ଚଳଚଂଚଳ ମନ୍ତ୍ରୀ କରିଡର : ଆଜି ସଚିବାଳୟରେ ନିଜ ନିଜର ଦାୟିତ୍ୱ ନେଲେ କିଛି ମନ୍ତ୍ରୀ

18

କନକ ବ୍ୟୁରୋ : ମନ୍ତ୍ରିମଣ୍ଡଳ ଅଦଳ ବଦଳପରେ ଆଜି ସଚିବାଳୟରେ ନିଜ ନିଜର ଦାୟିତ୍ୱ ନେଇଛନ୍ତି କିଛି ମନ୍ତ୍ରୀ । ଏଥିପାଇଁ ବେଶ ଚଳଚଂଚଳ ହୋଇପଡିଥିଲା ମନ୍ତ୍ରୀ କରିଡର । ଚତୁର୍ଥଥର କ୍ଷମତାକୁ ଆସିବାର ତିନି ବର୍ଷ ପରେ ସମବାୟ ଓ ଅବକାରୀ ବିଭାଗ ଛାଡି କୃଷି ବିଭାଗର ଦାୟିତ୍ୱ ନେଇଛନ୍ତି ଡାକ୍ତର ଦାମୋଦର ରାଉତ । ସେହିପରି କୃଷି ବିଭାଗ ଛାଡି ପଂଚାୟରାଜ ବିଭାଗର ଦାୟିତ୍ୱ ନେଇଛନ୍ତି ପ୍ରଦୀପ ମହାରଥୀ । ଆଉ ରାଷ୍ଟ୍ରମନ୍ତ୍ରୀର ପଦୋନ୍ନତି ପାଇବା ପରେ କ୍ୟାବିନେଟକୁ ଏଂଟ୍ରି କରିଛନ୍ତି ଝରିଗାଁ ବିଧାୟକ ରମେଶ ମାଝି । ସେ ଆଜି ବିଧିବଦ୍ଧ ଭାବେ ଅନୁସୂଚିତ ଜାତି,ଜନଜାତି ଓ ସଂଖ୍ୟାଲଘୁ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସେହିପରି ନୂଆକରି ମନ୍ତ୍ରିମଣ୍ଡଳରେ ସାମିଲ ହେବା ପରେ ଆଜି କିଛି ମନ୍ତ୍ରୀ ନିଜ ପସନ୍ଦର ଚ୍ୟାମ୍ବର ଖୋଜିଛନ୍ତି । ଏମିତିକି ପୂର୍ବତନ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଚ୍ୟାମ୍ବରରେ ବସିବା ପାଇଁଆଗ୍ରହ ପ୍ରକାଶ କରିଛନ୍ତି ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଥିବା ସୁଶାନ୍ତ ସିଂ । ସେହପରି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ବି ଦାୟିତ୍ୱ ନେବା ପୂର୍ବରୁ ମନ୍ତ୍ରୀ କରିଡରରେ ଖୋଜିଛନ୍ତି ମନ ପସନ୍ଦର ଚ୍ୟାମ୍ବର ।

ସବୁଠାରୁ ବଡ କଥା ହେଉଛି ମନ୍ତ୍ରୀମଣ୍ଡଳରେ ଦାୟିତ୍ୱ ନେବା ପୂର୍ବରୁ ବାସ୍ତୁଶାସ୍ତ୍ର ସହ ନିଜ ପ୍ରକୋଷ୍ଠର ସାଜସଜ୍ଜା ଉପରେ ଗୁରୁତ୍ୱ ଦେଇଛନ୍ତି ବହୁ ମନ୍ତ୍ରୀ । ଯାହାକୁ ନେଇ ଏବେ ସରଗରମ ହୋଇ ଉଠିଛି ପାୱାର କରିଡର ।