ରାସ୍ତା ଉପରେ ନିରୀହ ରକ୍ତର ଛିଟା ! ଜୟପୁରରେ ନବଜାତକକୁ ଝୁଣି ଖାଇଲା କୁକୁର ।

43

କନକ ବ୍ୟୁରୋ : ବର୍ବରତାର ସୀମା ଟପିଥିବାର ଛବି ଦେଖିବାକୁ ମିଳିଛି ଜୟପୁର ଉପଖଣ୍ଡ ଚିକିତ୍ସାଳୟରେ । ଏକ ନବଜାତ ଶିଶୁକନ୍ୟାକୁ ରାସ୍ତା ଉପରେ ଫୋପାଡି ଦେଇ କେଉଁ ଆଡେ ଚାଲିଯାଇଛି ମା’ । ରାସ୍ତା ଉପରେ ପଡିଥିବା ଶିଶୁକୁ କୁକୁରମାନେ ଝୁଣି ଖାଉଥିବା ଦେଖାଯାଇଛି । ଏହି ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଡାକ୍ତରଖାନାର କର୍ମଚାରୀମାନେ ରକ୍ତ ଜୁୁଡୁବୁଡୁ ଅବସ୍ଥାରେ ପଡିଥିବା ମୃତ ଶିଶୁକୁ ଏକ ବାଲଟି ଭିତରେ ପସାଇ ମେଡିକାଲ ମଧ୍ୟକୁ ନେଇଥିଲେ ।

ଖବର ଅନୁସାରେ ସୋମବାର ସକାଳ ୯ ଟା ସମୟରେ ଜୟପୁର ଉପଖଣ୍ଡ ମେଡିକାଲ ନିକଟରେ ଅନ୍ତଃନାଡି ଲାଗିଥିବା ଏକ ଶିଶୁକନ୍ୟାକୁ କେହି ଫୋପାଡି ଦେଇଥିଲେ । ପରେ ୪ ଟି ବୁଲା କୁକୁର ତାକୁ କାମୁଡି ଖାଉଥିବାର ଦେଖା ଯାଇଥିଲା । ତେବେ ଶିଶୁଟିର ମୁଣ୍ଡ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ଦେହରେ ଅନେକ କ୍ଷତ ଚିହ୍ନ ରହିଛି ଏବଂ ଶିଶୁଟିର ଓଜନ ପାଖାପାଖି ୪ କିଲୋଗ୍ରାମ ରହିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ ସକାଳେ ଏକ ଅଟୋ ଆସି ମେଡିକାଲ ମୁଖ୍ୟ ଦ୍ୱାରା ନିକଟରେ ଥିଲା । ତେବେ ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ଗତକାଲି ଏକ ନବଜାତ ଶିଶୁ ଜନ୍ମ ହେବା ପୂର୍ବରୁ ହିଁ ମୃତ୍ୟୁ ହୋଇ ଯାଇଥିଲା । ପରେ ଡାକ୍ତରମାନେ ମୃତ ଶିଶୁକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ । ବୋଧହୁଏ ପରିବାର ଲୋକ ସଂସ୍କାର ନ କରି ବାହାରେ ଫୋପାଡି ଦେଇଛନ୍ତି ଓ ପରେ ଶିଶୁଟିକୁ କୁକୁରମାନେ ରାସ୍ତା ଉପରେ ଆଣି ଖାଇଛନ୍ତି ବୋଲି ସ୍ଥାନୀୟ ଲୋକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।