ଟ୍ରାଫିକ ନିୟମ ନେଇ କେନ୍ଦ୍ରର କଡ଼ା ନିଷ୍ପତ୍ତି: ଏଣିକି ନିୟମ ଭାଙ୍ଗିଲେ ନିସ୍ତାର ନାହିଁ, ଦେବାକୁ ପଡିବ ୧୦ ଗୁଣା ଅଧିକ ଜରିମାନା

675

କନକ ବ୍ୟୁରୋ: ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ମୋଟର ଯାନ ସଂଶୋଧିତ ବିଲ । ମୋଟର ଯାନ ଆଇନ ୧୯୮୮କୁ ବଦଳାଇ ଏହି ଆଇନକୁ ସଂଶୋଧିତ କରି ସଂସଦରେ ମୋହର ମରାହେଲା । ତେବେ ନୂଆ ଆଇନ ଅନୁଯାୟୀ ଏଣିକି ଟ୍ରାଫିକ ନିୟମକୁ କଡାକଡି କରାଯିବ । ଆଇନ ଉଲଙ୍ଘନକାରୀଙ୍କୁ ଆଉ କ୍ଷମା ମିଳିବନି ପ୍ରତିବଦଳରେ ବଡ ଜରିମାନ ଦେବାକୁ ପଡିବ ।

ପ୍ରତିବର୍ଷ ସଡକ ଦୁର୍ଘଟଣାରେ ଦେଶରେ ପ୍ରାୟ ଦେଢ ଲକ୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଦୁର୍ଘଟଣା ରୋକିବାକୁ ସରକାର ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ ବି କୌଣସି ସୁଫଳ ମିଳୁନି । ତେଣୁ ଆଇନକୁ ପରିବର୍ତ୍ତନ କରାଯାଇଛି । ଯାହା ଫଳରେ ଟ୍ରାଫିକ ନିୟମକୁ କଟକଣା କରାଯାଇଛି । ନିୟମ ଭାଙ୍ଗିଲେ ଏଣିକି ଜରିମାନ ପୂର୍ବ ଦିନ ମାନଙ୍କ ଠାରୁ ୧୦ ଗୁଣା ଅଧିକ ଦେବାକୁ ପଡିବ ।

ହେଲମେଟ ନପିନ୍ଧିଲେ ହଜାରେ

ତେବେ ଏଣିକି ରାସ୍ତାରେ ବିନା ହେଲମେଟରେ ଗାଡି ଚଳାଇଲେ ଆପଣଙ୍କୁ ଦେବାକୁ ପଡିବ ହଜାରେ ଟଙ୍କା ଫାଇନ । ବିନା ହେଲମେଟରେ ଆପଣଙ୍କୁ କୋଣସି ଟ୍ରାଫିକ ପୋଲିସ ଧରିଲେ ଆପଣଙ୍କ ଠାରୁ ୧୦୦୦ ଟଙ୍କାର ଚାଲାଣ କାଟିବେ । ପୂର୍ବରୁ ୧୦୦ ଟଙ୍କା ଫାଇନ ଲାଗୁଥିବା ବେଳେ ଏହା ଏବେ ୧୦୦୦ ଟଙ୍କାକୁ ବଢିଛି । ଫାଇନ ସହ ୩ ମାସ ପାଇଁ ଆପଣଙ୍କ ଲାଇସେନ୍ସକୁ ମଧ୍ୟ ଜବତ କରାଯିବ । ତେଣୁ ବିନା ହେଲମେଟରେ ଗାଡି ନଚଲାଇବାକୁ ଅନୁରୋଧ ।

ଲାଇସେନ୍ସ ନଥିଲେ ୧୦ ଗୁଣା ଫାଇନ

ସେହିପରି ବିନା ଲାଇସେନ୍ସରେ ଗାଡି ଧରି ବୁଲାବୁଲି କଲେ ୫ ହଜାର ଟଙ୍କା ଫାଇନ ପଡିବ । ଧରାପଡିବା ପରେ କୌଣସି ପ୍ରକାର ବାହାନା ଶୁଣିବେନି ଟ୍ରାଫିକ ପୋଲିସ । ଘରେ ଛାଡି ଦେଇ ଆସିଛି, ଜଲଦି ଘରୁ ବାହାରି ଆସିଲି ତେଣୁ ଭୁଲି ଯାଇଛି…ଏ ଭଳି କଥା ଆଉ ଶୁଣା ଯିବନି । ଲାଇସେନ୍ସ ନାହିଁ ମାନେ ୫୦୦୦ ଦେବାକୁ ହେବ । ଆଗରୁ ୫୦୦ ଦେବାକୁ ପଡୁଥିବା ବେଳେ ନୂଆ ନିୟମ ଅନୁସାରେ ୧୦ ଗୁଣା ଜରିମାନା ଦେବାକୁ ହେବ । ତେଣୁ ଘରୁ ବାହାରିବା ବେଳେ ସାଥିରେ ଲାଇସେନ୍ସ ନେଇ ବାହାରନ୍ତୁ ।

ଫୋନରେ ଗପିଲେ ଫାଇନ

ଏବେ ଅନେକ ଲୋକଙ୍କୁ ଗାଡି ଚଳାଇଲା ବେଳେ ଫୋନରେ କଥା ହେବାର ଦେଖିବାକୁ ମିଳୁଛି । କେହି କେହି ଗୋଟିଏ ହାତରେ ଫୋନ ଆଉ ଗୋଟିଏ ହାତରେ ଗାଡି ଧରି ବୁଲୁଛନ୍ତି ତ ଆଉ କେହି କେହି ହେଲମେଟ ଭିତରେ ଫୋନ ପୂରାଇ କଥା ହେଉଛନ୍ତି । ତେଣୁ ଏସବୁ କରୁଥିବା ଲୋକ ଏବେ ସାବଧାନ ହୋଇଯାଆନ୍ତୁ କାରଣ ଗାଡି ଚଲାଇବା ସମୟରେ ଏଣିକି ଗପିଲେ ଆପଣଙ୍କୁ ଦେବାକୁ ପଡିବ ବଡ ଆକାରର ଜରିମାନା । ଫୋନରେ କଥା ହୋଇ ଗାଡି ଚଳାଉଥିବା ଦେଖିଲେ ୫ ହଜାର ଟଙ୍କା ଫାଇନ ଲାଗିବ । ପୂର୍ବରୁ ହଜାରେ ଟଙ୍କା ଫାଇନ ଲାଗୁଥିଲା ।

ସାବାଡ ହେବେ ସ୍ପିଡ ଚାଳକ

ଦ୍ରୁତ ଗାଡି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ପାଲଟୁଥିବାରୁ ଏଣିକି ସ୍ପିଡ ଡ୍ରାଇଭ କଲେ ବାଇକ ଚାଳକଙ୍କୁ ୧ ହଜାର ଟଙ୍କା ଜରିମାନା ଦେବାକୁ ହେବ । ସେହିପରି ୪ ଚକିଆ ଯାନ ପାଇଁ ଏହା ୨ ହଜାର ଟଙ୍କା ଧାର୍ଯ୍ୟ କରା ଯାଇଛି । ଅନ୍ୟପଟେ ଷ୍ଟଣ୍ଟ କରି ବାଇକ ଚଳାଉଥିବା ଚାଳକଙ୍କ ହଜାରେ ବଦଳରେ ୫ ହଜାର ଫାଇନ ଦେବେ । ସଡକରେ ଧୂଆଁ ଭଳି ଗାଡି ଉଡାଇ ପଳାଉଥିବା ଚାଳକଙ୍କୁ ମଧ୍ୟ ୫୦୦ ବଦଳରେ ୫ ହଜାର ଜରିମାନା ଦେବାକୁ ପଡିବ ।

ମଦୁଆ ଚାଳକଙ୍କୁ ମହାଝଟକା

ମଦ ପିଇ ଗାଡି ଚଳାଇଲେ ପକେଟରୁ ଯିବ ୧୦ ହଜାର । ରାସ୍ତାରେ ମଦୁଆ ଡ୍ରାଇଭରଙ୍କ ପାଇଁ ଅନେକ ଦୁର୍ଘଟଣା ହେଉଥିବାରୁ ସେମାନଙ୍କ ପାଇଁ ୧୦ ହଜାର ଟଙ୍କା ଜରିମାନା ଲାଗୁ କରା ଯାଇଛି । ପୂର୍ବରୁ ୨ ହଜାର ଟଙ୍କା ଦେବାକୁ ପଡୁଥିବା ବେଳେ ଏବେ ୫ ଗୁଣା ପଇସା ଦେବାକୁ ହେବ ।

ସିଟ ବେଲ୍ଟ ନପିନ୍ଧିଲେ ହଜାରେ

କାର ଚାଳକ ବା ୪ ଚକିଆ ଯାନ ଚଳାଉଥିବା ଚାଳକ ସିଟ ବେଲ୍ଟ ନପିନ୍ଧିଲେ ହଜାରେ ଟଙ୍କା ଫାଇନ ଦେବେ । ଧାରା- ୧୯୪ ବି ଅନୁସାରେ ଏହି ଜରିମାନା ଲାଗୁ ହେବ । ତେବେ ପୂର୍ବରୁ ୧୦୦ ଟଙ୍କା ଦେବାକୁ ପଡୁଥିଲା ।

ବୟସ ହୋଇନଥିଲେ ବାପାମାଆଙ୍କୁ ଜେଲ

ନାବାଳକ, ନାବାଳିକା ଗାଡି ଚଳାଉଥିବାର ଯଦି ଧରା ପଡନ୍ତି ତେବେ ସେମାନଙ୍କ ଅଭିଭାବକଙ୍କୁ ୨୫ ହଜାର ଟଙ୍କା ଜରିମାନା କରାଯିବା ସହ ୩ ବର୍ଷ ପାଇଁ ଜେଲ ମଧ୍ୟ ହୋଇପାରେ । ତେଣୁ ପିଲାଙ୍କୁ ଗାଡି ଦେଉଥିଲେ ସାବଧାନ ।

ଦୁଇରୁ ଅଧିକ ଗଲେ ଦୁଇ ହଜାର

ବାଇକରେ ୨ ଜଣରୁ ଅଧିକ ଲୋକ ଗଲେ ୨ ହଜାର ଟଙ୍କା ଜରିମାନା ହେବ । ସେହିପରି ଯାତ୍ରୀବାହୀ ଗାଡିରେ ଓଭର ଲୋଡିଂ ହେଲେ ଅତିରିକ୍ତ ଯାତ୍ରୀ ପିଛା ୧୦୦୦ ଟଙ୍କା ଲେଖାଏଁ ଫାଇନ ଲାଗିବ ।

ଆମ୍ବୁଲାନ୍ସ ଅଟକାଇଲେ ୧୦ ହଜାର

ମାନବିକତା ଦୃଷ୍ଟି କୋଣରୁ ଆମେ ସମସ୍ତେ ଆମ୍ବୁଲାନ୍ସ କିମ୍ବା ଜରରୀକାଳୀନ ସେବାକୁ ବାଟ ଛାଡି ଦେଇଥାଉ । ମାତ୍ର ଯଦି ରାସ୍ତାରେ ଜଣେ ଜାଣିଜାଣି ଆମ୍ବୁଲାନ୍ସକୁ ବାଟ ଛାଡୁନି ତେବେ ଉକ୍ତ ଚାଳକକୁ ୧୦ ହଜାର ଟଙ୍କା ଜମିମାନା ଦେବାକୁ ପଡିବ ବୋଲି ନୂଆ ନିୟମରେ ଉଲ୍ଲେଖ ରହିଛି ।

ତେବେ ଉକ୍ତ ନିୟମକୁ ଲୋକେ କେତେ ମାନୁଛନ୍ତି ଆଉ ଏ ନିୟମକୁ ରାଜ୍ୟ ସରକାର କିମ୍ବା କେନ୍ଦ୍ର ସରକାର କେତେ ପାଳନ କରୁଛନ୍ତି ଆଉ ନିୟମ ପାଳନ ହେଉଛି କି ନାହିଁ ତାର ତଦାରଖ କେମିତି କରୁଛନ୍ତି ତାକୁ ଦେଖିବାକୁ ବାକି ରହିଲା । ପୂର୍ବରୁ ହାଇୱେରେ ବିନା ହେଲମେଟରେ ଯିବା ମନା ହୋଇଥିଲେ ମଧ୍ୟ ସମସ୍ତେ ଏବେବି ହେଲମେଟ ବିନା ଗାଡି ଚଳାଉଛନ୍ତି । କିଛି ଦିନ ପୋଲିସ ଚେକିଂ ପରେ ଏବେ ଯଥା ପୂର୍ବଂ ତଥା ପରଂ । ତେଣୁ ନୂଆ ନିୟମ ମାନିବାକୁ ସମସ୍ତଙ୍କୁ ଅନୁରୋଧ ।