୨୦୧୯ ପାଇଁ ଖସଡା ପ୍ରସ୍ତୁତ କରୁଛି କଂଗ୍ରେସ । ନବ ନିଯୁକ୍ତ ପିସିସି କମିଟିର ବୈଠକ, କାହାକୁ ମିଳିବ ଟିକେଟ ?

40

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ତାକୁ ନେଇ କଂଗ୍ରେସ ନିଜ ଘର ସଜାଡିବାରେ ସେତେ ତତ୍ପର ହେଉଥିବା ଦେଖିବାକୁ ମିଳୁଛି । ଏନେଇ ନବ ଗଠିତ କଂଗ୍ରେସ କମିଟିର ବସିଛି ବୈଠକ । ୨୦୧୯ ନିର୍ବାଚନୀ ପ୍ରସ୍ତୁତି ବୈଠକ । ଏଆଇସିସି ପକ୍ଷରୁ ଘୋଷଣା ହୋଇଥିବା ନବ ନିଯୁକ୍ତ କଂଗ୍ରେସ କମିଟିର କର୍ମକର୍ତ୍ତାଙ୍କ ସହ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ମୁଖ୍ୟତଃ ଓଡିଶାରେ ୧୪୭ ବିଧାନସଭା ଓ ୨୧ଟି ଲୋକସଭା ନିର୍ବାଚନୀ ମଣ୍ଡଳୀର ଦାୟିତ୍ୱ କାହା ଉପରେ ନ୍ୟସ୍ତ କରାଯିବ ସେନେଇ ବିଧିବଦ୍ଧ ଖସଡା ପ୍ରସ୍ତୁତ କରାଯିବ । ଦୁଇ ଦିନ ଧରି ହେବାକୁ ଥିବା ବୈଠକରେ କଂଗ୍ରେସର ଆଶାୟୀ ପ୍ରାର୍ଥୀଙ୍କ ବିଷୟରେ ବିସ୍ତୃତ ଆଲୋଚନା ହୋଇପାରେ ବୋଲି ସୂଚନା ମିଳିଛି । ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ବିରୋଧରେ ରାଫେଲ ବିମାନ ପ୍ରସଙ୍ଗ ମୁଖ୍ୟ ମୁଦ୍ଦା କରିବାକୁ ଏଆଇସିସି କହିଥିବା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ କେଉଁ ପ୍ରସଙ୍ଗ ସ୍ଥାନ ପାଇବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବା ନେଇ ସୂଚନା ମିଳିଛି ।

ଗତକାଲି ପ୍ରଦେଶ କଂଗ୍ରେସ କମିଟିର ପିଇସି ଟିମ୍ ଦିଲ୍ଲୀ ଯାଇ କଂଗ୍ରେସ ହାଇକମାଣ୍ଡ ରାହୁଲଙ୍କୁ ସାକ୍ଷାତ କରିଥିଲା । ଯେଉଁଥିରେ ଓଡିଶାରେ କିଭଳି କଂଗ୍ରେସର ସାଂଗଠନିକ ସ୍ଥିତି ମଜଭୁତ ହେବ ସେନେଇ ମନ୍ତ୍ରଣା ଦେଇଥିଲେ ହାଇକମାଣ୍ଡ ରାହୁଲ । ସେହିପରି ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ କହିବା ମୂତାବକ ଏହି ପିଇସି ବୈଠକରେ ନିର୍ବାଚନୀ ପ୍ରାର୍ଥୀ ଚୟନ, ନିର୍ବାଚନ ପ୍ରଚାର ଅଭିଯାନ, ଆଦି ସଂପର୍କରେ ବିସ୍ତୁୃତ ଆଲୋଚନା କରାଯିବ । ନୂଆ ପିସିସି ଟିମ୍ କୁ କିଛି ନେତା ବିରୋଧ କରୁଥିବା ମଧ୍ୟ ପ୍ରଭାରୀଙ୍କ ଦୃଷ୍ଟି ଗୋଚର ହୋଇଥିବା କହିଥିଲେ । ସେ ଯାହା ହେଉ ନା କାହିଁ ଏହି ନୂଆ ପିଇସି କମିଟିରେ କିଛି ନୂଆ ଚେହେରା ଯଥା ଯୁବ ରାଜନେତାଙ୍କୁ ପ୍ରତିଶ୍ରୁତି ଅନୁସାରେ ସୁଯୋଗ ଦିଆଯାଇଛି ।

ଏହି ବୈଠକ ହୁଏତ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ମଜଭୁତ କରିବାରେ ସହାୟକ ହେବ । କିନ୍ତୁ ବର୍ତ୍ତମାନ ରାଜ୍ୟ ରାଜନୀତିରେ ଶାସକ ଦଳ ସାମ୍ନାରେ ପ୍ରମୂଖ ବିରୋଧୀ ଦଳ ଭାବେ ବିଜେପି ରହିଛି । ପୂର୍ବ ଅପେକ୍ଷା କଂଗ୍ରେସର ସ୍ଥିତି ଦୁର୍ବଳ ହୋଇଯାଇଥିବା ଦେଖିବାକୁ ମିଳିଛି । ଆଗାମି ନୀର୍ବାଚନରେ ସ୍ଥିତି ସୁଧାରିବାକୁ ପ୍ରୟାସ କରୁଛି ପ୍ରଦେଶ କଂଗ୍ରେସ । କିଭଳି ସାଂଗଠନିକ ସ୍ଥିତି ମଜଭୁତ କରି ଲୋକମାନଙ୍କ ଆସ୍ଥା ଭାଜନ ହୋଇପାରିବ ସେନେଇ ଏହି ଦୁଇ ଦିନିଆ ବୈଠକରେ ଖସଡା ପ୍ରସ୍ତୁତ କରାଯିବ ।