ଫାଶୀ ଟାଳିବାକୁ ନରରାକ୍ଷସଙ୍କ ନୂଆ ଚାଲ୍ ! ରାଜକ୍ଷମା ଆବେଦନ ଖାରଜକୁ ଅସାମ୍ବିଧାନିକ ଦର୍ଶାଇଲେ ନିର୍ଭୟା ଦୋଷୀଙ୍କ ଓକିଲ, ସୁପ୍ରିମକୋର୍ଟଙ୍କ ପରେ ଏବେ ଭରସା ନିର୍ବାଚନ କମିଶନ ।

569

କନକ ବ୍ୟୁରୋ : ପୁଣି ଫାଶୀ ତାରିଖ ଟାଳିବାକୁ ନିର୍ଭୟା ଦୋଷୀ କରୁଛନ୍ତି ନୂଆ ଚାଲ୍ । ଯେମିତିକି ୩ ମାର୍ଚ୍ଚରେ ସ୍ଥିର ହୋଇଥିବା ଫାଶୀ ତାରିଖ ପୁଣି କିଛି ଦିନ ଘୁଂଚିଯିବ । ବାରମ୍ୱାର ସୁପ୍ରିମକୋର୍ଟ ଦୌଡୁଥିବା ଦୋଷୀଙ୍କ ଓକିଲ ଏବେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଯାହାକୁ ନେଇ ପୁଣି ଜୋର ଧରିଛି ଚର୍ଚ୍ଚା ।

ମାର୍ଚ୍ଚ ୩ ନିର୍ଭୟା ଦୋଷୀଙ୍କ ନୂଆ ଫାଶୀ ତାରିଖ । ସକାଳ ୬ଟାରେ ୪ ଦୋଷୀଙ୍କୁ ମିଳିବ ଫାଶୀ । ଏହି ଫାଶୀ ତାରିଖ ସାମ୍ନାକୁ ଆସିବା ପରେ ପୁରା ବିଚଳିତ ହୋଇଉଠିଛି ଦୋଷୀ ବିନୟ ଶର୍ମା । ଜେଲ ଭିତରେ କରିଛି ଆତ୍ମହତ୍ୟା ଉଦ୍ୟମ । ନିଜକୁ ଆଘାତ ପହଞ୍ଚାଇବାକୁ ବିନୟ ଜେଲ୍ କାନ୍ଥରେ ମୁଣ୍ଡ ପିଟିଛି । ହାତ ଭାଂଗିବାକୁ ବି କରିଛି ଉଦ୍ୟମ । ଜେଲର ରେଲିଂରେ ହାତ ପୁରାଇ ହାତ ଭାଂଗିବାକୁ ଉଦ୍ୟମ କରିଛି ।

ଏହାକୁ ଆଧାର କରି ପୁଣି ଥରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ବିନୟର ଓକିଲ । ସଦ୍ୟ ଦାଖଲ ହୋଇଥିବା ପିଟିସନରେ କୁହାଯାଇଛି ଜେଲ୍ ଭିତରେ ବିନୟକୁ ଲାଗିଛି ଗୁରୁତର ଆଘାତ । ବିନୟର ମୁଣ୍ଡ ଫାଟିଛି, ହାତ ଭାଂଗିଛି । ତାକୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଉ । ବିନୟର ଓକିଲଙ୍କ ଏପରି ଆବେଦନ ପରେ ପରେ ତିହାର ଜେଲ୍ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ମାଗିଛନ୍ତି ଦିଲ୍ଲୀ ହାଇକୋର୍ଟ । ୨୨ ଫେବ୍ରୁଆରୀରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ ହୋଇଛି ।

ଫାଶୀ ଟାଳିବାକୁ ନୂଆ ଫନ୍ଦି । ସୁପ୍ରିମକୋର୍ଟ ପରେ ଏବେ ଭରସା ନିର୍ବାଚନ କମିଶନ । ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ତାରିଖ ଟାଳିଦେବାକୁ ବିନୟର ଓକିଲ କରିଛନ୍ତି ଆଉ ଏକ ଚାଲ । ଏଥର ବାହାର କରିଯାଇଥିବା ନୂଆବାଟରେ ଭରସା ପାଲଟିଛନ୍ତି କେନ୍ଦ୍ର ନିର୍ବାଚନ ଆୟୋଗ । ଅଭିଯୋଗ ହେଉଛି ଯେଉଁ ପ୍ରକ୍ରିୟାରେ ବିନୟର ରାଜକ୍ଷମା ଆବେଦନ ଖାରଜ ହୋଇଛି ତାହା ଅସାମ୍ବିଧାନିକ । କାରଣ ଏଥିରେ ଦସ୍ତଖତ ଦେବା ବେଳକୁ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ହାତରେ ନଥିଲା କ୍ଷମତା । ଦିଲ୍ଲୀରେ ଲାଗୁ ହୋଇସାରିଥିଲା ଆଚରଣବିଧି ।

୨୯ ଜାନୁଆରୀରେ ରାଷ୍ଟ୍ରପତିଙ୍କ ନିକଟକୁ ଯାଇଥିଲା ବିନୟର ରାଜକ୍ଷମା ଫାଇଲ । ଆବେଦନକୁ ଖାରଜ ପାଇଁ ସୁପାରିଶ କରିଥିଲେ ଦିଲ୍ଲୀ ସରକାର । ସୁପାରିଶରେ ଥିଲା ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କର ଦସ୍ତଖତ । ନିର୍ଭୟା ଦୋଷୀଙ୍କ ଓକିଲଙ୍କ ଯୁକ୍ତି ଆଚରଣବିଦ୍ଧି ଲାଗୁ ପରେ କେମିତି ଦେଲେ ଦସ୍ତଖତ ? ଆଚରଣବିଦ୍ଧି ଲାଗୁ ପରେ ସତ୍ୟେନ୍ଦ୍ର ଜୈନ ନା ବିଧାୟକ ଥିଲେ ନା ମନ୍ତ୍ରୀ ?

ନିର୍ଭୟା ମାମଲାରେ ଫାଶୀ ଟାଳିବାକୁ ବିନୟର ଓକିଲ ଖେଳିଛନ୍ତି ଏହି ନୂଆ ଚାଲ । ସତେନ୍ଦ୍ର ଜୈନଙ୍କ ଦସ୍ତଖତକୁ ଅସାମ୍ବିଧାନିକ କହି ବିନୟ ରାଜକ୍ଷମା ଆବେଦନକୁ ପୁଣି ଚ୍ୟାଲେଞ୍ଜ କରାଯାଇଛି । ଏଥର ଯୁକ୍ତି ହେଉଛି ଦିଲ୍ଲୀ ଆଚରଣବିଦ୍ଧି ଲାଗୁ ହେବା ପରେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କେମିତି ଦେଲେ ଦସ୍ତଖତ, କେମିତି ଏହା କାର୍ଯ୍ୟକାରୀ ହେଲା । ନିର୍ଭୟା ଦୋଷୀଙ୍କ ଫାଶୀ ତାରିଖ ଟାଳିବାକୁ ଖେଳାଯାଇଥିବା ଏହି ନୂଆ ଚାଲ କେତେ କାମ ଦେଉଛି ତା ଉପରେ ରହିଛି ପୁରା ଦେଶବାସୀଙ୍କ ନଜର ।