ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରୁ ଉଠିବ ପରଦା ! ପୋଲିସକୁ ମିଳିଛି ବଡ ସୁରାକ, ସକାଳୁ ଭଇଁସା କଲେଜ ଇଂରାଜୀ ଅଧ୍ୟାପକଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ

54

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରୁ ପରଦା ଉଠିିବା ସମ୍ଭାବନା ପ୍ରକାଶ ପାଇଛି । କାରଣ ଦୀର୍ଘ ଦୁଇମାସ ପରେ କ୍ରାଇମବ୍ରାଂଚ ପୋଲିସକୁ ମିଳିଛି ବଡ ସୁରାକ । ଯେଉଁ ଆଧାରରେ ଭଇଁସା କଲେଜର ଇଂରାଜୀ ଅଧ୍ୟାପକଙ୍କୁ ଆଜି ଭୋରୁ ଉଠାଇ ନେଇଛି ପୋଲିସ । କୁହାଯାଉଛି କଲେଜର ଅଧ୍ୟକ୍ଷ ପଦକୁ ନେଇ ମୃତ ସୌମ୍ୟଶେଖରଙ୍କ ମାଆଙ୍କ ସହ ତାଙ୍କର ବିବାଦ ରହିଥିଲା । ଆଉ ପାର୍ସଲରେ ମୃତ୍ୟୁର ଉପହାର ପଠାଇବା ପଛରେ ଏହି ଅଧ୍ୟାପକଙ୍କ କି ଭୂମିକା ରହିଛି ସେନେଇ ଖୋଳତାଡ ଚାଲିଛି ।

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ଏତେଦିନ ଧରି ଅନ୍ଧାରରେ ବାଡି ବୁଲାଉଥିବା କ୍ରାଇମବ୍ରାଂଚ ପୋଲିସକୁ ବୋଧହୁଏ ମିଳିଯାଇଛି ବଡ ସୁରାକ । ଯେଉଁଥିପାଇଁ ମେହେରପଡାରୁ ଭଇଁସା କଲେଜର ଇଂରାଜୀ ଅଧ୍ୟାପକଙ୍କୁ ଉଠାଇନେଇଛି କ୍ରାଇମବ୍ରାଂଚ ପୋଲିସ । ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଜେରା କରୁଛନ୍ତି କ୍ରାଇମବ୍ରାଂଚ ଅଧିକାରୀ । ତଦନ୍ତ ପ୍ରଭାବିତ ହେବା ଆଶଙ୍କାରେ ପୋଲିସ କୌଣସି ସୂଚନା ଦେଉନଥିଲେ ବି ଫେବ୍ରୁଆରୀ ୨୩ ତାରିଖରେ ପାର୍ସଲ ବୋମା ବିସ୍ଫୋରଣ ମାମଲାରେ ଅଧ୍ୟାପକଙ୍କ ସଂପୃକ୍ତି ସନ୍ଦେହରେ ଗୁଡାଇ ତୁଡାଇ ପ୍ରଶ୍ନ କରୁଛି ତଦନ୍ତକାରୀ ଟିମ୍ ।

ଏହି ବହୁଚର୍ଚ୍ଚିତ ବିସ୍ଫୋରଣ ଓ ମୃତ୍ୟୁ ମାମଲାରେ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କ ସଂପୃକ୍ତିକୁ ନେଇ ଏକ ବଡ ଥିଓରୀ ସାମ୍ନାକୁ ଆସିଛି ।
ଇଂରାଜୀ ଅଧ୍ୟାପକଙ୍କ ସଂପୃକ୍ତିର ଥିଓରୀ
– ପାଟ୍ଟଣାଗଡ ଭଇଁସା କଲେଜରେ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଥିଲେ ପୁଞ୍ଜିଲାଲ ମେହେର
– ସ୍ଥାୟୀ ଭାବବେ ଅଧ୍ୟକ୍ଷ ପଦରେ ରହିବା ଲାଗି ତାଙ୍କର ଅଭିଳାଶା ରହିଥିବା ଚର୍ଚ୍ଚା
– ତାଙ୍କ ସ୍ଥାନରେ ମୃତ ସୌମ୍ୟଶେଖରଙ୍କ ମାଆ ହୋଇଗଲେ କଲେଜ ଅଧ୍ୟକ୍ଷା
– ଯେଉଁଥିପାଇଁ ଦୁହିଁଙ୍କ ଭିତରେ ଏକ ବଡଧରଣର ବିବାଦ ରହିଥିବା କୁହାଯାଉଛି
ଅନୁମାନ କରାଯାଉଛି ଏହି ଆଧାରରେ ପର୍ସଲ ବୋମା ପଠାଇ ପରିବାରକୁ ସଫା କରିଦେବା ଉଦ୍ଦେଶ୍ୟରେ ହତ୍ୟା ଷଡଯନ୍ତ୍ର ରଚିଥାଇପରନ୍ତି ପୁଞ୍ଜିଲାଲ ମେହେର । ହେଲେ ବିବାଦ ସେଭଳି ଗିରିତର ନଥିଲା ବୋଲି କହିଛନ୍ତି ମୃତ ସୌମ୍ୟଶେଖରଙ୍କ ମାଆ ।

କିଛିଦିନ ତଳେ ପୋଲିସ ଡିଜି ମଧ୍ୟ ସୂଚନା ଦେଇଥିଲେ ଯେ ଏହି ମାମଲାରେ କ୍ରାଇମବ୍ରାଂଚକୁ ବଡ ସୁରାକ ମିଳିଛି । କ୍ରାଇମବ୍ରାଂଚ ଆଇଜି ନିଜେ ପାଟ୍ଟଣାଗଡରେ କ୍ୟାମ୍ପ କରି ଛାନଭିନ ଚଳାଇଛନ୍ତି । ଗତ ଫେବ୍ରୁଆରୀ ୨୩ ତାରିଖରେ ନବ ବିବାହିତ ଦମ୍ପତିଙ୍କ ପାଇଁ ପାଟଣାଗଡରେ ପହଂଚିଥିଲା ଜଣେ ଅଜଣା ବନ୍ଧୁଙ୍କ ପାର୍ସଲ ଉପହାର । ଯାହାକୁ ଖୋଲିବାବେଳେ ବାସ୍ଫୋରଣ ଯୋଗୁଁ ନବ ବିବାହିତ ବର ଓ ସଂପର୍କୀୟ ଜେଜେ ମାଆଙ୍କ ମୃତ୍ୟୁ ହୋଇଥିବାବେଳେ ଗୁରୁତର ହୋଇପଡିଥିଲେ ନବ ବିବାହିତ ବଧୁ । ରହସ୍ୟରେ ରହିଥିବା ସେହି ଅଜ୍ଞାତ ପ୍ରେରକର ଠିକଣା ପାଇବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇ ରହିଛି ।