ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା କମିଶନରେଟ୍ ପୁଲିସର ପ୍ରମୁଖ ଲକ୍ଷ୍ୟ : କହିଲେ, ନୂଆ ପୁଲିସ କମିଶନର ସତ୍ୟଜିତ୍ ମହାନ୍ତି

43

କନକ ବ୍ୟୁରୋ : ନୂଆ ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ନେଇଛନ୍ତି ସତ୍ୟଜିତ ମହାନ୍ତି । ଆଜି ଭୁବନେଶ୍ୱରରେ ପୋଲିସ କମିଶନର କାର୍ଯ୍ୟାର୍ଳୟରେ ସେ ୱାଇ.ବି ଖୁରାନିଆଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ପରେ ନୂଆ ପୋଲିସ କମିଶନର କହିଛନ୍ତି , ଲୋକଙ୍କ ଆସ୍ଥାଭାଜନ ହେବା ପ୍ରଥମ କାମ ହେବ । ମହାନଗରର ଟ୍ରାଫିକ ବ୍ୟବସ୍ଥା ଉପରେ ବି ଗୁରୁତ୍ୱ ଦିଆଯିବ । ହକି ବିଶ୍ୱକପ ଆୟୋଜନ ଠିକ ଭାବରେ ହେବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର । ଖେଳାଳିମାନେ ଯେଭଳି ଭୁବନେଶ୍ୱରରୁ ଭଲ ଅନୁଭୂତି ନେଇ ଫେରିବେ ସେ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ସେବା ମନୋଭାବ ଉପରେ ଗୁରୁତ୍ୱ ଦେଇଛନ୍ତି ସତ୍ୟଜିତ । ଚଳିତ ମାସରେ ଦୁଇଟି ମଡେଲ ଥାନା ଖୋଲାଯିବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର ।

ସୂଚନାଯୋଗ୍ୟ ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର୍ ହେଉଛନ୍ତି ସତ୍ୟଜିତ ମହାନ୍ତି । ୧୯୯୦ ମସିହାରେ ସେ ଜୟପୁର ଏଏସ୍ପି ଭାବେ ସେବା ଆରମ୍ଭ କରିଥିଲେ । ଏହାପରେ ପୁରୀ ଅତିରିକ୍ତ ଏସପି, କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱର ଏସପି ଭାବେ ତାଙ୍କର ପୋଷ୍ଟିଂ ହୋଇଥିଲା । ଏହାପରେ ଭିଜିଲାନ୍ସ ଏସପି, ଅତିରିକ୍ତ ପରିବହନ କମିଶନର୍ ଭାବେ ସତ୍ୟଜିତ ମହାନ୍ତି କାମ କରିଥିଲେ । ଉତରାଂଚଳ, କେନ୍ଦ୍ରାଂଚଳ ଓ ପଶ୍ଚିମାଂଚଳ ଡିଆଇଜି ଭାବେ ଏହାପରେ ତାଙ୍କର ପଦୋନ୍ନତି ହୋଇଥିଲା । ପଶ୍ଚିମାଂଚଳ ଓ ଅଗ୍ନିଶମ ତଥା ଗୃହରକ୍ଷୀ ବିଭାଗୀୟ ଆଇଜି ଭାବେ ମଧ୍ୟ ସେ କାମ କରିଛନ୍ତି ।

୨୦୦୪ ମସିହାରେ ଉତ୍କୃଷ୍ଟ  ସେବା ପାଇଁ ତାଙ୍କୁ ସମ୍ମାନଜନକ ପୁଲିସ ମେଡାଲ ପ୍ରଦାନ କରାଯାଇଥିଲା । ସ୍ନାତକୋତର ଶିକ୍ଷା ବ୍ୟତୀତ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ମାନବାଧିକାର ଶିକ୍ଷାରେ ସ୍ନାତକତ୍ତୋର ଡିଗ୍ରୀ ହାସଲ୍ କରିଛନ୍ତି । ପୁଲିସ ବିଭାଗରେ ସୁଧାରୀକରଣକୁ ଗୁରୁତ୍ୱ ଦେଉଥିବା ସତ୍ୟଜିତ ତିନୋଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ସତ୍ୟଜିତ ଲିଖିତ ପୁସ୍ତକ ମଧ୍ୟରେ ରହିଛି ହ୍ୟୁମାନ୍ ରାଇଟସ, ପୋଲିସ୍ ଇନ୍ ଇଣ୍ଡିଆ ରୋଲ୍ ରେସପୋନ୍ସିବିଲିଟି ଆଣ୍ଡ ଆକାଉଁଟେବିଲିଟି ଓ ହ୍ୟୁମାନ୍ ବିହେଭିୟର୍ ଆଣ୍ଡ ପୋଲିସ୍ ଏଥିକ୍ସ । ନିକଟରେ ଜାତୀୟ ପୋଲିସ୍ ମିଶନର ଏଗଜିକ୍ୟୁଟିଭ୍ କମିଟିକୁ ସତ୍ୟଜିତ ମହାନ୍ତି ମନୋନୀତ ହୋଇଛନ୍ତି । ଟେନିସ୍ ଖେଳରେ ବିଶେଷ ରୁଚି ରଖନ୍ତି ସତ୍ୟଜିତ୍ ।