ଶବକୁ ମିଳିବ ସମ୍ମାନ! ଦାନ ମାଝୀଙ୍କ ଲଜ୍ଜାର ଚିତ୍ର ପରେ ସରକାରଙ୍କ ନୂଆ ଗାଇଡଲାଇନ୍

17

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦାନ ମାଝିର ଦାନ । ଏଣିକି ଶବକୁ ମିଳିବ ସମ୍ମାନ । ଆଉ କାନ୍ଧରେ ବୁହାହେବନି ମୃତଦେହ । ରିକ୍ସା, ଅଟୋ ଏବଂ ସାଇକେଲରେ ମଶାଣିକୁ ଯିବନି କୋକେଇ । କଳାହାଣ୍ଡିର ଦାନ ମାଝି ଘଟଣା ଲୋକଲଜ୍ଜା ଆଣିବା ପରେ ଚେତିଛନ୍ତି ସରକାର । ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପାଇଁ ଶବକୁ ମର୍ଯ୍ୟଦା ଦେବେ ସରକାର । କୌଣସି ପରିସ୍ଥିତିରେ ବି ମୃତଦେହ ପ୍ରତି ଅବହେଳା କରାଯିବନି । ସମ୍ପୂଣ୍ଣ ବିଧି ମୁତାବକ ହେବ ମୃତଦେହର ଅନ୍ତିମ ସଂସ୍କାର। ତେବେ ଏଥିପାଇଁ ସ୍ଥିର ହୋଇଛି ଗାଇଡଲାଇନ୍।

ଚିକିତ୍ସା ସମୟରେ ମୃତ୍ୟୁ ହେଲେ : 

ମେଡିକାଲ୍ ଅଫିସର ରୋଗୀଙ୍କ ଫାଇନାଲ୍ ଚେକଅପ୍ କରିବେ । ହୃଦସ୍ପନ୍ଦନ ଓ ଶ୍ୱାସପ୍ରକ୍ରିୟା ପରୀକ୍ଷା କରି ରୋଗୀକୁ ମୃତ ଘୋଷଣା କରିବେ। ଏପରିକି ଚିକିତ୍ସା ସମୟରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ମେଡିକାଲ୍ ସାର୍ଟିଫିକେଟରେ ଦର୍ଶାଇବେ ସଂପୃକ୍ତ ମେଡିକାଲ୍ ଅଫିସର। ମୃତଦେହ ହସପିଟାଲରୁ ଯିବା ପୂର୍ବରୁ ଡେଥ୍ ରେଜିଷ୍ଟ୍ରାରରେ ନାଁ ଦର୍ଶାଇବେ । ଏଥିସହ ରୋଗୀ ମୃତ୍ୟୁ ସହ କୌଣସି ଆଇନଗତ ଦିଗ ଥିଲେ ସ୍ଥାନୀୟ ପୋଲିସ ଷ୍ଟେସନକୁ ଜଣାଇବେ।

ହସପିଟାଲକୁ ମୃତଦେହ ଆସିଲେ

ହସପିଟାଲକୁ ରୋଗୀଙ୍କୁ ଆଣିବା ପୂର୍ବରୁ ତାର ମୃତ୍ୟୁ ହୋଇସାରିଥିଲେ ବି ମେଡିକାଲ୍ ଅଫିସର ତାର ଯାଂଚ କରିବେ। ରୋଗୀଙ୍କ ମୃତ୍ୟୁ ନେଇ ଡ୍ୟୁଟିରେ ଥିବା ମେଡିକାଲ୍ ଅଫିସର ସ୍ଥାନୀୟ ଥାନାକୁ ଅବଗତ କରାଇବେ।

ଅଜଣା ମୃତଦେହ

ହସପିଟାଲରେ ଅଜଣା ରୋଗୀଙ୍କ ମୃତ୍ୟୁ ହେଲେ କିମ୍ବା ଅଜଣା ମୃତଦେହକୁ ହସପିଟାଲ ଆଣାଗଲେ ତାର ଯାଂଚ କରି ସ୍ଥାନୀୟ ଥାନାକୁ ଜଣାଇବେ ସଂପୃକ୍ତ ମେଡିକାଲ୍ ଅଫିସର ।

ହସପିଟାଲରୁ ମୃତଦେହ ସ୍ଥାନାନ୍ତର

ହସପିଟାଲରୁ କୌଣସି ମୃତଦେହକୁ ସନ୍ଦେହ ଅବସ୍ଥାରେ ନିଆଯାଉଥିଲେ ହସପିଟାଲ୍ କର୍ମଚାରୀ ଓ ସୁରକ୍ଷା କର୍ମଚାରୀ ସେପ୍ରତି ଦୃଷ୍ଟି ଦେବେ । ଦେଥ୍ ସ୍ଲିପ୍ ଚେକ୍ କରି ମେଡିକାଲ୍ ଅଫିସରଙ୍କୁ ଜଣାଇବେ । ମେଡିକାଲ୍ ଅଫିସର ଏହାର ସତ୍ୟତା ଯାଂଚ କରି ମୃତଦେହକୁ ଡିସଚାର୍ଜ କରିବେ।

ଏଥିସହ ହସପିଟାଲରେ ସମସ୍ତ ରୌଗୀ ମୃତ୍ୟୁ ସମ୍ପର୍କିତ ସୂଚନା ରଖିବାକୁ ଗାଇଡଲାଇନରେ ଦର୍ଶାଯାଇଛି। ମୃତଦେହ ପରିବହନ ପାଇଁ ପାଂଠି ସମସ୍ତ ଥାନାକୁ ଯୋଗାଇଦିଆଯିବ । ସହରାଂଚଳରେ ୧ ହଜାର, ଗ୍ରାମାଂଚଳରେ ୧୫ ଶହ ଏବଂ ସ୍ୱତନ୍ତ୍ର ଘଟଣାରେ ୨ ହଜାର ଟଂକା ଯୋଗାଇଦିଆଯିବ । ଏପରିକି ଶବର ଅନ୍ତିମ ସଂସ୍କାର ପାଇଁ ପରିବାର ଟଂକା ମାଗିଲେ ଆବଶ୍ୟକ ସ୍ଥଳେ ଜିଲ୍ଲାପାଳ ତାହା ଯୋଗାଇଦେବେ। ଜିଲ୍ଲାପାଳ, ଏସପି, ସିଡିଏମଓ, ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ଗାଇଡଲାଇନ୍ ନେଇ ଅବଗତ କରାଯାଇଛି ।