ବଦଳିଗଲେ ବରଗଡର କଂସ ! ଭୋଟ ଆଉ ସାକ୍ଷାତକାର ପରେ ୨୩ ଜଣ ଆଶାୟୀଙ୍କ ଭିତରୁ ବଛାହେଲେ ନୂଆ କଂସ

26

କନକ ବ୍ୟୁରୋ : ଅଟ୍ଟହାସ୍ୟରେ ପ୍ରକମ୍ପିତ ହେବ ଧନୁଯାତ୍ରା । ବରଗଡ଼ରେ ଚାଲିବ କଂସଙ୍କ ମହାରାଜ ରାଜୁତି । ସମସ୍ତ ଆଶାୟୀଙ୍କୁ ପଛରେ ପକାଇ କଂସ ଭୂମିକା ପାଇଁ ମନୋନୀତ ହୋଇଛନ୍ତି ମଂଚ ଅଭିନେତା ଭୁବନେଶ୍ୱର ପ୍ରଧାନ । ପ୍ରଥମଥର ପାଇଁ ବିଶ୍ୱର ସବୁଠୁ ବଡ଼ ଖୋଲାମଂଚରେ ସବୁଠୁ ବଡ଼ ଚର୍ଚ୍ଚିତ ଭୂମିକାରେ ନଜର ଆସିବେ ଭୁବନେଶ୍ୱର ।

ଧନୁଯାତ୍ରାର ମୁଖ୍ୟ ଚରିତ୍ର କୁହାଯାଉଥିବା କଂସ ଭୂମିକା ପାଇଁ ଆୟୋଜିତ ହୋଇଥିଲା, ଅଡିସନ୍ । ଯେଉଁଥିରେ ଭାଗ ନେଇଥିଲେ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ ଆସିଥିବା ଅନେକ କଳାକାର । ଏମିତିକି ପୂର୍ବରୁ ୨୩ବର୍ଷ ଧରି ଅଭିନୟ କରିଥିବା ଗୋପାଳ ସାହୁ ଏବଂ ଗତ ୮ ବର୍ଷ ଧରି ଅଭିନୟ କରିଥିବା ହୃଷିକେଶ ଭୋଇଙ୍କୁ ପଛରେ ପକାଇଦେଇଛନ୍ତି ଭୁବନେଶ୍ୱର ପ୍ରଧାନ ।

ଚଳିତବର୍ଷ ପ୍ରଥମ ଥର ପାଇଁ ସଚେତନ ନାଗରିକଙ୍କ ପକ୍ଷରୁ ବରଗଡ଼ରେ କଂସ ଭୂମିକା ପାଇଁ ମତଦାନ ହୋଇଥିଲା । ସେହିପରି ଆଜି ଅଡିସନ୍ ଜରିଆରେ କଂସ ଭୂମିକାର କଳାକାରଙ୍କୁ ମନୋନୀତ କରିଛି ବରଗଡ଼ ଧନୁଯାତ୍ରା କମିଟି । ଆଉ ଏବେ ଅପେକ୍ଷା ଡିସେମ୍ବର ୨୩ ତାରିଖକୁ । ଯେତେବେଳେ ମଂଚକୁ ଓହ୍ଲାଇବେ ବରଗଡ଼ର ନୂଆ କଂସ ।