ନେଦରଲ୍ୟାଣ୍ଡ ହେଗରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କଲେ ମୋଦି ! କହିଲେ, ପାସପୋର୍ଟ ରଙ୍ଗ ବଦଳିଲେ ବଦଳେନି ରକ୍ତ ସଂପର୍କ

36

କନକ ବ୍ୟୁରୋ: ନେଦରଲ୍ୟାଣ୍ଡର ହେଗରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ବିଶ୍ୱର କୋଣ ଅନୁକୋଣରେ ରହୁଥିବା ସବୁ ଭାରତୀୟ ଜଣେ ଜଣେ ରାଷ୍ଟ୍ରଦୂତ ବୋଲି ମୋଦି କହିଛନ୍ତି । ବର୍ଷ ବର୍ଷ ପରେ ବି ପ୍ରବାସୀ ଭାରତୀୟଙ୍କ ହୃଦୟରେ ଭାରତ ବଂଚିଛି । ଭାରତର ଋଣ ସୁଝିବା ଠାରୁ ବଡ କୌଣସି ଦେଶଭକ୍ତି ନାହିଁ ବୋଲି ହେଗରେ ୩ ହଜାର ଭାରତୀୟଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ସହ ନେଦରଲ୍ୟାଣ୍ଡରେ ରହୁଥିବା ଭାରତୀୟଙ୍କ ସହ ସଂପର୍କ ଯୋଡିଛନ୍ତି ମୋଦି ।

ସେ କହିଛନ୍ତି ପାସପୋର୍ଟ ରଙ୍ଗ ବଦଳିଲେ ରକ୍ତ ସଂପର୍କ ବଦଳି ଯାଏନି । ଯିଏ ମୂଳରୁ ଯୋଡି ହୋଇ ରହିଥାଏ ତାକୁ କେହି ହଲାଇ ପାରିବେ ନାହିଁ । ପାସପୋର୍ଟ ରଙ୍ଗ ଯାହା ବି ହେଉ ଆମମାନଙ୍କ ପୂର୍ବଜ ଗୋଟିଏ । ତେଣୁ ଆମ ମଧ୍ୟରେ ଦୂରତା ରହିବା ଉଚିତ ନୁହେଁ ବୋଲି ମୋଦି କହିଛନ୍ତି । ଏହା ସହ ନିଜ ସରକାରର ସଫଳତା କଥା ମଧ୍ୟ କହିଛନ୍ତି ମୋଦି । ସେ କହିଛନ୍ତି ଯେ ଜନଭାଗିଦାରୀରେ ଦେଶ ଚାଲିଥାଏ ଓ ଆଗକୁ ବଢିଥାଏ । ତେଣୁ ସବୁ କାମରେ ଜନଭାଗିଦାରୀକୁ ସରକାର ଗୁରୁତ୍ୱ ଦେଇଛନ୍ତି । ଭାରତର ବିକାଶ ଯାତ୍ରାରେ ମହିଳାଙ୍କ ବଡ ଭୂମିକା ରହିଛି । କ୍ଷେତ ବାଡି କାମରେ ମଧ୍ୟ ମହିଳାମାନଙ୍କ ବଡ ସଂଖ୍ୟାରେ ଭାଗିଦାରୀ ରହିଛି ବୋଲି ମୋଦି କହିଛନ୍ତି ।

ମୁଦ୍ରା ଯୋଜନା ଦ୍ୱାରା ଛୋଟ ବ୍ୟବସାୟୀଙ୍କୁ ଲାଭ ହୋଇଛି । ଏବେ ଛୋଟ ଛୋଟ ବ୍ୟବସାୟୀ ମଧ୍ୟ ଚାକିରୀ ଦେଇ ପାରୁଛନ୍ତି ବୋଲି ହେଗରେ ନିଜ ଅଭିଭାଷଣରେ କହିଛନ୍ତି ମୋଦି । ୭ କୋଟି ଲୋକ ମୁଦ୍ରା ଯୋଜନାର ଲାଭ ଉଠାଇଛନ୍ତି । ଦେଶର ୪୦ ପ୍ରତିଶତ ଲୋକ ବ୍ୟାଙ୍କ ଯାଇନଥିଲେ । ଏବେ ବହୁ ସଂଖ୍ୟାରେ ମହିଳାମାନେ ବ୍ୟାଙ୍କ ଆକାଉଂଟ୍ ଖୋଲିଛନ୍ତି ବୋଲି କହିଛନ୍ତି ମୋଦି ।

ସୁରକ୍ଷା କ୍ଷେତ୍ରରେ ବି ମହିଳାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ଦେଶରେ ମହିଳା ବି ଯୁଦ୍ଧ ଜାହାଜ ଉଡାଉଛନ୍ତି । ଆମ ମହାକାଶ ବିଜ୍ଞାନୀ ମାନେ ୧୦୪ଟି ସାଟେଲାଇଟ୍ ଛାଡିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦେଶକୁ ଖାଲି ଆଗକୁ ନେଇ ଗଲେ ଯଥେଷ୍ଟ ହେବ ନାହିଁ । ଏହା ସହ ଦେଶକୁ ଆଧୁନିକ ଭାବେ ଗଢି ତୋଳିବାକୁ ପଡିବ ବୋଲି କହିଛନ୍ତି ମୋଦି ।