ଆଜି ବ୍ୟାଙ୍କକୁ ଆସିବ ୨ଶହ ଟଙ୍କିଆ !

58

କନକ ବ୍ୟୁରୋ : ଭାରତ ଦେଖିବ ୨ ଶହ ଟଙ୍କିଆ ନୋଟ୍ । ଆଜିି ଆସିବ ନୂଆ ୨୦୦ ଟଙ୍କିଆ । ଏନେଇ ସୂଚନା ଦେଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଏହା ହେଉଛି ହାଲୁକା ହଳଦିଆ ରଙ୍ଗର ଗାନ୍ଧି ସିରିଜର ନୋଟ୍ । ଏଥିରେ ଆରବିଆଇ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଦସ୍ତଖତ ରହିଛି । ଏହା ସହ ଆର ପଟରେ ରହିଛି ଶାଂଚି ସ୍ତୁପର ଚିତ୍ର । ଏହି ୨୦୦ ଟଙ୍କିଆ ନୋଟ୍ ଆସିବା ପରେ ୧୦୦ ଟଙ୍କିଆ ନୋଟ ଉପରେ ପଡୁଥିବା ଆବଶ୍ୟକତାର ଚାପ କମିବ । ମିଳିଥିବା ସୂଚନା ଅନୁସାରେ ପ୍ରାୟ ୫୦ କୋଟି ନୂଆ ନୋଟ୍ ଛପା ହୋଇ ରହିଛି । ଏହି ନୂଆ ୨୦୦ ଟଙ୍କିଆ ନୋଟ୍, ପୁରୁଣା ୨ ଟଙ୍କିଆ ନୋଟ୍ ପରି ଦେଖାଯାଉଛି ।

ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ନୋଟ୍ ସମ୍ପର୍କିତ ବିଜ୍ଞପ୍ତି ଆଜି ଜାରି କରାଯାଇଛି । ଏଥିରେ ନୋଟ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି । ଏହି ନୋଟର ସାମ୍ନା ପଟ ମଧ୍ୟଭାଗରେ ମହାତ୍ମା ଗାନ୍ଧୀଙ୍କ ଛବି ରହିଛି । ସେହିଭଳି ଟଙ୍କାର ପ୍ରତୀକ ସହିତ ଉଭୟ ଇଂରାଜୀ ଏବଂ ଦେବନାଗରୀ ଭାଷାରେ ‘୨୦୦’ ଲେଖାଯାଇଛି । ଏତଦ ବ୍ୟତୀତ ନୋଟରେ ଅତି ଛୋଟ ଛୋଟ ଅକ୍ଷରରେ ଇଂରାଜୀରେ ‘ଆରବିଆଇ’ ହିନ୍ଦୀରେ ‘ଭାରତ’, ଇଂରାଜୀରେ ଇଣ୍ଡିଆ ଏବଂ ୨୦୦ ସଂଖ୍ୟା ଲେଖାଯାଇଛି ।

ଏଥିରେ ରହିଥିବା ନିରାପତ୍ତା ସୁତାରେ ଭାରତ ଏବଂ ଆରବିଆଇ ଲେଖାଯାଇଛି। ନୋଟକୁ ଗୋଟିଏ ପଟକୁ ଢଳାଇଲେ ନିରାପତ୍ତା ସୁତାର ରଙ୍ଗ ସବୁଜରୁ ନୀଳ ହୋଇଯିବ । ସାମ୍ନା ପଟରେ ଗ୍ୟାରେଣ୍ଟି କ୍ଲଜ୍, ପ୍ରମିଜ୍ କ୍ଲଜ୍ ଏବଂ ରିଜର୍ଭ ବ୍ୟାଙ୍କର ପ୍ରତୀକ ରହିଛି । ସେହିଭଳି ଟଙ୍କାର ପ୍ରତୀକ ସହିତ ରଙ୍ଗ ବଦଳୁଥିବା କାଳି (ସବୁଜରୁ ନୀଳ)ରେ ନୋଟର ଡାହାଣ ପଟ ତଳେ ୨୦୦ ଟଙ୍କା ଲେଖାଯାଇଛି । ନୋଟର ବାମ ପଟ ଉପର ଭାଗରେ ଏବଂ ଡାହାଣ ପଟ ତଳ ଭାଗରେ ଛୋଟରୁ ବଡ଼ ଆକାରରେ ନୋଟର ନମ୍ବର ପ୍ୟାନେଲ ରହିଛି ।

୨୦୦ ଟଙ୍କିଆ ନୋଟଟି ଆରବିଆଇ ପକ୍ଷରୁ ବିମୁଦ୍ରାକରଣ ପରେ ଜାରି କରାଯାଇଥିବା ନୂଆ ୫୦୦ ଟଙ୍କିଆ ନୋଟଠାରୁ ସାମାନ୍ୟ ଛୋଟ । ଏହି ନୋଟର ଚଉଡ଼ା ନୂଆ ୫୦୦ ଟଙ୍କିଆ ନୋଟ୍ ସହିତ ସମାନ ଅର୍ଥାତ୍ ୬୬ ମିଲିମିଟର ରହିଛି । କିନ୍ତୁ ଲମ୍ବ କମ୍ ରହିଛି । ନୂଆ ୫୦୦ ଟଙ୍କିଆର ଲମ୍ବ ୧୫୦ ମିଲିମିଟର ଥିବାବେଳେ ୨୦୦ ଟଙ୍କିଆର ଲମ୍ବର ଏହାଠାରୁ ୪ ମିଲିମିଟର କମ୍ ଅର୍ଥାତ୍ ୧୪୬ ମିଲିମିଟର ରହିଛି । ଏହି ନୋଟଟି ଦେଖିବାକୁ କିନ୍ତୁ ବେଶ ସ୍ୱତନ୍ତ୍ର ଏବଂ ସହଜରେ ଚିହ୍ନଟ କରାଯାଇପାରିବ ।

ଦୃଷ୍ଟିହୀନ ବ୍ୟକ୍ତିଙ୍କ ପାଇଁ ଅନ୍ୟ ନୋଟ୍ ଭଳି ନୂଆ ୨୦୦ ଟଙ୍କିଆ ନୋଟରେ ମଧ୍ୟ ସ୍ୱତନ୍ତ୍ର ଚିହ୍ନ ରହିଛି। ନୋଟର ସମ୍ମୁଖ ଭାଗରେ ମହାତ୍ମା ଗାନ୍ଧୀଙ୍କ ଛବି ଉପରକୁ ଉଠିଥିବା ଭଳି ଛପା ଯାଇଛି । ଏଥିସହିତ ଡାହାଣ ପଟେ ଉପରକୁ ଉଠିକରି ରହିଥିବା ଅଶୋକ ସ୍ତମ୍ଭର ପ୍ରତୀକ ଏବଂ ଇଂରାଜୀ କ୍ୟାପିଟାଲ ଲେଟରରେ ଏଚ୍ ସହିତ ଏହା ଭିତରେ ୨୦୦ ଟଙ୍କା ଲେଖାଯାଇଛି । ସେହିଭଳି ନୋଟର ବାମ ଏବଂ ଡାହାଣ ପାର୍ଶ୍ୱରେ ୪ଟି ଲେଖାଏଁ କଟା ଗାର ଏବଂ ଏହା ଭିତରେ ଦୁଇଟି ଲେଖାଏ ବୃତ୍ତ ରହିଛି । ଯାହା ଫଳରେ ଦୃଷ୍ଟିହୀନ ବ୍ୟକ୍ତିମାନେ ଏହି ନୋଟ୍‌କୁ ହାତମାରି ସହଜରେ ଚିହ୍ନି ପାରିବେ।