ମନଇଚ୍ଛା ଦରରେ ଔଷଧ ବିକ୍ରି କରିପାରିବେନି ଦୋକାନୀ ! ଶସ୍ତା ମୂଲ୍ୟରେ ଔଷଧ ଯୋଗାଇବାକୁ ସରକାରଙ୍କ ନୂଆ ଫର୍ମୁଲା

36

ହୁ ହୁ ହୋଇ ବଢ଼ୁଛି ଔଷଧ ଦର । ଦୋକାନୀ ମାନେ ଲୋକମାନଙ୍କୁ ମନଇଚ୍ଛା ମୂଲ୍ୟରେ ଔଷଧ ବ୍ରିକି କରୁଛନ୍ତି । କିନ୍ତୁ ଏବେ ଆଉ ଏପରି ହେବ ନାହିଁ । ଔଷଧ ଦରରେ ଅଙ୍କୁଶ ଲଗାଇବା ପାଇଁ ସରକାର ନୂଆ ଉପାୟ ଅପାଣାଇବାକୁ ଯାଉଛନ୍ତି । ଚଳିତ ମାସ ଶେଷ ହେବା ପୂର୍ବରୁ ଦେଶରେ ଔଷଧର ଦର ନିର୍ଦ୍ଧାରଣ କରୁଥିବା ପକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଣୁଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଔଷଧ ପାଇଁ ନୂଆ ପ୍ରାଇସ ଇନଡ଼େକ୍ସ ପ୍ରସ୍ତୁତ କରାଯିବ ଯାହା ଔଷଧର ମୂଲ୍ୟକୁ ନିୟନ୍ତ୍ରଣ କରିବ । ଏହି ପ୍ରାଇସ ଇନଡ଼େକ୍ସ ଦ୍ୱାରା ଦେଶରେ ବିକ୍ରି ହେଉଥିବା ସମସ୍ତ ପ୍ରକାର ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିବା ପାଇର୍ ସର୍ବନିମ୍ନ ମାପଦଣ୍ଡ ସ୍ଥିର କରାଯିବ । ଦେଶରେ ବିକ୍ରି ହେଉଥିବା ସମସ୍ତ ପ୍ରକାର ଔଷଧକୁ ଏହି ପ୍ରାଇସ ଇନଡ଼େକ୍ସରେ ସାମିଲ କରାଯିବ ।

ଏବେ ପର୍ଯ୍ୟନ୍ତ ସାଧାରଣ ଲୋକ ବ୍ୟବହାର କରୁଥିବା ଅଧିକାଂଶ ଔଷଧର ମୂଲ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି । ୮୫୦ଟି ଆବଶ୍ୟକୀୟ ଔଷଧର ମୂଲ୍ୟ ଉପରେ ସରକାରଙ୍କ ନିୟନ୍ତ୍ରଣ ରହିଛି । ଔଷଧର ମୂଲ୍ୟ ନିର୍ଦ୍ଧାରଣ କରୁଥିବା ଏନପିପିଏ ପ୍ରତିବର୍ଷ ହୋଲସେଲ ପ୍ରାଇସ ଇନଡ଼େକ୍ସ ଅନୁଯାୟୀ ଔଷଧର ମୂଲ୍ୟରେ ସଂଶୋଧନ କରିଥାଏ । ତେବେ ଅନ୍ୟ ଔଷଧ ପାଇଁ କମ୍ପାନ଼ି ମାତ୍ର ୧୦ ପ୍ରତିଶତରୁ ଅଧିକ ମୂଲ୍ୟ ବଢ଼ାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

ଏକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ପ୍ରସ୍ତାବିତ ବ୍ୟବସ୍ଥାରେ କେନ୍ଦ୍ର ସରକାର ସମସ୍ତ ଔଷଧକୁ ନୂଆ ମୂଲ୍ୟସୂଚୀ ସହ ଯୋଡ଼ିବାକୁ ଯୋଜନା କରିଛନ୍ତି । ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ସରକାରଙ୍କ ଏହି ପ୍ରସ୍ତାବ ଶେଷ ସୋପାନରେ ପହଞ୍ଚିଛି । ବିଭିନ୍ନ ଫାର୍ମାସିୟୁଟିକାଲ ବିଭାଗକୁ ଜୁନ ମାସରେ ସୂଚିତ କରାଯିବ । ଏହି ପ୍ରସ୍ତାବ ସରକାର ନୀତି ଆୟୋଗର ସିପାରିଶ ପରେ ଲାଗୁ କରିବାକୁ ଯାଉଁଛନ୍ତି । ଏହି ବ୍ୟବସ୍ଥା ଥରେ ଲାଗୁ ହେବା ପରେ ସମସ୍ତ ଔଷଧର ମୂଲ୍ୟ ନିର୍ଦ୍ଧାରଣ ସର୍ବନିମ୍ନ ମାପଦଣ୍ଡକୁ ନେଇ କରାଯିବ । ଏବେ ମୋଟ ଏକ ଲକ୍ଷ କୋଟି ଟଙ୍କାର ଫାର୍ମା ଉଦ୍ୟୋଗରୁ ମାତ୍ର ୧୭ ପ୍ରତିଶତ ଉପରେ ସରକାରଙ୍କ ସିଧାସଳଖ ନିୟନ୍ତ୍ରଣ ରହିଛି । କିନ୍ତୁ ଏହି ବ୍ୟବସ୍ଥା ଲାଗୁ ହେବା ପରେ ସରକାରଙ୍କ ନିୟନ୍ତ୍ରଣରେ ଯେଉଁ ୧୭ ପ୍ରତିଶତ ଔଷଧ ରହିଛି ତାହା ବୃଦ୍ଧି ପାଇ ୧୦୦ ପ୍ରତିଶତ ହୋଇଯିବ । କମ ଦାମରେ ଲୋକମାନେ ଔଷଧ ପାଇପାରିବେ ।