ଫିଟନେସ ନାହିଁ ତ ଚାକିରି ନାହିଁ ! କୋଲ ଇଣ୍ଡିଆର ଅଜବ ନିୟମ

31

ଦେଶରେ ଦିନକୁ ଦିନ ଚାକିରି ସମସ୍ୟା ବଢି ବଢି ଚାଲିଛି । ଏଭଳି ସମୟରେ ଗୋଟିଏ ଚାକିରି ପାଇବା କେତେ କଷ୍ଟ ତାହା ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ କହି ପାରିବ । ଏସବୁ ଭିତରେ କୋଲ ଇଣ୍ଡିଆରେ ଚାକିରି କରିବାକୁ ଇଚ୍ଛା କରିଥିବା ଆଶାୟୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ ହୋଇଛି । କମ୍ପାନି ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଶାରୀରିକ ଭାବେ ଫିଟ୍ ଥିବେ ସେମାନଙ୍କୁ ହିଁ କୋଲ ଇଣ୍ଡିଆରେ ଚାକିରି ମିଳିବ । ଯେଉଁମାନେ ଶାରୀରିକ ଭାବେ ଅନଫିଟ୍ ଥିବେ ସେମାନଙ୍କୁ ଚାକିରି ମିଳିବ ନାହିଁ ବୋଲି ଘୋଷଣା କରିଛି । ଆଉ ଏଥିପାଇଁ ନୂଆ ନିୟମ ସାମ୍ନାକୁ ଆଣିଛି କୋଲ ଇଣ୍ଡିଆ ।

କୋଲ ଇଣ୍ଡିଆର ନୂଆ ନିୟମ ଅନୁଯାୟୀ, ଯେଉଁ ଆଶାୟୀ ମାନେ କୋଲ ଇଚ୍ଚ୍ଡିଆରେ ଚାକରି କରିବାକୁ ଚାହୁଁଛନ୍ତି ସେମାନେ ନିଜ ଶରୀରକୁ ଫିଟ୍ ରଖିବା ଆବଶ୍ୟକ । ଅତ୍ୟଧିକ ପତଳା କିମ୍ବା ଅତ୍ୟଧିକ ମୋଟା ଓଜନର ପିଲାଙ୍କୁ ଚାକିରି ମିଳିବ ନାହିଁ ବୋଲି କୋଲ ଇଚ୍ଚ୍ଡିଆ ସ୍ପଷ୍ଟ କରିଛି । ଏପରିକି ଚାକରି କରିବା ପୂର୍ବରୁ କମ୍ପାନୀ ପକ୍ଷରୁ ଡାକ୍ତରୀ ପରୀକ୍ଷା କରାଯିବ । ଯେଉଁମାନେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେମାନେ ହିଁ ଚାକିରୀ ପାଇଁ ଯୋଗ୍ୟ ବିବେଚିତ ହେବେ ।

କଣ ଅଛି ନିୟମ :
କୋଲ ଇଣ୍ଡିଆ ପକ୍ଷରୁ ଜାରି ହୋଇଥିବା ନିୟମ ଅନୁଯାୟୀ, ଆଶାୟୀ ପ୍ରାର୍ଥୀଙ୍କ ଉଚ୍ଚତା ସର୍ବନିମ୍ନ ୧୫୯ ସେଣ୍ଟିମିଟରରୁ ଅଧିକ ହୋଇଥିବା ଆବଶ୍ୟକ । ସେହିଭଳି ଛାତିର ଚଉଡା ବିନା ଫୁଲାଇବାରେ ୭୫ ସେ.ମି ଓ ଫୁଲିବା ବେଳେ ୮୧ ସେମି ସର୍ବନିମ୍ନ ରହିବା ଆବଶ୍ୟକ । ଏହାଛଡା ବ୍ଲଡ ପ୍ରେସର ନର୍ମାଲ ରହିବା ଆବଶ୍ୟକ । ସେହିଭଳି ହାତ, ପାଦ, ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ଠିକ୍ ରହିବା ଆବଶ୍ୟକ । ଯଦି ଆଶାୟୀଙ୍କ ଫିଟନେସରେ କୌଣସି ତ୍ରୁଟି ଦେଖାଦିଏ ତେବେ ତାଙ୍କୁ ଚାକିରି ମିଳିବ ନାହିଁ । ଏପରିକି ବିକୃତ ତ୍ୱଚା, ଦିବ୍ୟାଙ୍ଗ ଆଶାୟୀଙ୍କୁ ମଧ୍ୟ ଚାକିରି ମିଳିବ ନାହିଁ ବୋଲି ସ୍ପଷ୍ଟ କରିଛି ।

କୋଲ ଇଣ୍ଡିଆର ଟ୍ରେଡ ୟୁନିୟନ ଏଭଳି ନୂଆ ନିୟମକୁ ବିରୋଧ କରିଛି । ଟ୍ରେଡ ୟୁନିୟନର କହିବା ଅନୁଯାୟୀ, ଚାକିରି କରିବା ସମସ୍ତଙ୍କର ଅଧିକାର । ତେଣୁ ଶାରୀରିକ ଅକ୍ଷମ ଥିବା ଯୋଗ୍ୟ ଆଶାୟୀଙ୍କୁ ଚାକିରିରୁ ବଞ୍ଚିତ କରିବା ଉଚିତ ନୁହେଁ । ତେବେ ନୂଆ ନିୟମରେ ଏକଥା ମଧ୍ୟ ଉଲ୍ଲେଖ ଅଛି ଯେ, ,କୋଲ ଇଣ୍ଡିଆର ଚେୟରାମ୍ୟାନ ଓ ସମସ୍ତ କୋଇଲା କମ୍ପାନିର ସିଏମଡି ବିଶେଷ ପରିସ୍ଥିତିରେ ଏହି ନିୟମରେ ପରିବର୍ତ୍ତନ ଆଣିପାରିବେ ।