ଇଞ୍ଜିନିୟରିଂ ଛାତ୍ରୀଙ୍କ କମାଲ ! ବିକଶତି କଲେ ନୂଆ ରୋବଟ, ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ସହ ନାଚ ଶିଖାଇବ “ନିନୋ”

47

ଏଣିକି ପିଲାଙ୍କୁ ପଢାଇବ ରୋବଟ । ଶିକ୍ଷା ବ୍ୟବସ୍ଥାରେ ଆସିବ ବଡ ପରିବର୍ତ୍ତନ । ବିହାରର ଇଞ୍ଜିନିୟରିଂ ଛାତ୍ରୀ ଆକାଂକ୍ଷା ଆନନ୍ଦ ଏକ ଏଭଳି ରୋବଟ ବିକଶିତ କରିଛନ୍ତି ଯାହା ପିଲାଙ୍କୁ ପାଠ ପଢାଇବାରେ ସାହାଯ୍ୟ କରିବ । ତାଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ରୋବଟ ପିଲାଙ୍କୁ ମଜାଳିଆ ଢଙ୍ଗରେ ପାଠ ପଢାଇବା ସହ ନାଚ ମଧ୍ୟ ଶିଖାଇବ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର ପାଠ ପଢାରେ ରୂଚି ବଢିବ । ଏହି ରୋବଟର ନାଁ ନିନୋ ରଖାଯାଇଛି ।

ବାଙ୍ଗାଲୋରରେ ଇଞ୍ଜିନିୟରିଂ ପାଠ ପଢିଥିବା ଆକାଂକ୍ଷା ଏବେ ସେରେନା ଟେକ୍ନେଲୋଜି ନାମକ ଏକ କମ୍ପାନିରେ କାମ କରୁଛନ୍ତି । ୨୦୧୨ ମସିହାରେ ଆକାଂକ୍ଷା ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିବା ପରେ ଦୁଇବର୍ଷ ଧରି ଆଇଟି କମ୍ପାନି ମାଇକ୍ରୋ ଚିପ ଟେକ୍ନୋଲୋଜି ସହ କାମ କରିଛନ୍ତି । ଆକାଂକ୍ଷା ପଢିବା ସମୟରେ ହଂକଂ, ଚୀନ, ତାଇୱାନ ଦେଶ ବୁଲିଥିଲେ ।ସେଠାରେ ଛୋଟ ଛୋଟ ପିଲା ରୋବଟ ତିଆରି କରିବା ସହ ଏଥିରେ ଖେଳୁଥିବାର ସେ ଦେଖିଥିଲେ । ଏଇଠୁ ହିଁ ଛାତ୍ରଛାତ୍ରୀଙ୍କ ପାଇଁ ରୋବଟ ତିଆରି କରିବାକୁ ତାଙ୍କ ମୁଣ୍ଡରେ ଆଇଡିଆ ଜୁଟିଥିଲା । ଆଉ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଦିନରାତି ଏକ କରି ଦେଇଥିଲେ ଆକାଂକ୍ଷା ।

ଆକାଂକ୍ଷାଙ୍କ ଏହି ପ୍ରୋଜେକ୍ଟ ପାଇଁ କର୍ଣ୍ଣାଟକ ସରକାର ମଧ୍ୟ ସହାୟତାର ହାତ ବଢାଇଥିଲେ । ଶେଷରେ କଠିନ ପରିଶ୍ରମ ବଳରେ ନିଜ ସ୍ୱପ୍ନକୁ ପୂରଣ କରିଛନ୍ତି ଆକାଂକ୍ଷା । ତାଙ୍କ କହିବା ଅନୁଯାୟୀ, ଗୋଟିଏ ରୋବଟ ପ୍ରସ୍ତୁତ କରିବାକୁ ୧୦ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଥାଏ । ଆଉ ଏହି ନିନୋ ରୋବଟର ଉଚ୍ଚତା ହେଉଛି ୨ ଫୁଟ । ଏହି ରୋବଟକୁ କାମ ଦେବା ମାତ୍ରେ ତୁରନ୍ତ କାମ ଆରମ୍ଭ କରିଥାଏ । ଏହାକୁ ମଣିଷର ଭଏସ କିମ୍ବା ଆପ ଦ୍ୱାରା ପରିଚାଳିତ କରାଯାଇପାରିବ ।

ନିନୋ ରୋବଟକୁ ଏବେ ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍କୁଲରେ ପହଞ୍ଚାଇବାକୁ ଆକାଂକ୍ଷା ପ୍ରୟାସ ଆରମ୍ଭ କରିଛନ୍ତି । ଏପରିକି କିଛି ସ୍କୁଲ ରୋବଟ ଦ୍ୱାରା ପଢାଇବାକୁ ପ୍ରସ୍ତୁତ ମଧ୍ୟ ହୋଇଗଲେଣି । ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ଏକ ବଡ ଧରଣର ପରିବର୍ତ୍ତନ ହେବ ।