ରାଜ୍ୟରେ ଆଉ ୧୦୩ ନୂଆ ପଜିଟିଭ: ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଠାବ; ଏମାନଙ୍କ ମଧ୍ୟରୁ କ୍ୱାରେଂଟିନରେ ଥିଲେ ୯୬ , ୭ ଜଣ ହେଉଛନ୍ତି ସ୍ଥାନୀୟ ଲୋକ

1,997

କନକ ବ୍ୟୁରୋ: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ସର୍ବାଧିକ ୧୦୩ କରୋନା ସଂକ୍ରମିତ ଚିହ୍ନଟ । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ଓଡିଶାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଶହ ୩୮ରେ ପହଂଚିଛି । ସେହିଭଳି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭ରେ ସ୍ଥିର ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମୋଟ୍ ୧୦୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଂଟିନ ସେଂଟରରୁ ୯୬ ଜଣ ହୋଇଥିବା ବେଳେ ବାକି ୭ ଜଣ ସାଧାରଣ ଲୋକଙ୍କ ନିକଟରେ ଠାବ ହୋଇଛି କୋଭିଡ୍ ୧୯ ଭୂତାଣୁ । ଏବେ ଏହି ନୂଆ ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ଓ କଂଟାକ୍ଟ ଟ୍ରେସିଂ କରାଯିବ ।

ଅନ୍ୟପଟେ, ରାଜ୍ୟହ ୧୬ଟି ଜିଲ୍ଲାରେ ଆଜି ଆଉ ୧୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗୋଟିଏ ଦିନରେ ସର୍ବାଧିକ ରହିଛି । ତେବେ ଏହି ୧୦୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡ ଜିଲ୍ଲାରୁ ସର୍ବାଧିକ ୨୨ ଆକ୍ରାନ୍ତ ଠାବ ହୋଇଥିବା ବେଳେ କେନ୍ଦ୍ରାପଡାରୁ ୧୫, ଜଗତସିଂହପୁରରୁ ୧୦, ମାଲକାନଗିରିରୁ ୯ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ଓ ବଲାଙ୍ଗିରରୁ ୮ ଲେଖାଏଁ ଆକ୍ରାନ୍ତ ଠାବ ହୋଇଥିବା ବେଳେ କୋରାପୁଟ ଓ ଗଜପତିରୁ ୬ ଜଣଙ୍କଠାରେ କୋଭିଡ ୧୯ ଭୁତାଣୁ ଚିହ୍ନଟ ହୋଇଛି । ଖୋର୍ଧା ଓ ବାଲେଶ୍ୱରରେ ୫ ଲେଖାଏ ଏବଂ ଗଂଜାମରେ ୪ ଚିହ୍ନଟ ହୋଇଥିବା ବେଳେ ଯାଜୁପର, ମୟୂରଭଂଜ, କେନ୍ଦୁଝର, କନ୍ଧାମାଳ ଏବଂ ଢେଙ୍କାନାଳରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଠାବ ହୋଇଛନ୍ତି । ତେବେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮କୁ ବୃଦ୍ଧି ପାଇଛି ।

ତେବେ ଏମାନଙ୍କ ମଧ୍ୟରୁ ୮୮୧ଟି ସଂକ୍ରିୟ ମାମଲା ରହିଥିବା ବେଳେ ୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଏବଂ ୭ ଜଣଙ୍କର ଦୁର୍ଭାଗ୍ୟବଶତଃ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।