୧୦ ଟଙ୍କା ପକାଇଲେ ୧୦ ହଜାର ଲୁଟିନେଲେ : ରାଜଧାନୀରେ ଲୁଟେରାଙ୍କ ନୂଆ ଫର୍ମୂଲା

33

କନକ ବ୍ୟୁରୋ : ବାଟରେ ଟଙ୍କା ପ‌ଡ଼ିଥିଲେ ଉଠାନ୍ତୁ ନାହିଁ । ୧୦ଟଙ୍କା ପାଇଁ ଆପଣ ହରାଇପାରନ୍ତି ଲକ୍ଷ ଲକ୍ଷ ଟଙ୍କା । ରାସ୍ତାରେ କିଛି ୧୦ ଟଙ୍କିଆ ନୋଟ୍ ପକାଇ ପ୍ରଥମେ ଲୋକମାନଙ୍କୁ ଲୋଭାସକ୍ତ କରିବା, ପରେ ସେମାନଙ୍କୁ ଲୁଟ୍‌ କରିବା; ଏଭଳି ଏକ ଲୁଟେରା ଗ୍ୟାଙ୍ଗ ରାଜଧାନୀରେ ସକ୍ରିୟ ହୋଇଉଠିଛି । ଏଭଳି ଏକ ଘଟଣା ଘଟିଛି ଖାରବେଳନଗର ଥାନା ଅଞ୍ଚଳରେ । ଲୁଟେରାମାନେ ରାସ୍ତାରେ ୧୦ଟଙ୍କା ପକାଇ ଜଣଙ୍କଠାରୁ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ବ୍ୟକ୍ତିଜଣଙ୍କ ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି ।

ପୁଲିସ ସୂଚନା ମୁତାବକ, ମଙ୍ଗଳବାର ଦିନ ପ୍ରାୟ ୧୧ଟାରେ ଈଶ୍ବରୀ ପ୍ରସାଦ ଲେଙ୍କା ନାମକ ଜଣେ ବ୍ୟକ୍ତି ରାମ ମନ୍ଦିରରୁ ପୂଜା ସାରି କାର୍‌ରେ ଚନ୍ଦ୍ରଶେଖରପୁରସ୍ଥିତ ଘରକୁ ଫେରୁଥିଲେ । ସେ ଟ୍ରାଫିକ୍‌ରେ ଥିବା ସମୟରେ ୨ଜଣ ଯୁବକ ତାଙ୍କ କାର୍‌ ନିକଟକୁ ଆସି ତଳେ କିଛି ଟଙ୍କା ପଡ଼ିଛି ବୋଲି କହିଥିଲେ । ଈଶ୍ବରୀ ଗାଡ଼ିରୁ ବାହରିବା ବେ‌ଳକୁ ତଳେ ୧୦ଟଙ୍କା ନୋଟ୍ ପଡ଼ିଥିବା ଦେଖିଥିଲେ।  ୧୦ଟଙ୍କା ଉଠାଇବା ବେଳକୁ ଯୁବକଦ୍ବୟ ଈଶ୍ବରୀଙ୍କ କାର୍‌ ପଛ ଡୋର୍‌‌ ଖୋଲି ବ୍ୟାଗ୍ ନେଇ ଯାଇଥିଲେ । ଆଖି ପିଛୁଳାକେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ।

ତେବେ ଈଶ୍ବରୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଲୁଟେରାମାନଙ୍କୁ ଚିହ୍ନଟ ପାଇଁ ଆଖପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି । ପ୍ରକାଶ ଥାଉକି, ପୂର୍ବରୁ ଏଭଳି ଗ୍ୟାଙ୍ଗ ରାସ୍ତାରେ ଟଙ୍କା ପକେଇ ଲୋକମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ, ଯାହାକି ପୁଲିସକୁ ନାକଦେମ କରିଥିଲା । କମିସନରେଟ୍ ପୁଲିସର ବିଭିନ୍ନ ସ୍ଥାନରେ ଚଢ଼ଉ ପରେ ଏହି ଗ୍ୟାଙ୍ଗ କିଛି ଦିନ ପାଇଁ ରାଜଧାନୀରୁ ବାହାରକୁ ଚାଲି ଯାଇଥିଲା । କିଛି ଦିନ ପରେ ଏହି ଗ୍ୟାଙ୍ଗ ପୁଣି ସକ୍ରିୟ ହେବା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।