ଭାରତର ନୂଆ ବୈଦେଶିକ ସଚିବ ହେବେ ବିଜୟ କେଶବ ଗୋଖେଲ । ଡୋକଲାମ ବିବାଦ ସମାଧାନରେ ଥିଲା ପ୍ରମୁଖ ଭୂମିକା

51

କନକ ବ୍ୟୁରୋ : ଭାରତର ବୈଦେଶିକ ସଚିବ ଏସ. ଜୟଶଙ୍କ ସ୍ଥାନ ନେବ କିଏ ? ଗତ କିଛି ଦିନ ଧରି ଚାଲିଥିବା ଏପରି କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଭାରତର ଚୀନ ରାଷ୍ଟ୍ରଦୂତ ଭାବେ ଚୀନ ସହିତ ସୃଷ୍ଟି ହୋଇଥିବା ଡୋକଲାମ ବିବାଦର ସମାଧାନ କରିବା ଦିଗରେ ପ୍ରମୁଖ ଭୂମିକା ତୁଲାଇ ଥିବା ୧୯୮୧ ବ୍ୟାଚର ବୈଦେଶିକ ସେବା ଅଧିକାରୀ ବିଜୟ କେଶବ ଗୋଖଲେଙ୍କୁ ଭାରତର ନୂତନ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ୨୮ ତାରିଖ ଦିନ ଅବସର ନେଉଥିବା ବୈଦେଶିକ ସଚିବ ଏସ.ଜୟଶଙ୍କରଙ୍କ ସ୍ଥାନରେ ଶ୍ରୀ ଗୋଖଲେ ଦାୟିତ୍ୱ ଗ୍ରହଣ କରିବେ।

ଏସ.ଜୟଶଙ୍କର ଗତ ୩ ବର୍ଷ ଧରି ଭାରତର ବୈଦେଶିକ ସଚିବ ଭାବେ ଜଣେ ପ୍ରବୀଣ କୂଟନୖତିକ ଭାବେ ଆର୍ନ୍ତଜାତିକ ସ୍ତରରେ ବେଶ ଜଣାଶୁଣା । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବେଶ ଉତ୍ତମ ସମ୍ପର୍କ ଯୋଗୁଁ ଶ୍ରୀ ଜୟଶଙ୍କରଙ୍କ କାର୍ୟ୍ୟକାଳ ପୁନଃ ବୃଦ୍ଧି ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା।୨୦୧୫ ମସିହାରେ ତାଙ୍କ ଅବସରର ଅବ୍ୟବହିତ ପୂର୍ବରୁ ଜୟଶଙ୍କରଙ୍କୁ ବୈଦେଶିକ ସଚିବ ଭାବେ ନିଯୁକ୍ତି ଦିଆଯାଇଥିଲା ।

ତେବେ ଶ୍ରୀ ଗୋଖଲେ ଏବେ ବୈଦେଶିକ ମନ୍ତ୍ରଣାଳୟରେ ଆର୍ଥିକ ସମ୍ପର୍କ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଗତବର୍ଷ ଚୀନର ରାଷ୍ଟ୍ରଦୂତରୁ ଅପସାରଣ କରାଯାଇ ବୈଦେଶିକ ମନ୍ତ୍ରଣାଳୟରେ ଅବସ୍ଥାପିତ କରାଯାଇଥିଲା। ଶ୍ରୀ ଗୋଖଲେ ଦୁଇ ବର୍ଷ ପାଇଁ ଭାରତର ବୈଦେଶିକ ସଚିବ ଭାବେ କାର୍ଯ୍ୟ କରିବେ।