ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡର ସମକକ୍ଷ ହେଲେ ହିଟମ୍ୟାନ୍ ରୋହିତ ଶର୍ମା ! ଛକା ମାରି କଲେ ରେକର୍ଡ, ଲିଷ୍ଟ-ଏ କ୍ରିକେଟରେ ପୂରା କଲେ ୧୦ ହଜାର ରନ

549

ନ୍ୟୁଜିଲାଣ୍ଡ ବିପକ୍ଷରେ ତୃତୀୟ ଦିନିକିଆରେ ଦମଦାର ବିଜୟ ହାସଲ କରିବା ସହ ସିରିଜ କବଜା କରିଛି ଟିମ୍ ଇଣ୍ଡିଆ । ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଆଉ ୨ଟି ମ୍ୟାଚ୍ ବାକି ଥିବା ବେଳେ ସିରିଜ ହାତେଇଛି ବିରାଟ ବାହିନୀ । ଅଷ୍ଟ୍ରେଲିଆକୁ ନିଜ ମାଟିରେ ମାତ୍ ଦେବା ପରେ କିୱି ଘରୋଇ ମାଟିରେ ପରାସ୍ତ କରି ନୂଆ ଇତିହାସ ରଚିଛି ଭାରତ । ଆଉ ଏହି ମ୍ୟାଚରେ ହିଟମ୍ୟାନ୍ ଅର୍ଦ୍ଧଶତକ ହାସଲ କରିବା ସହ ନୂଆ ରେକର୍ଡ କରିଛନ୍ତି ।

ତୃତୀୟ ଦିନିକିଆରେ ରୋହିତ ୧୯୯ ମ୍ୟାଚରୁ ୩୯ତମ ଅର୍ଦ୍ଧଶତକ ହାସଲ କରିଛନ୍ତି । ଯେଉଁଥିରେ ୩ଟି ଚୌକା ଓ ୨ଟି ବିଶାଳ ଛକା ସାମିଲ ଥିଲା । ତେବେ ନିଜ ଇନିଂସର ଦ୍ୱିତୀୟ ଛକା ମାରିବା ସହ ଟିମ୍ ଇଣ୍ଡିଆ ପକ୍ଷରୁ ସର୍ବାଧିକ ଛକା ମାରିବା ରେକର୍ଡ ନିଜ ନାଁରେ କରିଥିଲେ ରୋହିତ । ଭାରତ ପକ୍ଷରୁ ମହେନ୍ଦ୍ର ସିଂ ଧୋନି ଏବେ ପର୍ଯ୍ୟନ୍ତ ସର୍ବାଧିକ ୨୧୫ଟି ଛକା ମାରିଥିବା ବେଳେ ରୋହିତ ମଧ୍ୟ ସମାନ ସଂଖ୍ୟକ ଛକା ମାରି ରେକର୍ଡ କରିଛନ୍ତି ।

ଏହାଛଡା ରୋହିତ ଶର୍ମା ଏହି ୬୨ ରନର ଇନିଂସରେ ୨୧ ରନ କରିବା ସହ ଆଉ ଏକ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ଲିଷ୍ଟ-ଏ କ୍ରିକେଟରେ ୧୦୦୦୦ ରନ କରିବାର ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ରୋହିତ । ଏଭଳି ରେକର୍ଡ କରିବାରେ ରୋହିତ ଭାରତର ୧୦ତମ ବ୍ୟାଟସମ୍ୟାନ ପାଲଟିଛନ୍ତି । ଲିଷ୍ଟ ଏ-କ୍ରିକେଟରେ ଦିନିକିଆ ମ୍ୟାଚ୍ ସହ ଅନ୍ୟ ଅର୍ନ୍ତଜାତୀୟ ମ୍ୟାଚ୍ ଓ ଘରୋଇ ମ୍ୟାଚ୍ ମଧ୍ୟ ସାମିଲ ହୋଇଥାଏ ।