ଖୋଲୁଛି ଗ୍ୟାଙ୍ଗଷ୍ଟରର ବଡ଼ ଗୁମର ! ପାହାଡ଼କୁ କବଜା କରିଥିଲା ଟିଟୋ, ଯାଜପୁରର ଅସିହା ପାହାଡ଼ ଖୋଳି କୋଟି କୋଟି ଟଙ୍କାର ମୋରମ କରୁଥିଲା ଚୋରା ଚାଲଣ ।

49

କନକ ବ୍ୟୁରୋ : ଗନ୍ ପଏଣ୍ଟରେ ଭୟ ସୃଷ୍ଟି କରି ଅମାପ ସମ୍ପତିର ମାଲିକ ହୋଇଥିବା ଗ୍ୟାଙ୍ଗଷ୍ଟର ଟିଟୋ ସଂପର୍କରେ ଏପରି ଖବର ଆସିଛି, ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଅଣ୍ଡରୱାଲ୍ଡ ଡନ୍ ଟିଟୋ ପୁଲିସ କବଜାକୁ ଆସିବା ପରେ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହି ଡନର ଚେରବି ଲମ୍ବିଛି ଯାଜପୁର ଜିଲ୍ଳାକୁ । ଅପରାଧ ଦୁନିଆର ଏହି ଭାଇର ଭୟ ଦେଖାଇ ବେଧଡକ ଲୁଟ ଚାଲିଥିଲା ମୋରମ । ସେ ଜଙ୍ଗଲ କିସମ ଜମି ହେଉ କି ଅନାବାଦୀ । ପାଟି ଖୋଲିଲେ ଦେଖାଉଥିଲେ ଭାଇ ଆଉ ବନ୍ଧୁକର ଭୟ । ଯାଜପୁର ଜିଲ୍ଳା ଦର୍ପଣ ତହସିଲର ଅଶିଆ ପର୍ବତମାଳାରୁ ନାଇଟ ଅପରେସନରେ ଲୁଟିନେଇଛନ୍ତି କୋଟି କୋଟି ଟଙ୍କାର ମୋରମ । ଏଥିରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ସଂପୃକ୍ତି ନେଇ ଲୋକେ ଆଣିଛନ୍ତି ଅଭିଯୋଗ ।

କେବଳ ବାଲିଘାଟକୁ ଅକ୍ତିଆର କରୁନଥିଲା, ବଡ଼ ବଡ଼ ପାହାଡକୁ ବି କବଜା କରି ନେଇଥିଲା ଟିଟୋ । ପଥର ଖୋଳି ଟ୍ରିପ୍ ଟ୍ରିପ୍ ମୋରମ ଚୋରା ଚାଲଣ କରି, କୋଟି କୋଟି ଟଙ୍କାର ମାଲିକ ହୋଇଥିଲା ଏହି ଗ୍ୟାଙ୍ଗଷ୍ଟର । ତା’ର ନାଲି ଆଖିରେ କାହାର ପାଟି ଫିଟୁନଥିଲା । ପୋଲିସ ଓ ପ୍ରଶାସନ ବି ହାତ ବାନ୍ଧି ବସିଥିଲେ । ଡାହାଳ କୁକୁର ଭଳି ପାହାଡ଼ ଚାରି ପାଖରେ ଘୁରି ବୁଲୁଥିଲେ ତା’ର ସହଯୋଗୀ । ଟିଟୋର ବିନା ଅନୁମତିରେ ପାହାଡ ପାଦଦେଶର ଅଧ କିଲୋମିଟର ପର୍ଯ୍ୟନ୍ତ ପକ୍ଷୀଟିଏ ପଶିବା ମଧ୍ୟ ଅସମ୍ଭବ ଥିଲା ।

ଯାଜପୁର ଜିଲ୍ଳା ବଡଚଣା ଅଂଚଳର ଅସିହା ପାହାଡ଼ରେ ପାଖାପାଖି ରହିଛି ଆଲମଗିରି, ବଡିହ, ମାଣ୍ଡୁକା, ଉଦୟଗିରି ଆଦି ପର୍ବତମାଳା । ଉଦୟଗିରିର ବୌଦ୍ଧ କୀର୍ତିରାଜି ସାଙ୍ଗକୁ ପର୍ବତମାଳାର ସୌନ୍ଦର୍ଯ୍ୟ ଥିଲା ଅତି ମନୋରମ । ହେଲେ ଗ୍ୟାଙ୍ଗଷ୍ଟରର ଲୋଲୁପ ଦୃଷ୍ଟି ପଡ଼ିବା ପରେ ଶ୍ରୀହୀନ ହୋଇପଡ଼ିଛି ଏହି ପର୍ବତମାଳା । ନାଇଟ ଅପରେସନ କରି ଲୁଟି ନିଆଯାଇଛି କୋଟି କୋଟି ଟଙ୍କାର ମୋରମ । ଅର୍ଥାତ୍ ରାତିରେ ପାହାଡ଼ ଖୋଳା ହୁଏ, ଆଉ ସେହି ରାତିରେ ହୋଇଯାଏ ଚୋରା ଚାଲଣ । ‘ଭାଇ’ର ଭୟ ଦେଖାଇ ସ୍ଥାନୀୟ ସରପଂଚ ଓ ପୂର୍ବତନ ସରପଂଚଙ୍କ ମାମଲତିରେ ହେଉଥିଲା ବେଧଡକ ମୋରମ ଲୁଟ । ପାହାଡ଼ ପାଦଦେଶରେ ପହରା ଦେଉଥିଲେ ଗ୍ୟାଙ୍ଗଷ୍ଟରର ବଛା ବଛା ଗୁଣ୍ଡା । ଏବେ ଟିଟୋ ଆଇନର ହାତକଡ଼ି ପିନ୍ଧିବା ପରେ ଲୋକେ ସାହସ ଜୁଟାଇ ସାମ୍ନାକୁ ଆସୁଛନ୍ତି ।

ଡନର ନାଁରେ ଅସିହା ପାହାଡରୁ ଚାଲୁଥିଲା ମୋରମ ଚୋରାଚାଲଣ । କେହି ମୁହଁ ଖୋଲିଲେ ଟିଟୋର ଗୁଣ୍ଡାମାନେ ଦେଖାଉଥିଲେ ବନ୍ଧୁକର ଭୟ । ଟିଟୋ ସହ ସ୍ଥାନୀୟ କିଛି ନେତାଙ୍କ ଘନିଷ୍ଠ ସଂପର୍କ ଥିବା ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ମୋରମ ଲୁଟ ନେଇ ଏଠାକାର ଲୋକେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ମଧ୍ୟ ଲିଖିତ ଭାବେ ଜଣାଇଥିଲେ । ଅଭିଯୋଗ ପାଇ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଯାଜପୁର ଜିଲ୍ଳାପାଳ ଓ କଟକ ବନବିଭାଗକୁ ସରଜମିନ ତଦନ୍ତ କରି ରିପୋର୍ଟ ଦେବାପାଇଁ ଦେଇଥିଲେ ନିର୍ଦ୍ଦେଶ । କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ଯାଜପୁର ଜିଲ୍ଳାପାଳ, କଟକ ଡିଏଫଓ, ଦର୍ପଣ ତହସିଲଦାରଙ୍କୁ ପକ୍ଷ କରି କୋର୍ଟରେ ମାମଲା ରୁଜୁ କରିଛନ୍ତି ସ୍ଥାନୀୟ ଲୋକ ।