ଆରମ୍ଭ ହେଲା ଇସ୍ତଫା ପର୍ବ ! ଖୁବଶୀଘ୍ର ଅଦଳବଦଳ

91

କନକ ବ୍ୟୁରୋ : କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପର୍ବ ଆରମ୍ଭ ହୋଇଛି । ଏକାସାଙ୍ଗେ ଇସ୍ତଫା ଦେଇଛନ୍ତି କିଛି ବରିଷ୍ଠ ମନ୍ତ୍ରୀ । ଫଳରେ ଆଜି କିମ୍ବା ଆସନ୍ତାକାଲି ମୋଦି କ୍ୟାବିନେଟର ରୂପରେଖ ବଦଳିବା ସ୍ପଷ୍ଟ ହୋଇଯାଇଛି । ଏବେ ନଜର ପକାନ୍ତୁ କିଭଳି ରହିପାରେ ମୋଦିଙ୍କ ନୂଆ କ୍ୟାବିନେଟ ।

କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ରାଜୀବ ପ୍ରସାଦ ରୁଢ଼ି, ସ୍ୱାସ୍ଥ୍ୟମନ୍ତ୍ରୀ ଫଗନ ସିଂ କୁଲସ୍ତେ, କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ସଂଜୀବ ବାଲ୍ୟାନ ଇସ୍ତଫା ଦେଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଅନ୍ୟପଟେ ମାନବ ସମ୍ବଳ ବିକାଶ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେଙ୍କୁ ଉତ୍ତର ପ୍ରଦେଶ ବିଜେପି ସଭାପତି କରାଯିବା ପରେ ସେ ମଧ୍ୟ ଇସ୍ତଫା ଦେଇଛନ୍ତି ।

ସେପଟେ କେନ୍ଦ୍ର ଜଳସଂପଦ ବିକାଶ ମନ୍ତ୍ରୀ ଉମାଭାରତୀ ସ୍ୱାସ୍ଥଗତ କାରଣରୁ ଇସ୍ତଫା ଦେଇପାରନ୍ତି । ମନ୍ତ୍ରୀମଣ୍ଡଳର ୭୫ବର୍ଷିୟ ବରିଷ୍ଠ ମନ୍ତ୍ରୀ କଲରାଜ ମିଶ୍ର ମଧ୍ୟ ବିଦାୟ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ ମୋଦି ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ଯିବା ପୂର୍ବରୁ ଆଜି କିମ୍ବା ଆସନ୍ତାକାଲି କ୍ୟାବିନେଟ ଅଦଳବଦଳ କରିବେ ।

କିଏ ବାଦ ପଡିବେ :
କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ରାଜୀବ ପ୍ରସାଦ ରୁଢ଼ି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଫଗନ ସିଂ କୁଲସ୍ତେ ଇସ୍ତଫା ଦେଇ ସାରିଛନ୍ତି । ସେହିଭଳି ଉମାଭାରତୀ, କଲରାଜ ମିଶ୍ର, ସଂଜୀବ ବାଲ୍ୟାନ, ମହେନ୍ଦ୍ର ନାଥ ପାଣ୍ଡେ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଆଶା କରାଯାଉଛି ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ମନ୍ତ୍ରୀମାନଙ୍କ ଇସ୍ତଫାକୁ ଗ୍ରହଣ କରାଯାଇପାରେ । କାରଣ ନିଜ ବିଭାଗରେ ଦକ୍ଷତା ଦେଖାଇ ପାରିନଥିବା ମନ୍ତ୍ରୀମାନଙ୍କୁ ଏଥର ବିଦାୟ ନେବାକୁ ପଡିପାରେ ।

ରୁଢ଼ି ଓ ଉମାଙ୍କ ମନ୍ତ୍ରଣାଳୟ ଠାରୁ ଅନେକ କିଛି ଆଶା କରିଥିଲେ ମୋଦି । କିନ୍ତୁ ଏମାନଙ୍କର ପ୍ରଦର୍ଶନ ଆଶାନୁରୂପକ ହୋଇନାହିଁ । ସରକାରକୁ ତିନିବର୍ଷ ହୋଇଥିଲେ ବି ଏହି ସମୟ ମଧ୍ୟରେ ଉଭୟ ବିଭାଗର କୌଣସି ଏଜେଣ୍ଡା ସାମ୍ନାକୁ ଆସିନାହିଁ । ତେଣୁ ଏମାନଙ୍କର ଚୌକି ଉପରେ କେବେଠାରୁ ଖଣ୍ଡା ଝୁଲୁଥିଲା । ଦେଶରେ ରୋଜଗାରକୁ ନେଇ ସରକାର ଉପରେ ବାରମ୍ବାର ଆକ୍ରମଣ କରୁଥିଲେ ବିରୋଧୀ । ତେଣୁ ରୁଢ଼ିଙ୍କୁ ନେଇ ଆଦୌ ଖୁସି ନଥିଲେ ମୋଦି ।

ସେହିଭଳି ଗଙ୍ଗା ସଫେଇ ବି କେବଳ ନାମକୁ ମାତ୍ର ଥିଲା । ଗଙ୍ଗା ସଫେଇକୁ ନେଇ ପ୍ରଧାନମନ୍ତ୍ରୀ ଅନେକ ସ୍ୱପ୍ନ ଦେଖିଥିଲେ ଓ ଅନେକ ପ୍ରତିଶୃତି ଦେଇଥିଲେ । କିନ୍ତୁ ଗତ ତିନିବର୍ଷ ଭିତରେ ଗଙ୍ଗା ସଫେଇ କିଭଳି ହୋଇଛି ତାହା ପ୍ରଧାନମନ୍ତ୍ରୀଙ୍କ ଚିନ୍ତାର କାରଣ ଥିଲା । ଉମାଭାରତୀଙ୍କ ସହ ଜୁନିୟର ମନ୍ତ୍ରୀ ଭାବେ ସଂଜୀବ ବାଲ୍ୟାନଙ୍କୁ ବି ବାହାରର ରାସ୍ତା ଦେଖାଇବେ ମୋଦି । କାରଣ ଉଭୟ ବିଭାଗ ଓ କ୍ୟାବିନେଟରେ ସଂଜୀବଙ୍କ ଅବଦାନ ଆଖିଦୃଶିଆ ନୁହେଁ ।

ଫଗନ ସିଂ କୁଲସ୍ତେଙ୍କ ଉପରେ ମଧ୍ୟ ମୋଦି ଖୁସି ନଥିଲେ । କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ୱାସ୍ଥ୍ୟ ବିଭାଗର ରାଷ୍ଟ୍ରପାହ୍ୟା ଦାୟିତ୍ୱରେ ଥିବା କୁଲସ୍ତେଙ୍କର ନିଜ ବିଭାଗରେ ବି ଉପସ୍ଥାନ କମ । ସେପଟେ ସାଂଗଠାନିକ କ୍ଷେତ୍ରରେ ବି ସେଭଳି ଠୋସ କାର୍ଯ୍ୟକ୍ରମ କରିନାହାଁନ୍ତି । ଉଭୟ ଅମିତ ଶାହ ଓ ମୋଦି କୁଲସ୍ତେଙ୍କ ଉପରେ ଖୁସିନଥିଲେ । ତେଣୁ ଫଗନଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରୁ ବିଦା ହେବାକୁ ପଡିପାରେ ।

କେଉଁ ବିଭାଗ ବଦଳିପାରେ :
ରାଧାମୋହନ ଓ ରାଜୁଙ୍କ ବିଭାଗ ବଦଳିବାର ଯଥେଷ୍ଟ ସମ୍ଭାବନା ରହିଛି । କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଗଜପତି ରାଜୁଙ୍କ ବିଭାଗରେ ଅଦଳ ବଦଳ ହେବାର ସମ୍ଭାବନା ଯଥେଷ୍ଟ ରହିଛି । ତାଙ୍କ ସ୍ଥାନରେ ନୂଆମୁହଁ ଆସିପାରନ୍ତି ଏହି ବିଭାଗର ଦାୟିତ୍ୱ ନେବାକୁ । ରାଜୁଙ୍କୁ ଅପେକ୍ଷାକୃତ ଛୋଟ ବିଭାଗ ମିଳିପାରେ । ସେହିଭଳି କେନ୍ଦ୍ର କୃଷିମନ୍ତ୍ରୀ ରାଧାମୋହନ ସିଂଙ୍କ ବିଭାଗରେ ବି ପରିବର୍ତ୍ତନ ହୋଇପାରେ । ତାଙ୍କ ବିଭାଗରେ ସେଭଳି ବଡ ପଦକ୍ଷେପ ନଥିବାରୁ ତାଙ୍କ ସ୍ଥାନରେ ଅନ୍ୟକାହାକୁ ଦିଆଯାଇପାରେ । ମେନକା ଗାନ୍ଧୀଙ୍କୁ ମହିଳା ବିକାଶ ମନ୍ତ୍ରଣାଳୟରୁ ହଟାଇ ଅନ୍ୟ କିଛି ବିଭାଗ ଦିଆଯିବାର ସମ୍ଭାବନା ରହିଛି ।

ସୁଯୋଗ ପାଇବେ ପ୍ରଭୂ :
ଆଉ ଏକ ସୁଯୋଗ ପାଇପାନ୍ତି ସୁରେଶ ପ୍ରଭୂ । ପ୍ରଧାନମନ୍ତ୍ରୀଙ୍କୁ ଭେଟି ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିବା ପ୍ରଭୁ ଏବେ ବି ଝୁଲା ଅବସ୍ଥାରେ ରହିଛନ୍ତି । କୁହାଯାଉଛି ନିଜ ବିଭାଗରେ ରିଫର୍ମ ଆଣିଥିବା ପ୍ରଭୂଙ୍କୁ ଆଉଟ କରିବାକୁ ଚାହୁଁନାହାଁନ୍ତି ମୋଦି । ତେଣୁ ରେଳ ବିଭାଗରୁ ହଟାଇ ତାଙ୍କୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇପାରେ । ଏମିତିକି ପ୍ରଭୂଙ୍କୁ ପରିବେଶ ମନ୍ତ୍ରଣାଳୟ ମିଳିପାରେ ବୋଲି ବି ଚର୍ଚ୍ଚା ହେଉଛି ।

ସଡକରେ ମିଶିପାରେ ରେଳ :
ରେଳ, ସଡକ ପରିବହନ ଓ ଯାହାଜ ପରିଚାଳନା ବିଭାଗକୁ ମିଶାଇ ମୋଦିଙ୍କ ଡ୍ରିମ ପୋଜେକ୍ଟ ଭାବେ ଏକ ବଡ ବିଭାଗ ଗଠନ କରାଯାଇପାରେ । ଯାହାର ଦାୟିତ୍ୱରେ ନୀତିନ ଗଡକାରୀ ରହିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେମିତି ପୂର୍ବତନ ରେଳମନ୍ତ୍ରୀ ଦିନେଶ ତ୍ରିବେଦୀଙ୍କୁ ମଧ୍ୟ ରେଳ ବିଭାଗ ଦିଆଯାଇପାରେ ବୋଲି ବି ଆଲୋଚନା ହେଉଛି । ରେଲୱେ ବୋର୍ଡର ନୂଆ ଅଧ୍ୟକ୍ଷ ଅଶୋକ ଲୋହାନୀ ଓ ଦିନେଶ ତ୍ରିବେଦି ମିଶି ରେଳ ବିଭାଗର ନବକଳେବର କରିପାରନ୍ତି ।

କିଏ ପାଇବେ ଫାଇଦା :
ମୋଦିଙ୍କ ମନ୍ତ୍ରୀମଣ୍ଡଳ ଅଦଳ ବଦଳରେ କିଏ ଫାଇଦାରେ ରହିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ପିୟୁସ ଗୋଏଲ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରକାଶ ଜାଭେଡକର ମୋଦି ଓ ଶାହାଙ୍କ ଗୁଡବୁକରେ ଥିବାରୁ ଏମାନଙ୍କ ପଟ ପରିବର୍ତ୍ତନ ହେବ । ଏବେ ଜାଭେଡକରଙ୍କ ପାଖରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, ଧର୍ମେନ୍ଦଙ୍କ ପାଖରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ଓ ପିୟୁସଙ୍କ ପାଖରେ ଶକ୍ତିି ବିଭାଗ ରହିଛି ।

ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ଏହି ତିନି ମନ୍ତ୍ରୀ ନିଜ ବିଭାଗର ଦାୟିତ୍ୱ ସହ ସାଙ୍ଗଠାନିକ କ୍ଷେତ୍ରରେ ମଧ୍ୟ ବେଶ ପାରଦର୍ଶିତା ଦେଖାଇଛନ୍ତି । ଯେଉଁଥିପାଇଁ ମୋଦି ଓ ଶାହା ଖୁସି ଅଛନ୍ତି ଏମାନଙ୍କ ଉପରେ । ଫଳରେ ଏହି ତିନିଜଣଙ୍କୁ ନିଜ ବିଭାଗରେ ପ୍ରମୋସନ ମିଳିପାରେ । ରାଷ୍ଟ୍ରମନ୍ତ୍ରୀରୁ କ୍ୟାବିନେଟ ପାହ୍ୟାକୁ ଯାଇପାରନ୍ତି ଏହି ମନ୍ତ୍ରୀମାନେ ।

ମନ୍ତ୍ରୀପଦରୁ ସଙ୍ଗଠନ ରାସ୍ତା :
କିଛି ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ହଟାଇ ସାଙ୍ଗଠାନିକ ଦାୟିତ୍ୱ ଦିଆଯାଇପାରେ । ଏଭଳି ସମ୍ଭାବନା ଏବେ ଦେଖାଦେଇଛି । କାରଣ ଦକ୍ଷିଣ ଭାରତରେ ନିଜର ଉପସ୍ଥିତି ଜାହିର କରିଥିବା ଭାରତୀୟ ଜନତା ପାର୍ଟି, ପୂର୍ବ ଭାରତରେ ନିଜର ପ୍ରଭାବ ବିସ୍ତାର କରିବାକୁ ଚାହୁଁଛି । ଅନ୍ୟପଟେ ଆଗକୁ ଗୁଜୁରାଟ ନିର୍ବାଚନଥିବା ବେଳେ ୨୦୧୮ ନିର୍ବାଚନ ବି ଚାହୁଁ ଚାହୁଁ ପହଂଚିଯିବ ।

ପୁଣି ୨୦୧୯ ନିର୍ବାଚନକୁ ୨୦୧୮ରେ କରାଇବାକୁ ଚାହୁଁଛନ୍ତି ମୋଦି । ତେଣୁ ବରିଷ୍ଠ ଓ ଅଭିଜ୍ଞ ମନ୍ତ୍ରୀଙ୍କୁ ସଙ୍ଗଠନକୁ ପଠାଯାଇପାରେ । ସେମାନଙ୍କ ମଧ୍ୟରେ ରହିଛନ୍ତି ନିର୍ମଳା ସୀତାରମଣ । କେନ୍ଦ୍ର ବାଣିଜ୍ୟ ବିଭାଗ ଦାୟିତ୍ୱରେ ଥିବା ନିର୍ମଳା ଇସ୍ତଫା ଦେବାକୁ କହିସାରିଛନ୍ତି । ତେଣୁ ତାଙ୍କୁ ପୁଣିଥରେ ସଂଗଠନକୁ ପଠାଯିବ । ଏଚଆରଡି ରାଷ୍ଟ୍ରମନ୍ତ୍ରୀ ଉପେନ୍ଦ୍ର କୁଶବାହା ବି ହଟିପାରନ୍ତି ଓ ସଙ୍ଗଠନକୁ ଯାଇପାରନ୍ତି । ବିହାରରେ ସମୀକରଣ ବଦଳି ଯାଇଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରେ ରଖିବାକୁ ଚାହୁଁନାହାଁନ୍ତି ମୋଦି । ତେଣୁ ତାଙ୍କୁ ମଧ୍ୟ ସାଙ୍ଗଠାନିକ କ୍ଷେତ୍ରରେ ଲଗାଯାଇପାରେ ।

ବୋଝ ହେବ ହାଲୁକା :
ଯେଉଁ ମନ୍ତ୍ରୀଙ୍କ ପାଖରେ ଏକରୁ ଅଧିକ ବିଭାଗ ରହିଛି ସେମାନଙ୍କ ବୋଝ ହାଲୁକା ହୋଇପାରେ । କାରଣ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହେଲେ ଏମାନଙ୍କ ପାଖରେ ଥିବା ଅତିରିକ୍ତ ବିଭାଗକୁ କାଢ଼ି ଦିଆଯିବ । ଏବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ପାଖରେ ପ୍ରତିରକ୍ଷା ବିଭାଗ ରହିଛି । ମନୋହର ପାରିକର ଗୋଆ ମୁଖ୍ୟମନ୍ତ୍ରୀ ହେବା ପରଠାରୁ ଜେଟଲୀ ଏହି ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଏବେ ଡୋକଲାମ ବିବାଦ ଥିବା ବେଳେ ଭାରତ-ଚୀନ ମୁହାଁମୁହିଁ ସ୍ଥିତିରେ ରହିଛନ୍ତିି । ତେଣୁ ପ୍ରତିରକ୍ଷା ବିଭାଗ ଅଭିଜ୍ଞ ଓ ବରିଷ୍ଠ ମନ୍ତ୍ରୀଙ୍କୁ ମିଳିପାରେ । ଡାଃ ହର୍ଷବର୍ଦ୍ଧନ ଓ ସ୍ମୃତି ଈରାନୀଙ୍କ ପାଖରେ ବି ଦୁଇ ଦୁଇଟି ବିଭାଗ ରହିଛି । ତେଣୁ ଏମାନଙ୍କ ଠାରୁ ଅତିରିକ୍ତ ବିଭାଗକୁ କାଢ଼ି ନିଆଯାଇ ନୂଆ ଚେହେରାକୁ କ୍ୟାବିନେଟରେ ସ୍ଥାନ ମିଳିପାରେ ।

କିଏ ହେବେ ନୂଆ ମନ୍ତ୍ରୀ :
ମୋଦିଙ୍କ କ୍ୟାବିନେଟରେ ଏଥର କିଛି ନୂଆ ଚେହେରା ସ୍ଥାନ ପାଇପାରନ୍ତି । ବରିଷ୍ଠଙ୍କୁ ଛୁଟି ଦିଆଯିବା ସହ ନୁଆ ମୁହଁ ସାମ୍ନାକୁ ଆସିବେ । ଏମିତିରେ ଜେଡିୟୁ ଓ ଏଆଇଏଡିଏମକେ ସହ ଭାଜପାର ସଂପର୍କ ନିବିଡ ହେବା ପରେ ଏହି ଦୁଇଦଳର କିଛି ଅଭିଜ୍ଞ ସାଂସଦଙ୍କୁ ବି ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିବ । ଏନେଇ ନୀତିଶଙ୍କ ଠାରୁ ମଧ୍ୟ କିଛି ନାଁ କୁ ପ୍ରସ୍ତାବ ମଗାଯାଇଥିବା ଜଣାପଡିଛି । ରୁଢ଼ିଙ୍କ ସ୍ଥାନରେ ଜେଡିୟୁର ବରିଷ୍ଠ ସାଂସଦ ନାରାୟଣ ସିଂ, ଆରସିପି ସିଂ ଙ୍କ ମଧ୍ୟରୁ ଜଣକୁ ମନ୍ତ୍ରୀପଦ ମିଳିବାର ସମ୍ଭାବନା ରହିଛି ।

ଶିବସେନାର ଆନନ୍ଦ ରାଓ ଅଡସୁଲଙ୍କ ମଧ୍ୟ ମନ୍ତ୍ରୀପଦ ମିଳିପାରେ । ମଧ୍ୟପ୍ରଦେଶର ଆଲୋକ ସଂଜାର, ଗଣେଷ ସିଂ, ରାକେଶ ଚୌଧୁରୀ, କିମ୍ବା ପ୍ରଭାତ ଝା ମଧ୍ୟ ମନ୍ତ୍ରୀ ପଦ ପାଇପାରନ୍ତିି । କର୍ଣ୍ଣାଟକ ନିର୍ବାଚନକୁ ଆଖିଆଗରେ ରଖି ଲିଙ୍ଗାୟତ ସଂପ୍ରଦାୟର ଶିବକୁମାର ଉଦାସୀ ଓ ସୁରେଶ ଆଙ୍ଗଡୀ ମଧ୍ୟ ନୂଆ ଚେହେରା ଭାବେ ଉଭା ହୋଇପାରନ୍ତି ।

ଓଡିଶା ଉପରେ କଣ ରହିବ ପ୍ରଭାବ :
ମନ୍ତ୍ରୀମଣ୍ଡର ଏହି ଅଦଳବଦଳ ଓଡିଶା ଉପରେ ପ୍ରଭାବ ରଖିବ । କାରଣ, ଧର୍ମେନ୍ଦ୍ରଙ୍କୁ ଯଦି ମନ୍ତ୍ରୀମଣ୍ଡଳରୁ ଅବ୍ୟାହତି ଦିଆଯିବ ତେବେ ହୁଏତ ରାଜ୍ୟରେ ବିଜେପିର ସାଂସଗଠନିକ ସ୍ଥିତି ଓ ବିଜେଡିର ମୁକାବିଲା କରିବାକୁ ମନୋବଳ ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । କାରଣ ଏଠି ମୁଖ୍ୟମନ୍ତ୍ରୀଙ୍କୁ ବରାବର୍ ଟକ୍କର ଦେଇ ଆସୁଛନ୍ତି ଧର୍ମେନ୍ଦ୍ର । କେନ୍ଦ୍ରମନ୍ତ୍ରୀ ଭାବେ ରାଜ୍ୟରେ ବେଶ ପ୍ରଭାବ ବିସ୍ତାର କରିଛନ୍ତି ।

ଅନୁମାନ କରାଯାଉଛି, ୨୦୧୯ ପାଇଁ ରାଜ୍ୟରେ ଧର୍ମେନ୍ଦ୍ରଙ୍କୁ ଚେହେରା ଭାବେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ଘୋଷଣା କରିପାରେ । ଆଉ ଏହାହେଲେ ସଂଗଠନ ଉପରେ ଅଧିକ ଧ୍ୟାନ ଦେବାକୁ ଧର୍ମେନ୍ଦ୍ରଙ୍କୁ ଓଡିିଶା ପଠାଇପାନ୍ତି ଶାହା । ନଚେତ କ୍ୟାବିନେଟ ରାଙ୍କ ଦେଇ ଆହୁରି ଶକ୍ତିଶାଳୀ କରିବା ସହ ନବୀନଙ୍କ ସାମ୍ନାରେ ଧର୍ମେନ୍ଦ୍ରଙ୍କ ଜରିଆରେ ପ୍ରାଚୀର ତିଆରି କରିବାକୁ ରଣନୀତି କରିବେ ଅମିତ । କାରଣ ଓଡିଶାରେ ୧୨୦ ଟାର୍ଗେଟ ଧରି କାମ କରୁଛନ୍ତି ଅମିତ ଶାହା । ସେହିଭଳି ଜୁଏଲ ରାଜ୍ୟରୁ ଏକମାତ୍ର ସାଂସଦ ହୋଇଥିବାରୁ ତାଙ୍କୁ ମନ୍ତ୍ରୀମଣ୍ଡଳରୁ କଢ଼ାଯାଇନପାରେ ।

ତେବେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ହେଉଛି । ଦେଖିବାର କଥା କିଏ ହେଉଛି ଇନ ଆଉ କିଏ ହେଉଛି ଆଉଟ ।