ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ହେବ ନବକଳେବର ! ଖର୍ଚ୍ଚ ହେବ ୧୦୨୩କୋଟି

55

କନକ ବ୍ୟୁରୋ : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଖୁବ୍‌ ଶୀଘ୍ର ନବକଳେବର ହେବ । ଏହାକୁ ଅତ୍ୟାଧୁନିକ ଏବଂ ଦେଶର ଶ୍ରେଷ୍ଠ ବିମାନବନ୍ଦର ମଧ୍ୟରେ ସାମିଲ୍‌ କରାଯିବ । ଏଥିପାଇଁ ୧୦ବର୍ଷିଆ ଯୋଜନା ପ୍ରସ୍ତୁତ ହୋଇଛି । ବିମାନବନ୍ଦରର ଭିତ୍ତିଭୂମି ବିକାଶ ପାଇଁ ଆସନ୍ତା କିଛି ବର୍ଷ ମଧ୍ୟରେ ୧୦୨୩କୋଟି ଖର୍ଚ୍ଚ କରିବାକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷ ଯୋଜନା ପ୍ରସ୍ତୁତ କରିଛନ୍ତି । ଏବେ ବିମାନବନ୍ଦରର ଟି-୧ ଏବଂ ଟି-୨ ଟର୍ମିନାଲରେ ବାର୍ଷିକ ୨.୫ ମିଲିଅନ ଯାତ୍ରୀ ଯାତାୟତ କରିବା ଭଳି ବ୍ୟବସ୍ଥା ଥିବାବେଳେ ଗତ ବର୍ଷକ ମଧ୍ୟରେ ଯାତ୍ରୀ ଯାତାୟତ ୩୬% ବୃଦ୍ଧି ପାଇଛି । ଯାତ୍ରୀ ଯାତାୟତ ବୃଦ୍ଧିରେ ଭୁବନେଶ୍ୱର ଦେଶର ୫ଟି ପ୍ରମୁଖ ବିମାନବନ୍ଦର ମଧ୍ୟରେ ଥିବାରୁ ଭବିଷ୍ୟତକୁ ନଜରରେ ରଖି ଆଉ ଗୋଟିଏ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି । ଟି-୧ ଟର୍ମିନାଲ ନିକଟରେ ଟି-୩ ଟର୍ମିନାଲ ନିର୍ମାଣ ହେ ବ। ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏବଂ ଅତ୍ୟାଧୁନିକ ସୁବିଧା ସୁଯୋଗ ଟର୍ମିନାଲ ଭାବେ ଏହାକୁ ନିର୍ମାଣ କରାଯିବ ।

ଏଥିପାଇଁ ୭୫୦କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ଡିପଆର୍‌ ପ୍ରସ୍ତୁତ ହୋଇ ସାରିଥିବାବେଳେ ଏହାକୁ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁମୋଦନ ପାଇଁ ପଠାଯିବ । କେନ୍ଦ୍ର କ୍ୟାବିନେଟ୍‌ ଏଥିରେ ଚୂଡ଼ାନ୍ତ ମୋହର ମାରିବା ପରେ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ, ଟି-୩ ଟର୍ମିନାଲ ଟି-୧ ଟର୍ମିନାଲ ଠାରୁ ବଡ଼ ହେବ । ଏହା ୫୮୦୦୦ ବର୍ଗମିଟର ଅଞ୍ଚଳରେ ନିର୍ମାଣ ହେବ । ଏହି ଟର୍ମିନାଲର ବାର୍ଷିକ ଯାତ୍ରୀ ଯାତାୟତ କ୍ଷମତା ୬ମିଲିଅନ ରହିବ। ଏହି ଟର୍ମିନାଲର ବିଶେଷତ୍ୱ ହେବ ଘଣ୍ଟାକରେ ଏକସଙ୍ଗେ ୨୯୦୦ ଯାତ୍ରୀ ଯାତାୟତ କରିପାରିବେ । ଏହାସହ ୯ଟି ଏ-୩୨୦ ଏୟାରବସ୍‌ ବିମାନ ପାର୍କିଂ କରିବା ଭଳି ବ୍ୟବସ୍ଥା ରହିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଅଗ୍ନିଶମ କେନ୍ଦ୍ର ବି ନିର୍ମାଣ ହେବ। ଟି-୩ ଟର୍ମିନାଲ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ଏହାର ନିର୍ମାଣ ୨ବର୍ଷରେ ସରିବ । ଏହାପୂର୍ବରୁ ଏହି ଟର୍ମିନାଲ ପାଇଁ ସମସ୍ତ ଆନୁଷଙ୍ଗିକ ନିର୍ମାଣ କାର୍ଯ୍ୟ ଶେଷ କରାଯିବ। ଯାହାଦ୍ୱାରା ଟର୍ମିନାଲ ନିର୍ମାଣ ଶେଷ ହେବା କ୍ଷଣି ଏହାକୁ କାର୍ଯ୍ୟକ୍ଷମ କରିହେବ। ଏହା କେବଳ ଘରୋଇ ବିମାନ ଯାତାୟତ ପାଇଁ ରହିବ ।

ଟି-୩ ଟର୍ମିନାଲ ଘରୋଇ ବିମାନ ଓ ଯାତ୍ରୀଙ୍କ ପାଇଁ ବ୍ୟବହାର ହେଲେ ଟି-୧ ଓ ଟି-୨ ଟର୍ମିନାଲ ଅନ୍ତର୍ଜାତୀୟ ବିମାନ/ଯାତ୍ରୀଙ୍କ ପାଇଁ ବ୍ୟବହାର ହେବ । ଟି-୨ ଟର୍ମିନାଲର ଆଧୁନିକୀକରଣ କରିବା ସହ ଟି-୧ ଓ ଟି-୨ ଟର୍ମିନାଲକୁ ସଂଯୋଗ କରାଯିବ । ଏଥିପାଇଁ ପ୍ରାୟ ୭୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ ହୋଇଛି। ଦେଶର ଅନ୍ୟ ଅନ୍ତର୍ଜାତୀୟ ଟର୍ମିନାଲରେ ମିଳୁଥିବା ସୁବିଧା ସୁଯୋଗ ଭଳି ଏଠାରେ ସବୁ ପ୍ରକାରର ସେବା ଉପଲବ୍ଧ ହେବ । ଏରୋବ୍ରିଜ୍‌ରେ ବିମାନକୁ ଯାତାୟତ ଠାରୁ ଆରମ୍ଭ କରି ଅତ୍ୟାଧୁନିକ ବିଶ୍ରାମସ୍ଥଳୀ, ସପିଂ, ଖାଦ୍ୟପାନୀୟ, ଚେକିଂ ବ୍ୟବସ୍ଥା, ଏସ୍‌କାଲେଟର୍‌, ଲିଫ୍ଟ ଏବଂ ଆତିଥେୟତା ଉପଲବ୍ଧ ହେବ । ଦୁଇଟି ଯାକ ଟର୍ମିନାଲ ମଧ୍ୟରେ ପ୍ରାୟ ୨୦୦ମିଟର ଜାଗା ଥିବାବେଳେ ଏଠାରେ ଏକ ଦୁଇ ମହଲା ବିଶିଷ୍ଟ ବିଲଡିଂ ନିର୍ମାଣ ହେବ ।

ଯାହା ଦୁଇଟି ଯାକ ଟର୍ମିନାଲକୁ ସଂଯୋଗ କରିବ । ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ୨୦୧୭-୨୮ସୁଦ୍ଧା ଯାତ୍ରୀ ଯାତାୟତକୁ ନଜରରେ ରଖି ଏହାର ଭିତ୍ତିଭୂମି ବିକାଶ କରାଯିବ । ଏଥିପାଇଁ ପ୍ରାୟ ୧୦୨୩କୋଟି ଖର୍ଚ୍ଚ ହେବାକୁ ଥିବାବେଳେ ଟି-୩ ଟର୍ମିନାଲ ପାଇଁ ୭୫୦କୋଟି, ଟି-୧ ଓ ଟି-୨ ଟର୍ମିନାଲ ସଂଯୋଗୀକରଣ ପାଇଁ ୭୦କୋଟି, ପାରାଲାଲ୍‌ ଟ୍ୟାକ୍ସି ଟ୍ରାକ୍‌ ଏବଂ ରାପିଡ୍‌ ଏକଜିଟ୍‌ ଟ୍ୟାକ୍ସି ୱେ ଟି-୩ରେ ୯ଟି ଏ-୩୨୦ ବିମାନ ପାର୍କିଂ ପାଇଁ ୧୩୮କୋଟି, ନିଉ ଟେକନିକାଲ୍‌ ବ୍ଲକ୍‌ ଏବଂ କଣ୍ଟ୍ରୋଲ ଟାଓ୍ଵାର ପାଇଁ ୩୨.୫୪କୋଟି, ଅଗ୍ନିଶମ କେନ୍ଦ୍ର ଏବଂ ଇଞ୍ଜିନିୟରିଂ ଓ ମରାମତି ଓ୍ଵାର୍କସପ୍‌ ପାଇଁ ୩୨କୋଟି ଖର୍ଚ୍ଚ ହେବ । ଏବେ କଣ୍ଟ୍ରୋଲ ଟାଓ୍ଵାର ଓ ଅଗ୍ନିଶମ କେନ୍ଦ୍ର କାର୍ଯ୍ୟ ଆରମ୍ଭ ହୋଇଛି ବାକି କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ।