ଅଲୋଡା ଶିଶୁର ଅଲୌକିକ କାହାଣୀ ! ଏଭଳି ଏକ ଶିଶୁକନ୍ୟା ଯାହାର ଜୀବନ ନେଇପାରିଲାନି କାଳବୈଶାଖୀ ଝଡ଼

51

କନକ ବ୍ୟୁରୋ : ଅଲୋଡ଼ା ଶିଶୁକନ୍ୟାର ଅଲୌକିକ କାହାଣୀ । ଯିଏ ମାଟିତଳେ ପ୍ରାୟ ୧୨ ଘଂଟା ପୋତା ହୋଇ ରହିବା ପରେ ଜୀବିତ ଉଦ୍ଧାର ହୋଇଛି । ମାତ୍ର ଦିନକର ଏହି ଶିଶୁର ମୁହଁକୁ ଛାଡି ପୁରା ଶରୀରକୁ ମାଟି ତଳେ ପୋତାଯାଇଥିଲା । ଆଉ ରାତି ସାରା କାଳବୈଶାଖୀ ଓ ଝଡତୋଫାନ ଭିତରେ ରହି ସକାଳୁ ଉଦ୍ଧାର ହୋଇଛି ଶିଶୁଟି ।

ରଖେ ହରି ତ ମାରେ କିଏ । ସାମ୍ନାକୁ ଆସିଛି ଏଭଳି ଜଣେ ଅଲୋଡା କନ୍ୟାର ଅଲୌକିକ କାହାଣୀ । କାରଣ ପ୍ରାୟ ୧୨ ଘଂଟା ମାଟିତଳୋ ପୋତାଯାଇଥିବା ଏକ ଶିଶୁକନ୍ୟା ଉଦ୍ଧାର ପାଇଯାଇଛି । ସୁନ୍ଦରଗଡରେ ଗତକାଲି କାଳବୈଶାଖୀର ପ୍ରଭାବ ସତ୍ୱେ ନବଜାତକଟି ଜୀବିତ ରହିବା ଯେତିକି ଆଶ୍ଚର୍ଯ୍ୟଜନକ, ତାକୁ ଫିଙ୍ଗି ଦେଇଥିବା ପରିବାରର ମାନସିକତାକୁ ନେଇ ସେତିକି ଚର୍ଚ୍ଚା ।

ସୁନ୍ଦରଗଡ଼ର ଟିକାୟତପଲି ଥାନା ବିଷ୍ଣୁଡିହି ଗାଁ କସଡ଼ା ଜଙ୍ଗଲ ନିକଟରେ ସକାଳୁ ଶୁଭିଲା ନବଜାତ ଶିଶୁର କୁଆଁ କୁଆଁ କାନ୍ଦ । ଏପରି ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସ୍ଥାନୀୟ ଲୋକ । ଆଉ ପାଖକୁ ଯାଇ ଯାହା ଦେଖିଲେ ସେମାନଙ୍କ ହୋସ ଉଡିଗଲା । କେବଳ ମୁହଁକୁ ଛାଡି ମାଟିରେ ପୂରା ପୋତା ଯାଇଥିଲା ଶିଶୁକୁ । ମାତ୍ର ଦିନକର ଶିଶୁକୁ ପୋତା ହୋଇଥିବାର ଦୃଶ୍ୟ ଦେଖି ବିଚଳିତ ହୋଇପଡିଥିଲେ ସମସ୍ତେ । ଖବର ପାଇଁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା ପୁଲିସ । ମୁମୁର୍ଷୁ ଅବସ୍ଥା ଭର୍ତି କରାଯାଇଥିଲା ବଣାଇ ଡାକ୍ତରଖାନାରେ ।

ରାତି ସାରା ଝଡ଼ ତୋଫାନ କୁଆପଥର ମାଡ଼ । ସ୍ଥାନୀୟ ଅଂଚଳରେ କାଳବୈଶାଖୀର ତାଣ୍ଡବ ଚାଲିଥିବା ବେଳେ ମୃତ୍ୟୁ ସହ ସଂଗ୍ରାମ କରୁଥିଲା ଶିଶୁ କନ୍ୟା । ଗୋଟିଏ ରାତି ମାଟିରେ ପୋତି ହେବା ପରେ ଅଲୌକିକ ଭାବେ ବଂଚିଯାଇଛି ଏହି ଦେବଶିଶୁ । ନାହି କଟାଯାଇନଥିଲା, ମାତ୍ର ତାକୁ ମୃତ୍ୟୁ ମୁହଁକୁ ଠେଲି ଦିଆଯାଇଥିଲା ।

ଏବେ ତା’ର ଅବସ୍ଥା ସୁଧୁରିବାରେ ଲାଗିଛି । ଗତ ବର୍ଷ ଯାଜପୁର ଜିଲ୍ଲାରେ ପୋତି ଦିଆଯାଇଥିବା ଶିଶୁକନ୍ୟାକୁ ଉଦ୍ଧାର କରାଯିବା ଖବର ସାରା ରାଜ୍ୟରେ ଚହଳ ପକାଇଥିଲା । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ପୁଣି ଆସିଛି ସେହିଭଳି ଲୋମଟାଙ୍କୁରା ଖବର ।