ନୂଆବର୍ଷରୁ ନୂଆ ନିୟମ ! ଏଣିକି ଧାରଣା ବା ଶୋଭାଯାତ୍ରା କରିବା ପଡିବ ମହଙ୍ଗା, ଗାଇଡଲାଇନ ଜାରି କଲା କମିଶନରେଟ ପୋଲିସ ! ଜାଣନ୍ତୁ କାହା ପାଇଁ କେତେ ଦର?

31

କନକ ବ୍ୟୁରୋ : ଆସନ୍ତା ଜାନୁଆରୀ ପହିଲାରୁ ପୋଲିସ କମିସନରେଟ ଅଂଚଳରେ ଧାରଣା, ଶୋଭାଯାତ୍ରା କରିବା ପାଇଁ ଲାଗୁ ହେବ ନୂଆ ଗାଇଡ ଲାଇନ୍ । ଏନେଇ ଆଜି ପୋଲିସ କମିଶନର ଜାରି କରିଛନ୍ତି ନିର୍ଦ୍ଦେଶନାମା । ଏଣିକି ରାଲି, ଶୋଭାଯାତ୍ରା, ସମାବେଶ, ବିକ୍ଷୋଭ, ଧାରଣା ଆଦି କଲେ ଆୟୋଜକଙ୍କୁ କେତେକ ନିୟମ ପାଳନ କରିବାକୁ ପଡିବ ।

କମିଶନରଙ୍କ ଚିଠି ଅନୁସାରେ ଏସବୁ କାର୍ଯ୍ୟକ୍ରମ କରିବା ପୂର୍ବରୁ ଆୟୋଜକଙ୍କୁ ପୋଲିସ ପାଖରୁ ଅନୁମତି ପତ୍ର ନେବାକୁ ପଡିବ । ଲାଇସେନ୍ସ ଫି ବାବଦକୁ ୧୦୦ ଟଙ୍କା ଓ ଡାକବାଜି ଯନ୍ତ୍ର ପାଇଁ ୨୦୦ ଟଙ୍କା ପୈଠ କରିବାକୁ ପଡିବ । ଏପରିକି ରସିଦ ନଥିଲେ କୌଣସି କାର୍ଯ୍ୟକ୍ରମ କରିପାରିବେ ନାହିଁ । ଏହାବାଦ ଆନ୍ଦୋଳନ ପାଇଁ ଅନୁମତି ଦେବା ପୂର୍ବରୁ ଅନୁଧ୍ୟାନ କରିବେ ଅଧିକାରୀ ବୋଲି କମିଶନରେଟ ପୋଲିସ କହିଛି । ସେହିପରି ବିଭିନ୍ନ ସମୟରେ ଏହି ଆନ୍ଦୋଳନକାରୀଙ୍କ ଯୋଗୁଁ ସାଧାରଣ ସଂପତି ନଷ୍ଟ ହୋଇଥାଏ । ଏହାକୁ ଭରଣା କରିବା ନେଇ ଆୟୋଜକଙ୍କୁ କାର୍ଯ୍ୟକ୍ରମ ପୂର୍ବରୁ ୧୦୦ ଟଙ୍କିଆ ନନ୍ -ଜୁଡିସିଆଲ ଷ୍ଟାମ୍ପ ପେପରରେ କ୍ଷତି ପୂରଣ ନେଇ ବଣ୍ଡ ଦାଖଲ କରିବାକୁ ପଡିବ ।

ପୋଲିସ କମିଶନରଙ୍କ ଅନୁସାରେ, ଗତ ବର୍ଷ ନଭେମ୍ବରରେ ହାଇଦ୍ରାବାଦରେ ବରିଷ୍ଠ ପୋଲିସ ଅଧିକାରୀ ସମ୍ମିଳନୀରେ ଏନେଇ ନିଷ୍ପତି ହୋଇଥିଲା । ଶାନ୍ତିପୂର୍ଣ୍ଣ ଭାବେ ଏହି ସବୁ କାର୍ଯ୍ୟକ୍ରମ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ପୋଲିସ କମିଶନର ୱାଇ ବି ଖୁରାନିଆ । ଏହା କେନ୍ଦ୍ର ସରକାରଙ୍କ ନିଷ୍ପତି ଏବଂ କମିଶନରେଟ ପୋଲିସ ଏହାକୁ କାର୍ଯ୍ୟକାରୀ କରୁଛି ବୋଲି କମିଶନର କହିଛନ୍ତି ।