‘ସମ୍ବାଦ ଗ୍ରୁପ୍’ର ଡିଜିଟାଲ୍ ନ୍ୟୁଜରୁମ୍ ଉଦଘାଟନ କଲେ ସୌମ୍ୟରଂଜନ: ପରିବର୍ତ୍ତନ ସହ ପାଦ ମିଳାଇ ପାଠକଙ୍କ ବିଶ୍ୱାସ ଜିତିବାକୁ ଦେଲେ ଆହ୍ୱାନ ।

378

କନକ ବ୍ୟୁରୋ: ଡିଜିଟାଲ ଯୁଗରେ ଆପଣଙ୍କ ହାତମୁଠାରେ ପ୍ରତି ମୁହୂର୍ତ୍ତରେ, ପ୍ରତିଟି ଘଟଣାର ଟିକିନିଖି ଖବର ଚୁଟକିରେ ପହଞ୍ଚାଉଛି ‘ସମ୍ବାଦ ଗ୍ରୁପ’ର ଡିଜିଟାଲ ପ୍ଲାଟଫର୍ମ । ଆପଣଙ୍କୁ ତାଜା ଖବର ଦେବାକୁ ଆମର ସବୁ ଟିମ୍ ସବୁବେଳେ ସଜାଗ ରହିଛନ୍ତି । ଲେଖା ମାଧ୍ୟମରେ ଭିନ୍ନଭିନ୍ନ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚାଇବା ହେଉ ଅବା ଖବର ପଛର ବିଶ୍ଳେଷଣ ଭିଡିଓ ମାଧ୍ୟମରେ ଅବା ସୋସିଆଲ ମିଡିଆରେ ଆପଣଙ୍କ ସହ ଯୋଗାଯୋଗ ରଖିବାରେ, ସବୁବେଳେ ସବୁଠୁ ଆଗରେ ରହି ଆସିଛି ଆମ ଗ୍ରୁପର ଡିଜିଟାଲ ପ୍ଲାଟଫର୍ମ । ଆଉ ଏହାକୁ ଅଧିକରୁ ଅଧିକ ସକ୍ରିୟ କରିବାକୁ ଆଜି ‘ସମ୍ବାଦ ଗ୍ରୁପ’ର ଡିଜିଟାଲ ନ୍ୟୁଜ ରୁମ ଉଦଘାଟିତ ହୋଇଛି ।

ଆଜିର ସମୟରେ ମୋବାଇଲରେ ଲୋକେ ଅଧିକରୁ ଅଧିକ ସମୟ ଦେଉଛନ୍ତି । ମୋବାଇଲ ମାଧ୍ୟମରେ ସୋସିଆଲ ମିଡିଆ ଆଉ ଡିଜିଟାଲ ମିଡିଆ ଢେର ପ୍ରଭାବ ବିସ୍ତାର କଲାଣି । ତେଣୁ ଲୋକଙ୍କ ରୁଚି ଅନୁସାରେ ସବୁଠାରୁ ଆଗରେ ଖବର ପରିବେଷଣ କରିବା ଲକ୍ଷ୍ୟ ନେଇ ପୂରା ‘ସମ୍ବାଦ ଗ୍ରୁପ୍’ର ଡିଜିଟାଲ ପ୍ଲାଟଫର୍ମକୁ ଗୋଟିଏ ସ୍ଥାନକୁ ଅଣାଯାଇଛି ।

ସମ୍ବାଦ ଡଟ୍ ଇନ୍, କନକ ନ୍ୟୁଜ ଡଟ୍ କମ୍, ଓଡ଼ିଶା ସନ ଟାଇମସ ଡଟ୍ କମ୍, କନକ ଲାଇଫଷ୍ଟାଇଲ ଜରିଆରେ ଆମେ ଓଡ଼ିିଶା ଡିଜିଟାଲ ମିଡିଆରେ ଏକ ସ୍ୱତନ୍ତ୍ର ଛାପ ଛାଡିବାରେ ସମର୍ଥ ହୋଇଛୁ । ଖବର ପଛରେ ଧାଇଁବା ବେଳେ ଆମର ସବୁଠାରୁ ବଡ଼ ଲକ୍ଷ୍ୟ ଥାଏ, ସଠିକ ଏବଂ ନିର୍ଭୁଲ ଖବର ଆପଣଙ୍କ ପାଖରେ ପହଞ୍ଚାଇବା । ଫେକ୍ ନ୍ୟୁଜ ଯେଭଳି ଦର୍ଶକଙ୍କ ନିକଟରେ ନପହଞ୍ଚିବ ସେଦିଗରେ ଆମେ ସବୁବେଳେ ଯତ୍ନବାନ ଥାଉ ।

ଖାଲି ଏତିକି ନୁହେଁ, ଅଶ୍ଳୀଳତା ଜରିଆରେ ୱେବସାଇଟର ରେଟିଂ ବଢାଇବା କଦାପି ଆମର ଉଦ୍ଦେଶ୍ୟ ରହିନାହିଁ । ବରଂ, ଲୋକଙ୍କୁ ତାଜା ଖବର ଦେବାକୁ ଆମେ ଅଗ୍ରାଧିକାର ଦେଇଥାଉ । କନକ ନ୍ୟୁଜ ତାର ଡିଜିଟାଲ ପ୍ଲାଟଫର୍ମରେ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ଯଥେଷ୍ଟ ଆଗରେ ରହିଛି । ସେହିଭଳି ‘ସମ୍ବାଦ’ ସର୍ବପ୍ରଥମେ ଲୋକଙ୍କ ନିକଟରେ ଖବର ପହଞ୍ଚାଇବାକୁ ଜାରି ରଖିଥିବା ଉଦ୍ୟମରେ ସଫଳତା ପାଇଛି ।

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ‘ସମ୍ବାଦ ଗ୍ରୁପ୍’ର ଡିଜିଟାଲ ନ୍ୟୁଜରୁମକୁ ଉଦଘାଟନ କରିଛନ୍ତି ‘ସମ୍ବାଦ’ର ସମ୍ପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ । ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସମେତ ପୂରା ‘ସମ୍ବାଦ ଗ୍ରୁପ୍’ର ସଦସ୍ୟମାନେ ଏହି ଅବସରରେ ଉପସ୍ଥିତ ଥିଲେ ।

ଡିଜିଟାଲ ନ୍ୟୁଜରୁମକୁ ଉଦଘାଟନ କରି ‘ସମ୍ବାଦ’ ସମ୍ପାଦକ ସୈାମ୍ୟରଂଜନ ପଟ୍ଟନାୟକ କହିଥିଲେ, ଦୀର୍ଘ ୩୫ ବର୍ଷ ତଳେ ‘ସମ୍ବାଦ’ ଓଡ଼ି଼ିଶା ମୁଦ୍ରଣଶିଳ୍ପ ଓ ସମ୍ବାଦପତ୍ର ପ୍ରକାଶନ କ୍ଷେତ୍ରରେ ଆଣିଥିଲା ଏକ ବୈପ୍ଲବିକ ପରିବର୍ତ୍ତନ । ନୂତନ ପ୍ରଯୁକ୍ତି ଓ ଜ୍ଞାନକୌଶଳ ସହ ପାଠକଙ୍କୁ ପରିଚିତ କରାଇଥିଲା । ଆଜି ବି ‘ସମ୍ବାଦ’ ଜାରି ରଖିଛି ସେହି ଧାରା । ଗଣମାଧ୍ୟମର ନୂତନ ପରିସର ଡିଜିଟାଲ୍ ମିଡିଆ କ୍ଷେତ୍ରରେ ପ୍ରବେଶ କରି ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏହି ଧାରାକୁ ଆହୁରି ଆଗକୁ ନେଇଯିବା ଲାଗି ସେ ‘ସମ୍ବାଦ’ର ଡିଜିଟାଲ୍ ଟିମକୁ ଆହ୍ୱାନ ଜଣାଇଥିଲେ । ଏଥିସହ ସେ ମିଛ ଖବରଠୁ ଦୂରରେ ରହିବାକୁ ପରାମର୍ଶ ଦେଇଥିଲେ । ଜଣେ ଦାୟିତ୍ୱବାନ ସାମ୍ବାଦିକ ହିସାବରେ ସୋସିଆଲ ମିଡିଆରେ ଘୁରିବୁଲୁଥିବା ଗୁଜବ ଉପରୁ ପରଦା ଉଠାଇବାକୁ ଡିଜିଟାଲ ଟିମକୁ ଦିଗଦର୍ଶନ ଦେଇଥିଲେ ସୌମ୍ୟରଂଜନ ।

ସେହିଭଳି ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଗୋଟିଏ ସ୍ଥାନରେ ସମସ୍ତ ଡିଜିଟାଲ ପ୍ଲାଟଫର୍ମକୁ ରଖିବାର ଆବଶ୍ୟକତା କ’ଣ ରହିଛି, ତାହା ଉପରେ ଆଲୋକପାତ କରିଥିଲେ ।

ଏହି ନୂଆ ଡିଜିଟାଲ ନ୍ୟୁଜରୁମରୁ ଆପଣ ଗୋଟିଏ ଛାତ ତଳୁ ସର୍ବପ୍ରଥମେ ସବୁ ଖବର ପାଇ ପାରିବେ । ସ୍ୱାସ୍ଥ୍୍ୟଠୁ ଆରମ୍ଭ କରି ଶିକ୍ଷା, ବିଜ୍ଞାନଠାରୁ ବାଣିଜ୍୍ୟ, ମନୋରଂଜନଠାରୁ ରାଜନୀତି ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ୱାଦର ଖବର ଆଖି ପିଛୁଳାକେ ଆପଣଙ୍କ ହାତ ମୁଠାରେ ପାଇ ପାରିବେ । ଡିଜିଟାଲ ନ୍ୟୁଜରୁମରେ ସମ୍ବାଦ ଡଟ୍ ଇନ୍, କନକ ନ୍ୟୁଜ୍ ୱେବ ପୋର୍ଟାଲ, ଓଡ଼ିଶା ସନ ଟାଇମସ୍, କନକ ଲାଇଫ ଷ୍ଟାଇଲ ଭଳି ସୋସିଆଲ ସାଇଟ ରହିଛି, ଯେଉଁଥିରୁ ଆପଣ, ଆପଣଙ୍କ ଚାରିପଟେ ଘଟୁଥିବା ପ୍ରତିଟି ଖବର ସହଜରେ ଜାଣିପାରିବେ । ଆମେ ବିଶ୍ୱାସ ରଖିଛୁ, ଯେଉଁ ଭଲ ପାଇବା ଆପଣଙ୍କ ଠାରୁ ଆମକୁ ମିଳୁଛି, ସେଇ ଭଲପାଇବା ଆଗାମୀ ଦିନରେ ମଧ୍ୟ ବଜାୟ ରହିବ ।