ରେଳ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଏଣକି ରେଳଯାତ୍ରୀ ଷ୍ଟେସନରେ ଅସୁସ୍ଥ ଅନୁଭବ କଲେ ତତକ୍ଷଣାତ ପାଇବେ ସ୍ୱାସ୍ଥ୍ୟ ସେବା

ଭାରତରେ ସର୍ବଦା ରେଳ ଉପରେ ହିଁ ଅଧିକ ଲୋକ ଯାତାୟତରେ ନିର୍ଭର କରନ୍ତି

138

କନକ ବ୍ୟୁରୋ : ପ୍ରଥମେ ଦୁର୍ଗାପୂଜା ଆଉ ଏବେ କାଳୀପୂଜା ସହ ଧନତେରସ ଓ ଛଟ ପୂଜା ପାଇଁ ଲୋକମାନେ ନିଜ ନିଜ ଘରକୁ ଯିବାରେ ବ୍ୟସ୍ତ । ତେବେ ଭାରତରେ ସର୍ବଦା ରେଳ ଉପରେ ହିଁ ଅଧିକ ଲୋକ ଯାତାୟତରେ ନିର୍ଭର କରନ୍ତି । ତେବେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ରେଳ ମନ୍ତ୍ରଣାଳୟ ମଧ୍ୟ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନେଇଛି । ମିଳିଥିବା ସୂଚନା ଅନୁସାରେ, ଯଦି କୌଣସି ବ୍ୟକ୍ତିଙ୍କର ଷ୍ଟେସନରେ ସ୍ୱାସ୍ଥ୍ୟରେ ଅବନତୀ ଦେଖାଯାଏ ତେବେ ତାଙ୍କୁ ସେହି ପ୍ଲାଟଫର୍ମରେ ହିଁ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି । ଏହାସହ ଦରକାର ପଡିଲେ ରୋଗୀଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯିବା ସହିତ ସମସ୍ତ ପ୍ରକାର ମେଡିକାଲ ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।

 

ଏଥିପାଇଁ ରେଳ ଷ୍ଟେସନରେ ଆମ୍ବୁଲାନ୍ସ ସହିତ ସ୍ୱାସ୍ଥ୍ୟ କର୍ମୀ ରହିବାର ବ୍ୟବସ୍ଥା କରିବ ରେଳ ମନ୍ତ୍ରଣାଳୟ । ତେବେ ରେଳରେ ଯିବା ସମୟରେ ଅସୁସ୍ଥ ହୋଇପଡିଲେ ସେମାନଙ୍କୁ ଚିକିତ୍ସା ଯୋଗାଇବା କଷ୍ଟ ହୋଇଥାଏ । ଅନେକ ସମୟରେ ଷ୍ଟେସନରେ ଭିଡ ଜମିରହିଥାଏ । ତେଣୁ ବୟସ୍କ ଓ ଛୋଟ ପିଲାମାନଙ୍କର ସ୍ୱାସ୍ଥ୍ୟ ବିଗିଡିଯିବାର ସମ୍ଭାବନା ରହିଥାଏ । ଏହାସହ ଦିଲ୍ଲୀରେ ଯେପରି ଭାବରେ ବାୟୁ ପ୍ରଦୂଷଣ ହେଉଛି ତାହାକୁ ଦୃଷ୍ଟିରେ ରଖି ଦିଲ୍ଲୀସ୍ଥିତ ଆନନ୍ଦ ବିହାର ଟରମିନାଲରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କୁ ଅସୁସ୍ଥ ଲାଗେ ତେବେ ସାଙ୍ଗେ ସାଙ୍ଗେ ସେହିଠାରେ ହିଁ ତାଙ୍କୁ ସ୍ୱାସ୍ଥ୍ୟ ସେବା ମିଳିବ ବୋଲି ଜଣାପଡିଛି । ତେବେ ଏପରି ଭାବରେ ସୂଚନା ମିଳିବା ପରେ ରେଳ ଯାତ୍ରୀମାନେ ଖୁସି ହେବା ସହ ସରକାରଙ୍କ ଏପରି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।