କମିସନରେଟ୍ ପୁଲିସର ନୂଆ ଯୋଜନା ‘ଆପୋସ’ : ଅପରାଧ ନିୟନ୍ତ୍ରଣ ପାଇଁ ବସ୍ତିବାସିନ୍ଦାଙ୍କ ସହ ସମ୍ପର୍କ ଯୋଡିବ ପୁଲିସ

114

କନକ ବ୍ୟୁରୋ : ରାଜଧାନୀରେ ଘଟୁଥିବା ଅଧିକାଂଶ ଅପରାଧର ବ୍ଲୁ ପ୍ରିଣ୍ଟ ବସ୍ତିରେ ପ୍ରସ୍ତୁତ ହେଉଛି। ଏହାର ପ୍ରମାଣ ପୁଲିସ ହାତରେ। କିନ୍ତୁ ବସ୍ତିରେ ପଶିବା ଏବଂ ଅପରାଧୀଙ୍କୁ ଧରିବା କମିସନରେଟ୍ ପୁଲିସ ପାଇଁ ଚାଲେଞ୍ଜ ପାଲଟିଛି। ରାଜଧାନୀରେ ଦିନକୁ ଦିନ ନୂଆ ନୂଆ ବସ୍ତି ଗଢ଼ି ଉଠୁଥିବାବେଳେ କେଉଁଠି କ’ଣ ହେଉଛି ତାର ଟେର୍ ବି ପୁଲିସ ପାଉନି। ପୁଲିସ ପାଇଁ ବସ୍ତି ଅପହଞ୍ଚ ପାଲଟିଛି। ତେଣୁ ବସ୍ତିବାସିନ୍ଦାଙ୍କ ସହ ସମ୍ପର୍କ ଯୋଡ଼ିବା, ଅପରାଧ ଓ ଅପରାଧୀଙ୍କ ସମ୍ପର୍କରେ ବସ୍ତି ବାସିନ୍ଦାଙ୍କୁ ସଚେତନ କରିବା, ବସ୍ତିର ଟିକିନିଖି ଖବର ସ୍ଥାନୀୟ ଥାନାରେ ତୁରନ୍ତ ଯେପରି ପହଞ୍ଚିବ ସେଥିପାଇଁ କମିସନରେଟ୍ ପୁଲିସ ଆରମ୍ଭ କରିବାକୁ ଯାଉଛି ନୂଆ ଯୋଜନା ‘ଆପୋସ’।

ପୁଲିସ ସହ ବସ୍ତିବାସିନ୍ଦାଙ୍କ ସମ୍ପର୍କ ଯୋଡ଼ିବା ପାଇଁ ବସ୍ତିର ଯୁବବର୍ଗଙ୍କୁ ଟାର୍ଗେଟ କରି ‘ଆପୋସ’ ଯୋଜନା ଆରମ୍ଭ ହେଉଛି। ଏଥିରେ ପ୍ରାଥମିକ ପର୍ଯ୍ୟାୟରେ କମିସନରେଟ୍ ପୁଲିସ ଅଧୀନରେ ଥିବା ୬ଟି ବସ୍ତିରେ ଏହି ଯୋଜନା ଆରମ୍ଭ ହେବ। ଏହାପରେ ରାଜଧାନୀର ସବୁ ବସ୍ତିରେ କମିସନରେଟ୍ ପୁଲିସ ଏହି ଯୋଜନା ମାଧ୍ୟମରେ ପ୍ରବେଶ କରିବ। ଏହି ଯୋଜନାରେ ବସ୍ତିର ଯୁବପିଢ଼ିଙ୍କୁ ନିଶା ସେବନ, ଅପରାଧିକ କାର୍ଯ୍ୟରୁ ଦୂରେଇ ରଖିବା, ଅପରାଧୀଙ୍କୁ ବସ୍ତିରେ ପ୍ରଶୟ ନଦେବାକୁ କମିସନରେଟ୍ ପୁଲିସ ଲକ୍ଷ୍ୟ ରଖିଛି।

କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀ ଲୋକସଂଖ୍ୟାର ୪୦ ପ୍ରତିଶତ ବସ୍ତିରେ ରହୁଛନ୍ତି। ଗତ ତିନି ଚାରି ଦଶନ୍ଧି ମଧ୍ୟରେ ରାଜଧାନୀରେ ପ୍ରାୟ ୪୦୦ରୁ ଅଧିକ ବସ୍ତି ଗଢ଼ି ଉଠିଥିବାରୁ ଏଠାରେ ସାମାଜିକ ନିୟନ୍ତ୍ରଣ ବ୍ୟବସ୍ଥା ଦୁର୍ବଳ। ଯାହାର ସୁଯୋଗ ନେଇ ଅପରାଧୀମାନେ ବସ୍ତିରେ ଆଡ୍ଡା ଜମାଉଛନ୍ତି। ଏପରିକି ବହୁ କୁଖ୍ୟାତ ଅପରାଧୀ ପୁଲିସ ନଜରରୁ ଦୂରେଇ ରହିବା ପାଇଁ ବସ୍ତିକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଉଛନ୍ତି। କେବଳ ଏତିକି ନୁହେଁ ରାଜଧାନୀରେ ଏବେ ବ୍ରାଉନସୁଗାର, ଚୋରା ମଦ, ଗଞ୍ଜେଇ କାରବାର ବଢ଼ି ଚାଲିଥିବାବେଳେ ଏହା ବସ୍ତିରୁ ହିଁ ନିୟନ୍ତ୍ରଣ ହେଉଛି। ପୁଲିସ ଖବର ପାଇ ବସ୍ତିରେ ଚଢ଼ଉ କରୁଥିଲେ ହେଁ ବସ୍ତି ବାସିନ୍ଦାଙ୍କ ଅସହଯୋଗ ଓ ବସ୍ତିରେ ପୁଲିସର ଅପହଞ୍ଚର ସୁଯୋଗ ନେଇ ଏହି ଅପରାଧୀମାନେ ସହଜରେ ଖସି ଯାଉଛନ୍ତି। ଏପରିକି ବସ୍ତିରେ ବିଭିନ୍ନ ଅଞ୍ଚଳରୁ ଲୋକ ଆସି ରହୁଥିବାରୁ ସେମାନଙ୍କ ମଧ୍ୟରେ ସାମାଜିକ ସମ୍ପର୍କ ରହୁନି। ଯାହା ବସ୍ତିରେ ଘଟୁଥିବା ଅପରାଧ ଓ ଅପରାଧିକ କାର୍ଯ୍ୟକଳାପକୁ ଅଧିକ ପ୍ରୋତ୍ସାହିତ କରୁଛି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, “ବସ୍ତିରେ ପୁଲିସ ପଶିବା ଏବଂ କିଏ ଆସୁଛି, ଯାଉଛି ତା’ର ଖବର ରଖିବା ସମ୍ଭବପର ହେଉନି। ବସ୍ତିବାସିନ୍ଦା ପୁଲିସକୁ ଭୟ କରୁଥିବାରୁ ସୂଚନା ବି ଦେଉନାହାନ୍ତି। ବସ୍ତିରେ ବହୁ ନିରୀହ ଲୋକ ରହୁଥିବାରୁ ସେମାନେ ବି ଏହି ଅପରାଧୀଙ୍କ ଭୟରେ ମୁହଁ ଖୋଲୁନାହାନ୍ତି। ପୁଲିସ ସେମାନଙ୍କ ପାଖରେ ପହଞ୍ଚିଲେ, ସେମାନଙ୍କ ସହିତ ପୁଲିସ ଅଛି ବୋଲି ସେମାନେ ଅନୁଭବ କଲେ ହିଁ ପୁଲିସକୁ ସୂଚନା ଦେବେ। ତେଣୁ ‘ଆପୋସ’ ମାଧ୍ୟମରେ ଆମେ ସମ୍ପର୍କ ଯୋଡ଼ିବୁ। ପୁଲିସକୁ ଶତ୍ରୁ ନଭାବି ମିତ୍ର ଭାବିବାର ମନୋଭାବ ସୃଷ୍ଟି କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ।“

ପୁଲିସ କମିସନର ସତ୍ୟଜିତ ମହାନ୍ତି କହିଛନ୍ତି ଯେ, ବସ୍ତି ସୁରକ୍ଷିତ ହେଲେ ସହର ସୁରକ୍ଷିତ ରହିବ। ବସ୍ତିବାସିନ୍ଦା ପୁଲିସକୁ ବିଶ୍ୱାସକୁ ନେଉନାହାନ୍ତି ଓ ସନ୍ଦେହ ଚକ୍ଷୁରେ ଦେଖୁଛନ୍ତି। ନିଜର ସୁରକ୍ଷା ପ୍ରତି ବସ୍ତିବାସିନ୍ଦା ଯତ୍ନବାନ ଥିଲେ ମଧ୍ୟ ପୁଲିସକୁ ସୂଚନା ଦିଅନ୍ତି ନାହିଁ। ବସ୍ତିର ଯୁବପିଢ଼ି ଅପରାଧରେ ଲିପ୍ତ ହେଉଥିବା ବେଳେ ବସ୍ତିରେ ଚାଲୁଥିବା ଅପରାଧିକ କାର୍ଯ୍ୟକଳାପ ନେଇ ପୁଲିସ ପାଖରେ ଖବର ପହଞ୍ଚୁନି। ତେଣୁ ଯୁବପିଢ଼ିଙ୍କୁ ଟାର୍ଗେଟ କରି ‘ଅଲ୍ ରାଉଣ୍ଡ ପ୍ରମୋସନ ଅଫ୍ ସ୍ପୋର୍ଟସ ଇନ୍ ସ୍ଲମସ୍ ଆଣ୍ଡ ୟଙ୍ଗ୍ ଆଣ୍ଡ ଜୁଭେନାଇଲସ ଏଗେନଷ୍ଟ ନାର୍କୋଟିକ୍ ଆବ୍ୟୁଜ୍ (ଆପୋସ) ଯୋଜନା ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିରେ ଯୁବପିଢ଼ିଙ୍କୁ ବିଭିନ୍ନ ଖେଳ ସହ ଯୋଡ଼ାଯିବ। ଭଲିବଲ୍ ଓ ଫୁଟବଲ୍ ଖେଳ ସାହି ସାହିରେ ଆୟୋଜନ ହେବ। ବସ୍ତି-ବସ୍ତି ମଧ୍ୟରେ ନିୟମିତ ପ୍ରତିଯୋଗିତା ଆୟୋଜନ କରାଯିବ। ଏଥିପାଇଁ ଆବଶ୍ୟକୀୟ ଖେଳ ସରଞ୍ଜାମ ସହ ଖେଳ ପଡ଼ିଆ ମଧ୍ୟ ଯୋଗାଇ ଦିଆଯିବ। ଖେଳକୁ ଏକ ମାଧ୍ୟମ କରି ସେମାନଙ୍କ ମଧ୍ୟରେ ଦାୟିତ୍ୱବୋଧତା ସୃଷ୍ଟି କରିବା ନିମନ୍ତେ ଏହି ଅଭିନବ ପ୍ରୟାସ। ଏଥିରେ ସେମାନଙ୍କର ପୁଲିସ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ଆସିବା ସହ ପୁଲିସ ବି ସେମାନଙ୍କ ବିଶ୍ୱାସଭାଜନ ହୋଇପାରିବ।

ଏହି ଯୋଜନାକୁ ସଫଳ କରିବା ପାଇଁ ବିଏମସି, କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ଓ ନଗର ଉନ୍ନୟନ ବିଭାଗକୁ ସାମିଲ କରାଯାଇଛି। ଏଭଳି ଖେଳକୁଦରେ ଯୁବପିଢ଼ି ରହିଲେ ଅନ୍ୟ ଅପରାଧିକ କାର୍ଯ୍ୟରୁ ନିବୃତ୍ତ ରହିବେ। ଏହାସହ ପୁଲିସ ସହ ୨୪ ଘଣ୍ଟା ଯୋଡ଼ି ହୋଇ ରହିଲେ ପୁଲିସ ପ୍ରତି ବିଶ୍ବସନୀୟତା ବୃଦ୍ଧି ପାଇବ। ସେମାନେ ସାମାଜିକ ଦାୟିତ୍ୱବୋଧତା ବୁଝି ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସକୁ ସହଯୋଗର ହାତ ବଢ଼ାଇବେ। ଏଭଳି କାର୍ଯ୍ୟକ୍ରମ ୨ରୁ ୩ ବର୍ଷ ଚାଲିଲେ ଅପରାଧ ନିୟନ୍ତ୍ରଣ ସହଜ ହେବ ବୋଲି ସେ କହିଛନ୍ତି।