ମନ୍ତ୍ରିମଣ୍ଡଳ ଅଦଳବଦଳ ! କେଉଁ ଜିଲ୍ଲାକୁ କେତେ ଗୁରୁତ୍ୱ

30

କନକ ବ୍ୟୁରୋ : ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳରେ ବହୁ ଜିଲ୍ଲାରୁ ବହୁ ବିଧାୟକ ମନ୍ତ୍ରୀ ହୋଇଥିବା ବେଳେ ଅନେକ ଜିଲ୍ଲାର ମନ୍ତ୍ରିମଣ୍ଡଳରେ ଭାଗିଦାରୀ ଶୁନ୍ । ଉପକୂଳରୁ ପଶ୍ଚିମ ଓ ଉତରରୁ ଦକ୍ଷିଣ ସବୁଠି ଏଭଳି ସ୍ଥିତି । ଏମିତିକି ରାଜ୍ୟ ରାଜନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରଖୁଥିବା ଯାଜପୁର ଜିଲ୍ଲାରୁ ପ୍ରଥମ ଥର ପାଇଁ ଜଣେ ବି ବିଧାୟକଙ୍କୁ ମନ୍ତ୍ରୀ ପଦ ମିଳିନି ।

ମନ୍ତ୍ରିମଣ୍ଡଳରେ ସବୁଠୁ ଅଧିକ ସୁଯୋଗ ପାଇଛି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ଜିଲ୍ଲା ଗଞ୍ଜାମ । ପୂର୍ବରୁ ବିକ୍ରମ କେଶରୀ ଆରୁଖ ଓ ଉଷା ଦେବୀ ମନ୍ତ୍ରୀ ଥିବା ବେଳେ ଏବେ ଏହି ତାଲିକାରେ ସାମିଲ ହୋଇଛନ୍ତି ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର । ସେପଟେ କିନ୍ତୁ ଗଞ୍ଜାମର ୪ ନେତା ଓ ନବରଙ୍ଗପୁରରୁ ରମେଶ ଚନ୍ଦ୍ର ମାଝିଙ୍କୁ ବାଦ ଦେଲେ ଦକ୍ଷିଣ ଓଡିଶାର ଅନ୍ୟ କୌଣସି ବିଧାୟକ ମନ୍ତ୍ରୀ କରିଡରକୁ ଏଂଟ୍ରି କରି ପାରିନାହଁନ୍ତି ।

ଉତର ଓଡିଶାର ନେତାଙ୍କୁ କିନ୍ତୁ ବିଶେଷ ସୁଯୋଗ ମିଳିନି । ବାଲେଶ୍ୱରରୁ ଅନନ୍ତ ଦାସ ନୂଆ କରି ମନ୍ତ୍ରୀ ପଦ ପାଇଥିବା ବେଳେ ପୂର୍ବରୁ କେନ୍ଦୁଝର ଜିଲ୍ଲାର ପ୍ରଭାବଶାଳୀ ନେତା ବଦ୍ରି ପାତ୍ର ମନ୍ତ୍ରିମଣ୍ଡଳରେ ଅଛନ୍ତି । ସେପଟେ କିନ୍ତୁ ପଡୋଶୀ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ବି ନେତାଙ୍କୁ ଏହି ସୁଯୋଗ ମିଳିନାହିଁ ।

ଉପକୂଳରେ କଟକ,ପୁରୀ,ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରୁ ଦୁଇ ଦୁଇ ଜଣ ବିଧାୟକଙ୍କୁ ମନ୍ତ୍ରୀ କରିଡରକୁ ପଠାଯାଇଛି ।ହେଲେ ଯାଜପୁର ଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ରାଜନୈତିକ ଜିଲ୍ଲାରୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ଶୂନ ରହିଛି । ପ୍ରଥମ ଥର ପାଇଁ ଯାଜପୁର ନିର୍ବାଚନୀ ଜିଲ୍ଲାର ଜଣେ ହେଲେ ବି ବିଧାୟକ ମନ୍ତ୍ରୀ ପଦ ପାଇ ନାହଁନ୍ତି । ସମାନ ଅବସ୍ଥା କେନ୍ଦ୍ରାପଡା ଓ ନୟାଗଡ ଜିଲ୍ଲାରେ ବି ଦେଖିବାକୁ ମିଳିଛି ।

ମନ୍ତ୍ରିମଣ୍ଡଳ ଅଦଳ ବଦଳରେ ପଶ୍ଚିମ ଓଡିଶାରେ ମଧ୍ୟ ବଦଳିଛି ସମୀକରଣ । ପଶ୍ଚିମ ଓଡିଶାର ବରଗଡ ଜିଲ୍ଲାର ସ୍ନେହାଙ୍ଗିନୀ ଛୁରୀଆ ପୂର୍ବରୁ ମନ୍ତ୍ରୀ ଥିବା ବେଳେ ଏବେ ଭଟଲି ବିଧାୟକ ସୁଶାନ୍ତ ସିଂ ବି ପାଇଛନ୍ତି ରାଷ୍ଟ୍ରମନ୍ତ୍ରୀ ପଦ । ସୁବର୍ଣ୍ଣପୁର ବିଧାୟକ ନିରଞ୍ଜନ ପୂଜାରୀ ହୋଇଛନ୍ତି କ୍ୟାବିନେଟ ମନ୍ତ୍ରୀ । ହେଲେ ନବୀନ ଶାସନରେ ପ୍ରଥମ ଥର ପାଇଁ ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାର ଜଣେ ହେଲେ ବି ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନାହାଁନ୍ତି ।