ତମାଖୁ ଉତ୍ପାଦନ ପ୍ୟାକେଟରେ ଲାଗିବ ନୂଆ ଚିତ୍ରାତ୍ମକ ଚେତାବନୀ । ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ବାଧ୍ୟତାମୂଳକ ନେଇ ସରକାର ଦେଲେ ନିର୍ଦ୍ଦେଶ ।

29

ଧୁମ୍ରପାନ ସ୍ୱାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ । ତମାଖୁ ଏବଂ ଏହି ସମ୍ବନ୍ଧୀୟ ଅନ୍ୟ ଉତ୍ପାଦନ ଉପରେ ମଧ୍ୟ ସଚେତନତାର ଚିତ୍ର ଦିଆଯାଇଥାଏ । କିନ୍ତୁ ଲୋକମାନେ ଏହାକୁ ଦେଖିବା ପରେ ମଧ୍ୟ ଦୋକାନରୁ ସିଗାରେଟ୍ କିଣିଥାନ୍ତି ଏବଂ ସେବନ ମଧ୍ୟ କରିଥାନ୍ତି । ଲୋକମାନଙ୍କ ମଧ୍ୟରେ ଅଧିକ ସଚେତନତା ଆଣିବା ପାଇଁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ପଦକ୍ଷେପ ନିଆଯାଉଛି । ସିଗାରେଟ୍ ଏବଂ ଅନ୍ୟ ତମାଖୁ ଜାତୀୟ ଉତ୍ପାଦନର ପ୍ୟାକେଟ ଉପରେ ଚିତ୍ରାତ୍ମକ ଚେତାବନୀର ଆକାରକୁ ବଢାଇ ଦିଆଯାଇଛି । ଏହି ଚିତ୍ରରେ ତମାଖୁ ସେବନ ଦ୍ୱାରା ଶରୀର ଉପରେ ପଡୁଥିବା ଖରାପ ପ୍ରଭାବକୁ ଚିତ୍ରଣ କରାଯାଇଛି । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ନୂଆ ଚିତ୍ରାତ୍ମକ ଚେତାବନୀକୁ ସେପ୍ଟେମ୍ବର ୧ ତାରିଖରୁ ବ୍ୟବହାର କରାଯିବ ।

ସରକାରଙ୍କ ପକ୍ଷରୁ ଏହି ଚିତ୍ରର ଦୁଇଟି ଅଲଗା ସେଟ୍ ଜାରି କରାଯାଇଛି । ପ୍ରଥମ ସେଟ୍ ୧୨ ମାସର ଅବଧି ପାଇଁ ସେପ୍ଟେମ୍ବର ୧ ତାରିଖରୁ ସମସ୍ତ ପ୍ରକାରର ତମାଖୁ ଉତ୍ପାଦନ ଉପରେ ବ୍ୟବହାର କରାଯିବ । ଏହା ପରେ ଅନ୍ୟ ସେଟର ଚିତ୍ରର ବ୍ୟବହାର କରାଯିବ । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ସମସ୍ତ ପ୍ରକାର ତମାଖୁ ଉତ୍ପାଦନ ଉପରେ ୨୦୧୮ ସେପ୍ଟେମ୍ବର ୧ ତାରିଖ ଠାରୁ ନୂଆ ଚିତ୍ରାତ୍ମକ ଚେତାବନୀର ବ୍ୟବହାର କରାଯିବ । ଏବଂ ଆସନ୍ତା ସେପ୍ଟେମ୍ବର ମାସ ୧ ତାରିଖରୁ ସମସ୍ତ ତମାଖୁ ଜାତୀୟ ଉତ୍ପାଦନ ପ୍ୟାକେଟରେ ଏହି ଚିତ୍ର ରହିବା ବାଧ୍ୟତାମୂଳକ କରାଯିବ ।