ବିଜେପିର ନୂଆ ପ୍ଲାନ ! ଆଗାମୀ ୫୦ ବର୍ଷ ପାଇଁ ଶାସନ କ୍ଷମତାରେ ରହିବାକୁ ଯୋଜନା ପ୍ରସ୍ତୁତି କରୁଛି ସଂଘ ଓ ଦଳ !

584

ବିଜେପିର ନୂଆ ପ୍ଲାନ । କ୍ଷମତାରେ ଦୀର୍ଘ ୫୦ ବର୍ଷ ରହିବା ପାଇଁ ବିଜେପିର ନୂଆ ଆକ୍ସନ ପ୍ଲାନ । ଲୋକସଭା ନିର୍ବାଚନ ୨୦୧୯ ସମୟରେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଅମିତ ଶାହା ବାରମ୍ବାର କହିଥିଲେ ଯେ, ଯଦି ଏହି ଥର ନିର୍ବାଚନରେ ଦଳ ବିଜୟ ହାସଲ କରେ ତେବେ ଆଗାମୀ ୫୦ ବର୍ଷ ପର୍ଯ୍ୟନ୍ତ ଦଳ ହାରିବ ନାହିଁ । ବିଜେପି ଚାଣକ୍ୟଙ୍କ ଏଭଳି ଦମ୍ଭ କାର୍ଯ୍ୟକର୍ତ୍ତାଙ୍କ ମନରେ ଉତ୍ସାହ ଭରିଦେଇଥିଲା । ଚଳିତ ନିର୍ବାଚନରେ ବିଜେପି ୫୦ ପ୍ରତିଶତ ଭୋଟ ପାଇବା ପରେ ଆଗାମୀ ଦିନ ପାଇଁ ମିଶନ ମୋଡରେ ଦଳ ଓ ସଂଘ କାମ ଆରମ୍ଭ କଲାଣି ।

ସଂଘ ଓ ବିଜେପିର କହିବା ଅନୁଯାୟୀ, ଚଳିତ ନିର୍ବାଚନରେ ଦେଶର ଦଳିତ ଭୋଟ ହାତେଇବାରେ ସକ୍ଷମ ହୋଇଥିଲା ଦଳ । ତେବେ ଏହି ଭୋଟବ୍ୟାଙ୍କ ବଜାୟ ରଖିବାକୁ ହେଲେ ଏହି ସମ୍ପ୍ରଦାୟରୁ ଏକ ବଡ ଚେହେରାଙ୍କୁ ସାମ୍ନାକୁ ଆଣିବାକୁ ପଡିପାରେ । ଦେଶରେ ଏବେ ଦଳିତ ସମ୍ପ୍ରଦାୟର ସେଭଳି କୌଣସି ବଡ ଚେହେରା ନାହାନ୍ତି । ଯେଉଁମାନେ ଅଛନ୍ତି ସେମାନଙ୍କର କ୍ରେଜ ଦିନକୁ ଦିନ କମିବାରେ ଲାଗିଛି ।

ତେଣୁ ଦଳିତ ଭୋଟକୁ ନିଜ ସପକ୍ଷରେ ରଖିବା ପାଇଁ ବିଜେପି ନୂଆ ଫର୍ମୁଲା ବାହାର କରିଛି । ପ୍ରତି ହଜାର ଜଣ ଦଳିତଙ୍କ ପାଇଁ ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯିବ । ଯେଉଁମାନେ ମୋଦି ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଦଳିତ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ସହଯୋଗ କରିବେ । ଏଥିପାଇଁ ପ୍ରଥମେ ସରକାରୀ ଯୋଜନାରେ ଫାଇଦା ପାଇବାକୁ ଥିବା ଦଳିତ ଲୋକଙ୍କ ତାଲିକା ପ୍ରସ୍ତୁତ କରିବେ କାର୍ଯ୍ୟକର୍ତ୍ତା ।

ଉତ୍ତର ପ୍ରଦେଶରେ ବିଜେପି ଏହି ଫର୍ମୁଲାକୁ ବେଶ ଆକ୍ରମଣାତ୍ମକ ଢଙ୍ଗରେ ଲାଗୁ କରିବା ଆରମ୍ଭ କରିଛି । ସରକାରୀ ଯୋଜନାରେ ଫାଇଦା ମିଳିବା ଦ୍ୱାରା ଦଳିତ ଭୋଟବ୍ୟାଙ୍କକୁ ମଧ୍ୟ ନିଜ ସପକ୍ଷରେ ରଖିପାରିବ ବିଜେପି । ଆଗାମୀ ୨ରୁ ୩ ବର୍ଷ ପର୍ଯ୍ୟନ୍ତ ଯଦି ଏହି ରଣନୀତି ଉପରେ ବିଜେପି କାମ କରେ ତେବେ ଦଳିତ ଭୋଟବ୍ୟାଙ୍କ ବିଜେପିର ବଡ ଭୋଟବ୍ୟାଙ୍କ ଭାବେ ଉଭା ହୋଇପାରେ । ଆଉ ଏଭଳି ହେଲେ ବିଜେପିକୁ ଶାସନ କ୍ଷମତାକୁ ହଟାଇବା କଷ୍ଟକର ହୋଇପଡିବ ଓ ବିଜେପି ଚାଣକ୍ୟଙ୍କ ରଣନୀତି ମଧ୍ୟ ସଫଳ ହୋଇପାରେ ।