କମାଲ କଲେ ଓଡିଆ ସ୍କୁଲ ଛାତ୍ର । ନିର୍ମାଣ କଲେ ସ୍ମାର୍ଟ ଧାନକଟା ଯନ୍ତ୍ର, ଧାନ କାଟିବା ସହ ରହିଛି ଏଫଏମ, ଟର୍ଚ୍ଚ,ପଙ୍ଖା, ମ୍ୟୁଜିକ ଶୁଣିବାର ସୁବିଧା

349

କନକ ବ୍ୟୁରୋ : ଛାତ୍ର ନିର୍ମାଣ କଲେ ସ୍ମାର୍ଟ ଧାନକଟା ଯନ୍ତ୍ର । ଗଂଜାମ ଜିଲ୍ଲା ସଦର ମହକୁମା ଠାରୁ ଶହେ କିମିରୁ ଉଦ୍ଧ୍ୱର୍ ଦୂରରେ ଜଣେ ଛାତ୍ର ବିଜ୍ଞାନ ମେଳାରେ ଏକ ସ୍ମାର୍ଟ ଧାନକଟା ଯନ୍ତ୍ର ତିଆରି କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଥିରେ ଖରା ଓ ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ବ୍ୟବସ୍ଥା ରହିବା ସହ ପବନ ପାଇବା ପାଇଁ ରହିଛି ପଙ୍ଖାର ବ୍ୟବସ୍ତା । ଅନ୍ଧାର ରାସ୍ତାରେ ଯିବା ଆସିବା ପାଇଁ ଟର୍ଚ ଲାଇଟ୍ ବ୍ୟବସ୍ଥା ଓ ମ୍ୟୁଜିକ୍ ଶୁଣିବା ସୁବିଧା ମଧ୍ୟ ରହିଛି । ଏଥିରେ ଦିଗ ନିର୍ଣ୍ଣୟକାରୀ ଯନ୍ତ୍ର ଓ ପାଣିପାଗ ଜାଣିବା ପାଇଁ ଏଫଏମ୍ ରେଡ଼ିଓ ଓ ତାପମାତ୍ରା ଜାଣିବା ପାଇଁ ତାପମାପକ ମିଟର ରଖିଛନ୍ତି ଛାତ୍ରଜଣକ ।

ଧାନକାଟିବା ବ୍ୟତୀତ ଏଥିରେ ଔଷଧ ସିଂଚନ ବ୍ୟବସ୍ଥା ମଧ୍ୟ ରଖାଯାଇଛି । ଏହି ଯନ୍ତ୍ର ସୋଲାର ପ୍ୟାନେଲ ଦ୍ୱାରା କାର୍ଯ୍ୟକ୍ଷମ ହେଉଥିବା ବେଳେ ସୌର ଶକ୍ତିିକୁ ସଂରକ୍ଷଣ କରି କାର୍ଯ୍ୟ କରିବା ପାଇଁ ସ୍ୱତନ୍ତ୍ର ବ୍ୟାଟେରୀର ମଧ୍ୟ ବ୍ୟବସ୍ଥା ରହିଛି । ଏହାକୁ ଆଣ୍ଡ୍ରଏଡ ମୋବାଇଲ୍ ଦ୍ୱାରା ମଧ୍ୟ ପରିଚାଳିତ କରା ଯାଇପାରିବ । ଏହି ନିଆରା ଯନ୍ତ୍ର ବିକଶିତ କରିଥିବା ଛାତ୍ର ବାବୁଲା ଗୌଡ଼ଙ୍କ ବାପା ଉଦୟ ଗୌଡ଼ ଓ ମାଆ ଶଶୀ ଗୌଡ଼ ଉଭୟ କୃଷିଜୀବୀ । ବାପା ମାଆ କୃଷି କରୁଥିବା ସମୟରେ ତାଙ୍କ ଅସୁବିଧାକୁ ଦେଖି ଏଭଳି ଯନ୍ତ୍ର ବିକଶିତ କରିଥିବା ଛାତ୍ରଜଣକ କହିଛନ୍ତି । ଅପହଞ୍ଚ ଇଲାକାର ଛାତ୍ରଙ୍କର ଏହି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି ।

Comments are closed.