ଆଉ ଝୁଲିବନି ପୋଲ, ଧବଳେଶ୍ୱର ପୀଠକୁ ଯିବା ହେବ ସହଜ! ମହାନଦୀରେ ତିଆରି ହେବ ଆଉ ଏକ କଂକ୍ରିଟ ବ୍ରିଜ

115

କନକ ବ୍ୟୁରୋ : ବାବା ଧବଳେଶ୍ୱର ପୀଠକୁ ଯିବା ହେବ ସହଜ । ମହାନଦୀରେ ହେବ ଆଉ ଏକ କଂକ୍ରିଟ ବ୍ରିଜ । ବିଜୁ ସେତୁ ଯୋଜନାରେ ଧବଳେଶ୍ୱରକୁ ଏକ ବ୍ରିଜ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଝୁଲା ପୋଲର ଦୁର୍ବଳତାକୁ ନଜରରେ ରଖି କଂକ୍ରିଟ୍ ପୋଲ କରାଯିବ । ଏହାଦ୍ୱାରା ଧବଳେଶ୍ୱ ପୀଠକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢିବ ବୋଲି ଆଶା ରଖାଯାଇଛି ।

ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠ । ମହାନଦୀ ଟାପୁରେ ଥିବା ଏହି ପୀଠକୁ ବଡଓଷା ଓ ଜାଗର ଭଳି ପର୍ବପର୍ବାଣୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ । ଏଠାକୁ ଯିବା ପାଇଁ ଏକ ଝୁଲାପୋଲ ରହିଛି । ଯାହା ଦିନକୁ ଦିନ ଦୁର୍ବଳ ହେଉଛି । ଫଳରେ ଶ୍ରଦ୍ଧାଳୁମାନେ ଝୁଲାପୋଲରେ ଯା’ଆସ ପାଇଁ ଭୟ କରୁଛନ୍ତି । ଅନେକ ସମୟରେ ଦୁର୍ବଳ ଝୁଲାପୋଲ ଅଧିକ ଜୋରରେ ଝୁଲିବାରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନେ ବାବାଙ୍କ ଦର୍ଶନରୁ ବଂଚିତ ହୋଇଥାନ୍ତି । ଏସବୁକୁ ନଜରରେ ରଖି ମହାନଦୀରେ ଧବଳେଶ୍ୱର ଯାଏଁ ଏକ କଂକ୍ରିଟ ବ୍ରିଜ କରିବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର ।

ଧବଳେଶ୍ୱର କଂକ୍ରିଟ ବ୍ରିଜ ପାଇଁ ୨୦ କୋଟିର ବ୍ୟୟ ଅଟକଳ କରାଯାଇଛି । ୨୪୭ ମିଟର ବ୍ରିଜରେ ୬ଟି ସ୍ପାନ ରହିବ । ପୋଲ ନିର୍ମାଣର ସମୟ ସୀମା ୨ ବର୍ଷ ରଖାଯାଇଥିବା ବେଳେ ଏଥିପାଇଁ ୩୬୦ ମିଟର ଆପ୍ରୋଚ ରୋଡ ତିଆରି କରାଯିବ । ତେବେ ବ୍ରିଜ ସହିତ ଧବଳେଶ୍ୱର ପୀଠରେ ଜଳ ଯୋଗାଣ, ଆଲୋକିକରଣ ଓ ପରିମଳ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଧବଳେଶ୍ୱର ପୀଠର ଆଖିଦୃଷ୍ଟିଆ ଉନ୍ନୟନ ମୂଳକ କାର୍ଯ୍ୟ କରାଯାଇନାହିଁ । ତେବେ ଆଗକୁ ଧବଳେଶ୍ୱର ପୀଠର ଉନ୍ନତିକରଣ ପାଇଁ ୨୭ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି ।