ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ନିଟ ପରୀକ୍ଷା ପାଇଁ ନୂଆ ନିୟମ ! ଜାଣନ୍ତୁ କେଉଁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ମିଳିବନି ସୁଯୋଗ

62

କନକ ବ୍ୟୁରୋ : ମେଡିକାଲ କଲେଜଗୁଡିକର ଏମବିବିଏସ ଓ ବିଡିଏସ ପାଠ୍ୟକ୍ରମରେ ନାମଲେଖା ଲାଗି ମେ’ ୬ ତାରିଖରେ ନିଟ ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ ନିଟ ପରୀକ୍ଷା ନିୟମରେ କିଛି ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁଯାୟୀ, ଯେଉଁ ଛାତ୍ରଛାତ୍ରୀ ମାନେ ମୁକ୍ତ ବିଦ୍ୟାଳୟରୁ ଦ୍ୱାଦଶ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବେ ସେମାନେ ନିଟ ପରୀକ୍ଷା ପାଇଁ ଆବେଦନ କରିପାରିବେ ନାହିଁ । ଏହାଛଡା ୨୫ ବର୍ଷରୁ ଅଧିକ ବୟସ୍କ ଛାତ୍ରଛାତ୍ରୀ ମାନେ ନିଟ୍ ପରୀକ୍ଷାରେ ଆବେଦନ କରିପାରିବେ ନାହିଁ ।

neetକିଏ କରି ପାରିବେ ଆବେଦନ : ଦ୍ୱାଦଶ ଶ୍ରେଣୀରେ ଫିଜିକ୍ସ, କେମେଷ୍ଟ୍ରୀ, ବାୟୋଲୋଜି, ବାୟୋ-ଟେକ୍ନୋଲୋଜି ଓ ଇଂରାଜୀ ବିଷୟରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ମାନେ ନିଟ ପାଇଁ ଆବେଦନ କରିପାରିବେ । ତେବେ ଚଳିତ ଥର ନିଟ ପରୀକ୍ଷା ପାଇଁ ଆବେଦନ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଧାର କାର୍ଡ ନମ୍ବର ଦେବା ବାଧ୍ୟତାମୂଳକ କରାଯାଇଛି । ସେହିଭଳି ପ୍ରବାସୀ ଭାରତୀୟ ଛାତ୍ରଛାତ୍ରୀ ପାସପୋର୍ଟ ନମ୍ବର ଦେଇ ନିଟ ପାଇଁ ରେଜିଷ୍ଟ୍ରେସନ କରିପାରିବେ ।

ନିଟ ପରୀକ୍ଷା ଆୟୋଜନ କରୁଥିବା ସିବିଏସଇ ବୋର୍ଡର କହିବା ଅନୁଯାୟୀ, ପୂର୍ବବର୍ଷର ସିଲାବସ ଅନୁଯାୟୀ ଚଳିତ ବର୍ଷ ପରୀକ୍ଷା ଅନୁଷ୍ଠିତ ହେବ । ସିଲାବସରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ତେବେ ନିଟ-୨୦୧୮ ପରୀକ୍ଷା ପାଇଁ ଆବେଦନ କରିବାକୁ ଆଧାର କାର୍ଡର ନମ୍ବରକୁ ବାଧ୍ୟତାମୂଳକ କରାଯାଇଛି । କେବଳ ଜମ୍ମୁ-କାଶ୍ମୀର, ଆସାମ, ଓ ମେଘାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ନିଟ ପାଇଁ ସାଧାରଣ ବର୍ଗର ଛାତ୍ରଛାତ୍ରୀ ୧୪୦୦ ଟଙ୍କା ଦେଇ ଆବେଦନ କରିପାରିବେ ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀ ମାନେ ୭୫୦ ଟଙ୍କା ଦେଇ ନିଟ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ମେ ୬ ରେ ହେବାକୁ ଥିବା ନିଟ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖ ମାର୍ଚ୍ଚ ୯ ରହିଛି । ଛାତ୍ରଛାତ୍ରୀ ମାନେ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।