ବଢ଼ିବ ପେଟ୍ରୋଲ୍, ଡିଜେଲ ଦର ! ମହଙ୍ଗା ହେଉଛି ଅଶୋଧିତ ତୈଳ

23

କନକ ବ୍ୟୁରୋ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବଢ଼ିବାରେ ଲାଗିଛି । ବ୍ୟାରେଲ ପିଛା ଅଶୋଧିତ ତୈଳ ମୂଲ୍ୟ ୬୦ ଡଲାର ପାଖାପାଖି ପହଞ୍ଚିଗଲାଣି । ୨୦୧୫ ମଧ୍ୟ ଭାଗରେ ଦର ଏହି ସ୍ତରରେ ରହିଥିଲା । ଅଶୋଧିତ ତୈଳ ମହଙ୍ଗା ହେଉଥିବାରୁ ଆଗାମୀ ଦିନରେ ପେଟ୍ରୋଲ୍ ଏବଂ ଡିଜେଲ ଦର ବଢ଼ିବାର ଆଶଂକା ରହିଛି । ଖୁଚୁରା ବଜାରରେ ପେଟ୍ରୋଲର ଲିଟର ପିଛା ମୂଲ୍ୟ ଏବେ ୭୬-୭୭ ଟଙ୍କା ମଧ୍ୟରେ ରହିଥିବା ବେଳେ ଡିଜେଲ ଦର ୬୧-୬୨ ଟଙ୍କା ସ୍ତରରେ ରହିଛି ।

ବ୍ରେଣ୍ଟ୍ କ୍ରୁଡର ବ୍ୟାରେଲ୍ ପିଛା ମୂଲ୍ୟ ଗତକାଲି ୫୯.୫୫ ଡଲାର ପାଖାପାଖି ପହଞ୍ଚିଛି । ୟୁଏସ୍ କ୍ରୁଡର ବ୍ୟାରେଲ ପିଛା ମୂଲ୍ୟ ୫୨.୩୬ ଡଲାର ରହିଛି। ୨୦୧୫ ଜୁଲାଇ ତୁଳନାରେ ବ୍ରେଣ୍ଟ୍ କ୍ରୁଡ୍ ମୂଲ୍ୟ ୩୮% ଅଧିକ ରହିବ । ସେହିପରି ୟୁଏସ୍ କ୍ରୁଡ୍ ମୂଲ୍ୟ ମଧ୍ୟ ୨୫% ଅଧିକ ରହିଛି । ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଉତ୍ପାଦନ କମ କରିବା ପାଇଁ ଯେଉଁ ନିଷ୍ପତ୍ତି ହୋଇଥିଲା ତାହାକୁ ବୃଦ୍ଧି କରାଯାଇଛି ଏବଂ ଇରାକରେ ଦେଖାଦେଇଥିବା ସଙ୍କଟ ଯୋଗୁଁ ଅଶୋଧିତ ତୈଳ ଦର ବୃଦ୍ଧି ପାଉଛି । ସାଉଦି ଆରବ ପକ୍ଷରୁ ମଧ୍ୟ ଉତ୍ପାଦନ ହ୍ରାସ ଜାରି ରହିବ ବୋଲି କୁହାଯିବା ପରେ ତେଲ ଦର ଆହୁରି ବଢ଼ିଛି ।

ଯଦି ଓପେକ୍ ଏବଂ ଅଣ ଓପେକ୍ ତୈଳ ଉତ୍ପାଦନକାରୀ ରାଷ୍ଟ୍ରଗୁଡ଼ିକ ଉତ୍ପାଦନ କମ୍ କରିବା ଜାରି ରଖିବେ ତେବେ ଅଶୋଧିତ ତୈଳ ଦରରେ ଦେଖାଦେଇଥିବା ବୃଦ୍ଧି ଜାରି ରହିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି । ଆମେରିକାରେ ଉତ୍ପାଦନ ବୃଦ୍ଧି ଓପେକ୍ ରାଷ୍ଟ୍ରଗୁଡ଼ିକ ପାଇଁ ସମସ୍ୟା ସୃଷ୍ଟି କରୁଛି । ଅଧିକ ରାଷ୍ଟ୍ର ଆମେରିକୀୟ ଅଶୋଧିତ ତୈଳ କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଥିବା ଓପେକ୍ ରାଷ୍ଟ୍ରଗୁଡ଼ିକର ବଜାର ଅଂଶ ହ୍ରାସ ପାଇଛି ।