ଷ ଓ ସର୍ବାଧିକ ୬ବର୍ଷ ଧାର୍ଯ୍ୟ, ଖିଲାପକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ମାର୍ଗଦର୍ଶିକା ଜାରି କଲା ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ

441

କନକ ବ୍ୟୁରୋ: ଘରୋଇ ପ୍ଲେ ସ୍କୁଲ୍ ଉପରେ ଲାଗିଲା ଅଙ୍କୁଶ । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଘରୋଇ ପ୍ଲେ ସ୍କୁଲ୍ ଗୁଡ଼ିକ ପାଇଁ ନିୟମାବଳୀ ଜାରି କରାଯାଇଛି । ପ୍ଲେ ସ୍କୁଲ ଗୁଡ଼ିକରେ ଏବେଠାରୁ ୩ବର୍ଷ ବୟସରୁ କମ୍ ପିଲାଙ୍କ ନାମଲେଖା କରାଯାଇପାରିବ ନାହିଁ । ପ୍ରାକ୍ ପ୍ରାଥମିକ ପ୍ଲେ ସ୍କୁଲରେ ନାମଲେଖା ପାଇଁ ସର୍ବନିମ୍ନ ବୟସ ୩ ବର୍ଷ ଓ ସର୍ବୋଚ୍ଚ ବୟସ ୬ ବର୍ଷ ଧାର୍ଯ୍ୟ କରିଛି ଆୟୋଗ ।

ପ୍ଲେ ସ୍କୁଲ ଗୁଡ଼ିକର ଭିତିଭୂମି ଓ ପିଲାଙ୍କ ଅନୁପାତରେ କର୍ମଚାରୀଙ୍କ ସଂଖ୍ୟା ଯାଂଚ୍ କରାଯାଇ ଆୟୋଗ ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଆୟୋଗ କହିଛି । ସ୍କୁଲରେ ୨୦ ଜଣ ଶିଶୁଙ୍କ ପାଇଁ ଜଣେ ଆୟା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବ୍ୟତୀତ ପୁଷ୍ଟିକର ଖାଦ୍ୟ, ସ୍ୱଚ୍ଛତା ରକ୍ଷା, ବିଦ୍ୟାଳୟ ଚାରିପାଖେ ପାଚେରୀ, ପୁଅ-ଝିଅଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ, ଖେଳପଡ଼ିଆ, ଔଷଧ, ଓଆରଏସ୍, ଫି ରେକର୍ଡ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା ପାଇଁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ମାର୍ଗଦର୍ଶିକା ଜାରି କରିଛି ।