ମନ୍ତ୍ରିମଣ୍ଡଳର ନୂଆ ଚେହେରା ! ନବୀନ ଟିମରେ ସାମିଲ ହେବେ ୯ ନୂଆ ମନ୍ତ୍ରୀ

32

କନକ ବ୍ୟୁରୋ: ମନ୍ତ୍ରିମଣ୍ଡଳର ନୂଆ ଚେହେରା । ନବୀନ ଟିମରେ ସାମିଲ ହେବେ ୯ ନୂଆ ମନ୍ତ୍ରୀ । ଦକ୍ଷିଣ ଓଡିଶାର ଟାଣୁଆ ନେତା ତଥା ଦଳର ମୁଖପାତ୍ର ସୂର୍ଯ୍ୟନାରାୟଣ ପାତ୍ର ମନ୍ତ୍ରୀ ହେବେ । ପୂର୍ବରୁ ବିଜେଡି ସରକାରରେ ରାଜସ୍ୱ ମନ୍ତ୍ରୀ ଥିଲେ ସୂର୍ଯ୍ୟ ନାରାୟଣ ପାତ୍ର । ଏହି ଅନୁଭବୀ ନେତାଙ୍କୁ ପୁଣି ନିଜ କୋର ଟିମକୁ ଆଣୁଛନ୍ତି ନବୀନ । ସେହିପରି ପୁରୀ ବିଧାୟକ ମହେଶ୍ୱର ମହାନ୍ତି ବି ମନ୍ତ୍ରୀ ହେବେ । ପୂର୍ବରୁ ବିଧାନସଭା ବାଚସ୍ପତି ରହିସାରିଥିବା ମହେଶ୍ୱର ମହାନ୍ତିଙ୍କ ନିକଟରେ ରହିଛି ବିରାଟ ରାଜନୈତିକ ଅଭିଜ୍ଞତା ।

ନବକଳେବର ସମନ୍ୱୟ କମିଟିର ଅଧ୍ୟକ୍ଷ ଥିବା ମହେଶ୍ୱର ସୁଚାରୁ ରୁପେ ସମ୍ପାଦନ କରି ନବୀନଙ୍କ ଗୁଡ୍ ବୁକରେ ଅଛନ୍ତି । ନବୀନଙ୍କ ନୂଆ ଟିମରେ ମନ୍ତ୍ରୀ ହେବେ ପ୍ରତାପ ଜେନା । ମାହାଙ୍ଗାରୁ ବିଧାୟକ ଥିବା ପ୍ରତାପ ଜେନାଙ୍କୁ ଦେବୀ ମିଶ୍ରଙ୍କ ସ୍ଥାନରେ ମନ୍ତ୍ରିମଣ୍ଡଳରେ ସାମିଲ କରି କଟକ ଜିଲ୍ଲାକୁ ପ୍ରତିନିଧିତ୍ୱ ଦେଇପାରନ୍ତି ନବୀନ । ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ଥିବାରୁ ତାଙ୍କର ମଧ୍ୟ ଅଭିଜ୍ଞତା ରହିିଛି । ସେହିପରି ବାଚସ୍ପତି ପଦରୁ ଇସ୍ତଫା ଦେଇଥିବା ନିରଂଜନ ପୂଜାରୀ ବି ମନ୍ତ୍ରୀ ହେବେ । ବିନିକା ଓ ସୁବଣ୍ଣପୁରରୁ ବାରମ୍ବାର ବିଧାନସଭାକୁ ନିର୍ବାଚିତ ହୋଇ ପଶ୍ଚି ଓଡିଶାରେ ନିଜର ପତିଆରା ଦେଖାଇଛନ୍ତି ନିରଂଜନ ।

ସେହିପରି ଭଣ୍ଡାରୀପୋଖରୀ ପ୍ରଫୁଲ ସାମଲ ବି ମନ୍ତ୍ରୀ ହେବେ । ପୂର୍ବରୁ ପଂଚାୟତିରାଜ ମନ୍ତ୍ରୀ ଥିଲେ ପ୍ରଫୁଲ । ଭଟଲୀ ବିଧାୟକ ସୁଶାନ୍ତ ସିଂ ଯୁବ ମନ୍ତ୍ରୀ ଭାବେ ନବୀନଙ୍କ ଟିମରେ ସାମିଲ ହୋଇପାରନ୍ତି । ବିଜେଡି କୃଷକ ସେଲର ଆବାହକ ଥିବା ସୁଶାନ୍ତଙ୍କୁ ସରପ୍ରାଇଜ୍ ଗିଫ୍ଟ ଦେଇଛନ୍ତି ନବୀନ । କରଂଜିଆ ବିଧାୟକ ବିଜୟ ନାୟକ ବି ମନ୍ତ୍ରୀ ହେବେ । ଏଥିସହ ନୃସିଂହ ସାହୁ, ମୁଖପାତ୍ର ଶଶୀଭୂଷଣ ବେହେରାଙ୍କୁ ମଧ୍ୟ ନବୀନ ନିଜ ନୂଆ ଟିମରେ ସାମିଲ କରିଛନ୍ତି । ଆସନ୍ତାକାଲି ଦିନ ୧୧ଟାରେ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ ।

ଦେଖନ୍ତୁ ଏହି ଭିଡିଓ –