ସିବିଆଇର ଅନ୍ତରୀଣ ନିର୍ଦ୍ଦେଶକ ନାଗେଶ୍ୱର ରାଓଙ୍କୁ ନେଇ ଆସିଲା ନୂଆ ଅଭିଯୋଗ ! ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଥିବା ବେଳେ ସଂଖ୍ୟାଲଘୁଙ୍କ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ

131

କନକ ବ୍ୟୁରୋ : ସିବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ଦାୟିତ୍ୱ ନେଇଥିବା ଓଡିଶା କ୍ୟାଡର ଆଇପିଏସ ନାଗେଶ୍ୱର ରାଓଙ୍କୁ ନେଇ ପୂର୍ବରୁ ଦୁର୍ନୀତିର ଅଭିଯୋଗ ଆସିସାରିଥିବା ବେଳେ ଆଜି ନାଗେଶ୍ୱରଙ୍କୁ ନେଇ ଆଉ ଏକ ନୂଆ ଅଭିଯୋଗର ଚିତ୍ର ଆସିଛି । ଅବଶ୍ୟ ଘଟଣାଟି ପୁରୁଣା, କିନ୍ତୁ ଅଭିଯୋଗ ବଡ ସାଙ୍ଘାତିକ । ଯାହା ଆଜି ଜଣାପଡିଛି । ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷରେ ଉପାଧ୍ୟକ୍ଷ ଥିବା ବେଳେ ନାଗେଶ୍ୱର ରାଓ ସାମ୍ପ୍ରଦାୟିକ ମତ ଦେବା ସହ ସଂଖ୍ୟାଲଘୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ରଖିଥିବା ଅଭିଯୋଗ ହୋଇଥିଲା । ଯାହା ନାଗେଶ୍ୱରଙ୍କୁ ନେଇ ଆଉ ଏକ ନୂଆ ବିବାଦ ଛିଡା କରିଛି । ଅଭିଯୋଗ ଅନୁସାରେ ୧୯୯୮ ମସିହାରେ ମାନବାଧିକାର ଦିବସରେ ସଂଖ୍ୟାଲଘୁଙ୍କୁ ନେଇ ଆଇପିଏସ ନାଗେଶ୍ୱର ରାଓ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି । ଏମିତିକି ଏନେଇ ୧୯୯୯ ମସିହାରେ ନାଗେଶ୍ୱରଙ୍କ ବିରୋଧରେ ଓଡିଶା ହାଇକୋର୍ଟରେ ପିଆଇଏଲ ମଧ୍ୟ ଦାଖଲ ହୋଇଥିବା ଜଣାପଡିଛି ।

ସାମ୍ପ୍ରଦାୟିକ ଓ ଜାତିଆଣ ମନ୍ତବ୍ୟର ଅଭିଯୋଗ ଆସିଥିିବା ବର୍ତ୍ତମାନର କାର୍ଯ୍ୟକାରୀ ସିବିଆଇ ନିର୍ଦ୍ଦେଶକ ତଥା ତତ୍କାଳିନ ବ୍ରହ୍ମପୁର ମହାନଗର ନିଗମ ଉପାଧ୍ୟକ୍ଷ ଆଇପିଏସ ନାଗେଶ୍ୱର ରାଓଙ୍କ ବିରୋଧରେ ୧୯୯୮ ମସିହାରେ ଦାଖଲ ହୋଇଥିବା ପିଆଇଏଲ ସମ୍ପର୍କୀତ ଦସ୍ତାବିଜ କନକ ନ୍ୟୁଜର ହସ୍ତଗତ ହୋଇଛି । ଯେଉଁଥିରେ ସଂଖ୍ୟାଲଘୁଙ୍କୁ ନେଇ ନାଗେଶ୍ୱର ରାଓ ବିବାଦୀୟ ମନ୍ତବ୍ୟ ଦେଇଥିବା ଉଲ୍ଲେଖ ହୋଇଛି । ନିର୍ଦ୍ଦିଷ୍ଟ ଭାବେ ମୁସଲିମ, ଖ୍ରୀଷ୍ଟିଆନ ଓ ମାର୍କସିଷ୍ଟ ମାନଙ୍କୁ ନେଇ ନାଗେଶ୍ୱର କଟୁ ମନ୍ତବ୍ୟ ଦେଇଥିବା ନେଇ ଉଲ୍ଲେଖ ରହିଛି । ଏମିତିକି ସେହି ସମୟରେ ଖବର କାଗଜରେ ନାଗେଶ୍ୱରଙ୍କ ଏଭଳି ମନ୍ତବ୍ୟକୁ ନେଇ ଯେଉଁ ଖବର ପ୍ରକାଶ ପାଇଥିଲା ତାକୁ ବି କୋର୍ଟଙ୍କ ନିକଟରେ ଦାଖଲ କରାଯାଇଛି । ସିବିଆଇର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେବା ପୂର୍ବରୁ ମଧ୍ୟ ନାଗେଶ୍ୱରଙ୍କ ନାଁରେ ଅନେକ ସାଙ୍ଘାତିକ ଅଭିଯୋଗ ରହିଛି । ହେଲେ ବର୍ତ୍ତମାନ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣକଲା ଭଳି ଅଭିଯୋଗ ଲୋକଲୋଚନକୁ ଆସିବା ପରେ ବିବାଦ ବଢିବାରେ ଲାଗିଛି ।

ପିଆଇଏଲରେ ଉଲ୍ଲେଖ ରହିଛି ୧୦ଡିସେମ୍ବର ୧୯୯୮ରେ ବ୍ରହ୍ମପୁର ଟାଉନ ହଲରେ ତତ୍କାଳିନ ବିଡିଏ ଉପାଧ୍ୟକ୍ଷ ଏମ ନାଗେଶ୍ୱର ରାଓ ସଂଖ୍ୟାଲଘୁଙ୍କୁ ନେଇ କଟୁ ମନ୍ତବ୍ୟ ରଖିଥିଲେ । ମୁସଲିମ, ଖ୍ରୀଷ୍ଟିଆନ ଓ ମାର୍କସିଷ୍ଟ ସମ୍ପ୍ରଦାୟର ଲୋକ ମାନବିକ ଅଧିକାର ପ୍ରତି ବିପଦ ବୋଲି ନାଗେଶ୍ୱର ରାଓ କହିଥିବା ଅଭିଯୋଗ ହୋଇଛି । ସମ୍ବିଧାନ ବିରୋଧରେ ଯାଇ ସମ୍ବିଧାନ ପ୍ରଣେତାଙ୍କୁ ନାଗେଶ୍ୱର ରାଓ ୧୯୯୮ରେ ସମାଲୋଚନା କରିଥିବା ନେଇ ହାଇକୋର୍ଟରେ ଦାଖଲ ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ ରହିଛି । ୧୩ ଡିସେମ୍ବର ୧୯୯୮ରେ ବ୍ରହ୍ମପୁରରୁ ପ୍ରକାଶିତ ଅନୁପମ ଭାରତ ଖବର କାଗଜରେ ନାଗଶ୍ୱେରଙ୍କ ସଂଖ୍ୟାଲଘୁ ବିରୋଧୀ ମତ ସମ୍ପର୍କୀତ ଖବର ପ୍ରକାଶ ନେଇ କୋର୍ଟଙ୍କୁ ଅବଗତ କରାଯାଇଛି ।

ସେପଟେ ଏହି ଖବର ପ୍ରକାଶ ପାଇବା ପରେ ୧୫ ଡିସେମ୍ବର ୧୯୯୮ରେ ଆଇପିଏସ ନାଗେଶ୍ୱର ରାଓ ଏହାକୁ ଖଣ୍ଡନ କରି ସ୍ପଷ୍ଟୀକରଣ କରିଥିବା ନେଇ ବି ଦସ୍ତାବିଜ ଦାଖଲ ହୋଇଛି । ନାଗେଶ୍ୱର ରାଓଙ୍କ ବିରୋଧରେ ପୂର୍ବରୁ ଦୁର୍ନୀତିର ଅନେକ ଅଭିଯୋଗ ରହିଛି । ସିବିଆଇରେ ଟପ ଅଫିସରଙ୍କ ଭିତରେ ବିବାଦ ଘଟଣାରେ ନାଗେଶ୍ୱରଙ୍କୁ ସିବିଆଇ କାର୍ଯ୍ୟକାରୀ ନିର୍ଦ୍ଦେଶକ କରାଯିବା ପରେ ବିରୋଧି ମଧ୍ୟ ସମାଲୋଚନା କରିଛନ୍ତି । ଏହାରି ଭିତରେ ନାଗେଶ୍ୱରଙ୍କ ବିରୋଧରେ ପିଆଇଏଲର ଯେଉଁ ମାମଲା ସାମ୍ନାକୁ ଆସିଛି ତାହା ଯଦି ସତ ପ୍ରମାଣିତ ହୁଏ, ତେବେ ନିଶ୍ଚିତ ଭାବେ ସାଙ୍ଘାତିକ । କାହିଁକି ନାଁ ଜଣେ ଆଇପିଏସ ଅଫିସରଙ୍କ ଠାରୁ ଦେଶ ଓ ରାଜ୍ୟ ଉତ୍ତମ ସେବା ଚାହେଁ । ହେଲେ ନାଗେଶ୍ୱର ରାଓ ସଂଖ୍ୟାଲଘୁଙ୍କୁ ନେଇ ଯେଉଁ କଟୁ ମନ୍ତବ୍ୟ ଦେବାର ଅଭିଯୋଗ ହୋଇଛି ତାହା ଏହି ଟପ ଆଇପିଏସଙ୍କ ଚିନ୍ତାଧାରା ଓ ଭାବମୂର୍ତ୍ତିକୁ ନେଇ ବି ପ୍ରଶ୍ନ ଛିଡା କରୁଛି ।