ପ୍ରଧାନ ବିଚାରପତିଙ୍କ ପ୍ରୟାସ ସଫଳ : ବିଭିନ୍ନ ରାଜ୍ୟ ହାଇକୋର୍ଟରେ ଶନିବାର ମାମଲା ଶୁଣାଣି

68

କନକ ବ୍ୟୁରୋ: ସୁପ୍ରିମ କୋର୍ଟର ବିଚାରପତି ରୂପେ ଦାୟିତ୍ୱ ଗ୍ରହଣ କରିବାପରେ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଦ୍ୱାରା ସେପ୍ଟେମ୍ବର ୪ ତାରିଖରେ ୨୪ ରାଜ୍ୟର ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କୁ ପତ୍ର ଲେଖାଯାଇ ହାଇକୋର୍ଟମାନଙ୍କରେ ପ୍ରତ୍ୟେକ ଶନିବାର ଦିନ ସ୍ୱତନ୍ତ୍ର ବେଞ୍ଚ ଜରିଆରେ ବିଚାରଧିନ ଥିବା ଅପରାଧିକ ମାମଲା ଗୁଡ଼ିକର ଶୁଣାଣି କରି ଡିସପୋଜ୍ କରିବାପାଇଁ କୁହାଯାଇଥିଲା ।

ବହୁ ସଂଖ୍ୟାରେ ଅପରାଧିକ ମାମଲା ଗୁଡ଼ିକ ବିଚାରଧିନ ରହିବା ଏବଂ ଏଥିରେ ହେଉଥିବା ବିଳମ୍ବତା ଆମର ନ୍ୟାୟ ପ୍ରଦାନ କରିବାର କ୍ଷମତା ଉପରେ ପ୍ରଶ୍ନ ଉଠାଉଥିବାରୁ ପ୍ରଧାନ ବିଚାରପତି ଦୀପକ ମିଶ୍ର ପତ୍ରରେ ଲେଖିଥିଲେ । ଅପରାଧିକ ମାମଲା, ଜେଲ୍ ଅପିଲ ଗୁଡ଼ିକର ତ୍ୱରିତ ବିଚାର କରି ଫଏସଲା ନେବାର ରାସ୍ତା ବାହାର କରାଯାଇ ପାରିବ । ଏମିତି ମାମଲାରେ ସରକାରୀ ଖର୍ଚ୍ଚରେ ଆବେଦନକାରୀଙ୍କୁ ଲିଗାଲ୍ ଏଡ୍ ପ୍ରଦାନ କରାଯାଇଛି । ଏମିତି ମାମଲାର ଶୁଣାଣି ପାଇଁ ଶନିବାର ଦିନ ସ୍ୱତନ୍ତ୍ର ବେଞ୍ଚ୍ ଗଠନ କରାଯାଇପାରିବ । ସେ ପତ୍ରରେ ଲେଖିଥିଲେ ଏଇଥିପାଇଁ ମୁଖ୍ୟ ବିଚାରପତିମାନଙ୍କୁ ଅନୁରୋଧ କରାଯାଉଛି ଯଦି ଶନିବାର ବେଞ୍ଚ୍ କାର୍ଯ୍ୟ ଚାଲିବ ତେବେ ଏହାର ଭଲ ବାର୍ତ୍ତା ପହଞ୍ଚିବ ।

ସୂଚନାନୁଯାୟୀ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ସେପ୍ଟେମ୍ବର ୪ ତାରିଖ ପତ୍ର ଲେଖାଯିବାପରେ ଓଡ଼ିଶା, ଦିଲ୍ଲୀ, ଆହ୍ଲାବାଦ୍, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ପାଟନା ହାଇକୋର୍ଟମାନଙ୍କରେ ଶନିବାର ଦିନ ସ୍ୱତନ୍ତ୍ର ବେଞ୍ଚ୍ କାର୍ଯ୍ୟ କରିବାରେ ଲାଗିଲେଣି । ଆଗକୁ ବଳକା ଥିବା ହାଇକୋର୍ଟ ମାନଙ୍କରେ ଶନିବାର ଦିନ ସ୍ୱତନ୍ତ୍ର ବେଞ୍ଚ୍ ବସି ବିଚାରଧିନ ଥିବା ମାମଲା ଗୁଡ଼ିକର ଶୁଣାଣି କରିବ ବୋଲି ଜଣାପଡ଼ିଛି । ଉଲ୍ଲେଖଯୋଗ୍ୟ ଦେଶର ୨୪ଟି ହାଇକୋର୍ଟରେ ୪ ମିଲିଅନ ମାମଲା ଗୁଡ଼ିକ ବିଚାରଧିନ ଥିବାବେଳେ ୪୪ ପ୍ରତିଶତ ବିଚାରପତିମାନଙ୍କର ପଦ ଖାଲି ରହିଛି ।