ଆସିଲା ନୂଆ ପାଞ୍ଜି !ମୋଦି, ନବୀନ, ଧର୍ମେନ୍ଦ୍ରଙ୍କ ଭାଗ୍ୟ ଅଙ୍କ କଷିଲେ ଗଣନାକାର

157

କନକ ବ୍ୟୁରୋ : ଆଜି ଦୋଳ ପୂର୍ଣ୍ଣିମାରେ ଉନ୍ମୋଚିତ ହୋଇଛି ନୂଆ ପଞ୍ଜିକା । ଶ୍ରୀମନ୍ଦିରରେ ମୁକ୍ତି ମଣ୍ଡପ ସେବାୟତଙ୍କ ଅନୁମୋଦନ କ୍ରମେ ବିଭିନ୍ନ ମନ୍ଦିରରେ ଏହି ପଞ୍ଜିକାକୁ ପୂଜାର୍ଚ୍ଚନା କରାଯାଇଛି । ଏପ୍ରିଲ ମାସଠାରୁ ଲାଗୁ ହେବାକୁ ଯାଉଥିବା ଏହି ପଞ୍ଜିକାରେ ଭାଗ୍ୟ ଭବିଷ୍ୟତ ନେଇ ମଧ୍ୟ ଉଲ୍ଲେଖ ରହିଛି । ଯେଉଁଥିରେ ରାଜନୈତିକ ଦଳର ଭାଗ୍ୟ ଭବିଷ୍ୟତ ଠାରୁ ଆରମ୍ଭ କରି ନେତା ଓ ଅଫିସରଙ୍କ ଭବିଷ୍ୟବାଣୀ କରିଛନ୍ତି ଗଣନାକାର । ତେବେ ଓଡିଶା ଓ ଭାରତକୁ ନେଇ କଣ କହୁଛି ଗଣନା ତାହା ଏବେ ସବୁଠାରୁ ବଡ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ପାଞ୍ଜି ଗଣନାକାର କହିଛନ୍ତି ଦେଶରେ ଆଗକୁ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇବ । ବିଶେଷ ଭାବେ ଦଳ ବଦଳ ରାଜନୀତି ବିଜେଡି ବିଜେପି ଓ କଂଗ୍ରେସ ପାଇଁ ଅଡୁଆ କରିବ । ସେପଟେ ରାଜନୀତିରେ ନାରୀ ନେତ୍ରୀଙ୍କ ଶକ୍ତି ବୃଦ୍ଧି ପାଇବା ନେଇ ଗଣନା ହୋଇଛି ।

ନବୀନ ଓ ଧର୍ମେନ୍ଦ୍ରଙ୍କ ଭବିଷ୍ୟତ ନେଇ ବି ଆକଳନ କରିଛନ୍ତି ଗଣନାକାର । ନବୀନଙ୍କ ପ୍ରତି ବିଶ୍ୱାସନୀୟତା ବଜାୟ ଥିବାର ଆକଳନ ହୋଇଥିବା ବେଳେ ଧର୍ମେନ୍ଦ୍ରଙ୍କ ପାଇଁ ୨୦୧୯ରେ ସୁଯୋଗ ଥିବା ଭବିଷ୍ୟବାଣୀ ହୋଇଛି । ଗଣନାକାରଙ୍କ କହିବା କଥା ଆଗକୁ କିଛି ମନ୍ତ୍ରୀ ସ୍ୱଇଚ୍ଛାରେ ନବୀନଙ୍କ ମନ୍ତ୍ରୀ ମଣ୍ଡଳ ଛାଡି ପାରନ୍ତି । ନବୀନଙ୍କ ପ୍ରତି ଲୋକଙ୍କ ବିଶ୍ୱସନୀୟତା ବଜାୟ ରହିବ । ସ୍ୱାସ୍ଥ୍ୟ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କିଛି ସମସ୍ୟାକୁ ସାମ୍ନା କରିପାରନ୍ତି । ସେହିଭଳି ଧର୍ମେନ୍ଦ୍ରଙ୍କ କ୍ଷେତ୍ରରେ ଆଗକୁ ସଫଳତାର ସୁଯୋଗ ରହିଛି । ୨୦୧୮ ସେପ୍ଟେମ୍ବରରୁ ଡିସେମ୍ବର ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଚାପରେ ରହିବେ ।

ମୋଦିଙ୍କୁ ନେଇ ଅନେକ ସମ୍ଭବନା ଥିବା ବେଳେ ବିରୋଧୀଙ୍କ ଭୂମିକା ନେଇ ବି ଭବିଷ୍ୟବାଣୀ ହୋଇଛି । ଆଗକୁ ପ୍ରଧାନମନ୍ତ୍ରୀ ବେରୋଜଗାରୀ ଦୂରୀ କରିବାରେ ସଫଳ ହେବେ । ହେଲେ ଅଫିସରଙ୍କ ଅସହଯୋଗ କେନ୍ଦ୍ର ସରକାରଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ସେହିଭଳି ଦେଶ ଓ ରାଜ୍ୟର ବିକାଶକୁ ନେଇ ମଧ୍ୟ ପାଞ୍ଜିଗଣନାରେ ଉଲ୍ଲେଖ ରହିଛି । ଏବେ ଦେଖି ନିଅନ୍ତୁ ଖଡିରତ୍ନ ପଞ୍ଜିକାର ଏହି ଭବିଷ୍ୟତବାଣୀ । ଚଳିତ ବର୍ଷ ଓଡିଶାରେ ଭଲ ବର୍ଷା ହେବ । କୃଷି ଉତ୍ପାଦରେ ବି ଅଭିବୃଦ୍ଧି ପରିଲକ୍ଷିତ ହେବ । ଜୁନରୁ ଡିସେମ୍ବର ମାସ ଭିତରେ ପ୍ରାକୃତିକ ବିପର୍ଯ୍ୟୟ ହୋଇପାରେ ।

ପାଞ୍ଜିଗଣନାରେ ଉଭୟ କେନ୍ଦ୍ର ଓ ରାଜ୍ୟରେ ଶାସକ ଦଳ ଭଲ ସ୍ଥିତିରେ ଥିବା କୁହାଯାଉଥିବା ବେଳେ ବିରୋଧୀ ସକ୍ରିୟ ରହିବେ ବୋଲି ଆକଳନ ହେଉଛି । ଏହା ସହିତ ଆର୍ଥିକ ଓ ସାମଜିକ କ୍ଷେତ୍ରରେ ବିକାଶର ପୂର୍ବାନୁମାନ କରାଯାଇଛି ।