ଆରମ୍ଭ ହେଲା ନୂଆ ଆର୍ଥିକ ବର୍ଷ ୨୦୧୯-୨୦ ! ଲାଗୁ ହେଲା ନୂଆ ନିୟମ, ବାର୍ଷିକ ୫ଲକ୍ଷରୁ କମ ଆୟ କରୁଥିଲେ ଆଜିଠୁ ଆଉ ଦେବାକୁ ପଡିବନି ଟିକସ । 

490

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ୨୦୧୯-୨୦ ଆର୍ଥିକ ବର୍ଷ । ବର୍ଷ ଆରମ୍ଭ ହେବା ସହ ପୂର୍ବ ଘୋଷଣା ଅନୁଯାୟୀ ଆଜିଠାରୁ ଲାଗୁ ହୋଇଛି ବିଭିନ୍ନ ଆର୍ଥିକ କ୍ଷେତ୍ରରେ ନୂଆ ନିୟମ । ସେ ଆୟକର ହେଉ କି ଜିଏସଟି ପୂର୍ବରୁ ଘୋଷଣା କରାଯାଇଥିବା ନୂଆ ନିୟମ ଆଜିଠାରୁ କାର୍ଯ୍ୟକାରୀ ହୋଇଛି । ଅନ୍ୟପଟେ ଆଜିଠାରୁ ଆପଣଙ୍କ ସଂଚୟ, ଖର୍ଚ୍ଚ ଓ ନିବେଶ ଉପରେ କଡା ନଜର ରଖିବାକୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି ଆୟକର ବିଭାଗ । ତେବେ ଆର୍ଥିକ ବର୍ଷ ଆରମ୍ଭରୁ ସେୟାର ବଜାରରେ ବଡ ଧରଣର ବୃଦ୍ଧି ଦେଖିବାକୁ ମିଳିଛି । ଯାହାକି ଏକ ଶୁଭ ସଂକେତ ବୋଲି କୁହାଯାଉଛି ।

ନୂଆ ଆର୍ଥୀକ ବର୍ଷ, ନୂଆ ନିୟମ । ସ୍କାନରରେ ସଂଚୟ, ଖର୍ଚ୍ଚ ଓ ନିବେଶ । ଏପ୍ରିଲ ପହିଲା ସହ ଆରମ୍ଭ ହୋଇଛି ନୂଆ ଆର୍ଥିକ ବର୍ଷ । ଏହା ସହିତ ଟ୍ୟାକ୍ସ ଓ ବ୍ୟକ୍ତିଗତ ବତିୟ କ୍ଷେତ୍ର ସହ ଜଡିତ କେତେକ ନୂଆ ନିୟମ କାର୍ଯ୍ୟକାରୀ ହୋଇଛି । ଅନ୍ତରୀଣ ବଜେଟରେ ଘୋଷଣା କରାଯାଇଥିବା ନୂଆ ନିୟମ ଏହି ଦିନଠାରୁ ଲାଗୁ ହୋଇଛି । ଏଣିକି ସେହି ହିସାବରେ କର ଦାତା କର ଦେବେ । ବଜେଟରେ ହୋଇଥିବା ଘୋଷଣା ଅନୁଯାୟୀ ଏଣିକି ୫ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଦେବାକୁ ପଡିବନି ଆୟକର । ଏହା ଆଜିଠାରୁ ଲାଗୁ ହୋଇଛି ।

ସେହିପରି ବଜେଟରେ ଘୋଷଣା ଅନୁଯାୟୀ ଆପଣଙ୍କ ନିକଟରେ ଥିବା ଦ୍ୱିତୀୟ ଘରକୁ ଭଡା ସୂତ୍ରରେ ଦେଇ, ସେଥିରୁ ଆୟ କରୁଥିଲେ ତାହା ଉପରେ ଏଣିକି ଟିକସ ଦେବାକୁ ପଡିବ ନାହିଁ । ସେୟାର ବା ବଣ୍ଡ ଥିଲେ ତାକୁ ଡିମାଟ ନକରିବା ପର୍ଯ୍ୟନ୍ତ ଅନ୍ୟ କାହାକୁ ବିକ୍ରି କରିପାରିବେ ନାହିଁ । ଷ୍ଟାଣ୍ଡାର୍ଡ ଡିଡକସନ ପରିମାଣ ୧୦ ହଜାରରୁ ବୃଦ୍ଧି ପାଇ ୪୦ ହଜାର ହେବ । ରିଅଲ ଇଷ୍ଟେଟ ସେକ୍ଟର ପାଇଁ ଗତ ମାସରେ ଘୋଷଣା ହୋଇଥିବା ନୂଆ ଜିଏସଟି ରେଟ୍ ଲାଗୁ ହୋଇଛି ।

ତେବେ ପୂର୍ବ ଅପେକ୍ଷା ଏଣିକି ଆପଣଙ୍କ ବ୍ୟାଙ୍କ ଆକାଉଂଟ ଓ ନିବେଶ ଉପରେ ଅଧିକ ନଜର ରଖିବ ଆୟକର ବିଭାଗ । ଏଥିପାଇଁ ହଜାରେ କୋଟି ଟଙ୍କାର ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରସ୍ତୁତ କରିଛନ୍ତି ସରକାର । ଅନ୍ୟପଟେ ଆର୍ଥିକ ବର୍ଷ ଆରମ୍ଭରୁ ସେୟାର ମାର୍କେଟରେ ବଡ ଧରଣର ବୃଦ୍ଧି ପାଇଛି । କାରବାର ଆରମ୍ଭରୁ ସେନସେକ୍ସ ୩୨୦ ଅଙ୍କ ବୃଦ୍ଧି ପାଇବା ସହ ୩୯ ହଜାର ଅଙ୍କ ପାର କରିଛି ସେୟାର ମାର୍କେଟ  । ପ୍ରଥମ ଥର ପାଇଁ ସେନସେକ୍ସ ୩୯ହଜାର ଅଙ୍କ ଛୁଇଁଛି । ଗୋଟିଏ ପଟେ ଆୟକର ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ ହୋଇଛି । ଅନ୍ୟପଟେ ଲୋକଙ୍କ ଦେଣନେଣ ଉପରେ କଡା ନଜର ରଖିବ ଆୟକର ବିଭାଗ  । ତେଣୁ ଏହା ଆଗାମି ଦିନରେ ଟ୍ୟାକ୍ସ ଠକଙ୍କ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବ ।